ବେତନଟୀ: ଭୋଟ୍ ଗଣତିରେ ବ୍ୟାପକ ଅନିମିୟତତା ଥିବା ଅଭିଯୋଗ ନେଇ ପୁନଃଗଣତି ଦାବିରେ ଦୁଇ ପରାଜିତ ସରପଞ୍ଚ ପ୍ରାର୍ଥୀ ସୁନୀତା ନାଏକ ଓ ସ୍ବପ୍ନା ହେମ୍ବ୍ରମ ଆଜି ଦିନତମାମ ବେତନଟୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସେମାନଙ୍କ ସହ ପୂର୍ବତନ ସରପଞ୍ଚ ଦୁଃଖିଆ ମୁର୍ମୁ, ଅନୀତା ବାସ୍କେ, ପାର୍ବତୀ ମହାନ୍ତ ଓ ଆଉ କେତେକ ଅସନ୍ତୁଷ୍ଟ ବେତନଟୀ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ସୁନୀତା ଓ ସ୍ବପ୍ନାଙ୍କ ଅଭିଯୋଗ ହେଲା ସେମାନଙ୍କ ପଞ୍ଚାୟତରେ ପଡ଼ିଥିବା ଭୋଟ୍ରେ ଅଧିକାଂଶ ବାଲଟ୍ରେ ଭୋଟର୍ମାନେ ମୋହର ମାରିବା ବଦଳରେ ଟିପଚିହ୍ନ ଦେଇଥିଲେ।
ଗଣତି ସମୟରେ ଏହି ଦୁଇ ପ୍ରାର୍ଥୀଙ୍କ ଏଜେଣ୍ଟ ଏ ସମ୍ପର୍କରେ ଅଭିଯୋଗ କରିବା ସହ ଉକ୍ତ ଭୋଟ୍ଗୁଡ଼ିକୁ ନାକଚ କରିବା ପାଇଁ କହିଥିଲେ। ହେଲେ ଗଣତି ଦାୟିତ୍ବରେ ଥିବା ଅଧିକାରୀ ସେମାନଙ୍କ ଅଭିଯୋଗ ରଖିନଥିଲେ। ତେଣୁ ଭୋଟ୍ ପୁନଃଗଣତି ପାଇଁ ଉଭୟ ପ୍ରାର୍ଥୀ ଦାବି କରିବା ସହ ଅଭିଯୋଗର ନକଲ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିନୀତ ଭରଦ୍ବାଜଙ୍କୁ ପ୍ରଦାନ କରିଛନ୍ତି। ତେବେ ଏ ସମ୍ପର୍କରେ ବେତନଟୀ ବିଡିଓ ସଂଗ୍ରାମ କେଶରୀ ପରିଡାଙ୍କ କହିବା କଥା ହେଲା, ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ଫଳାଫଳ ଘୋଷଣା ପୂର୍ବରୁ ଅଭିଯୋଗ କରିବାକୁ ସୁଯୋଗ ଦିଆଯାଇଥିଲା। ହେଲେ ସେମାନେ ସେତେବେଳେ ଅଭିଯୋଗ କରିନଥିଲେ। ଚୂଡ଼ାନ୍ତ ଫଳାଫଳ ଘୋଷଣା ହୋଇ ବାଲଟ୍ ବକ୍ସ ସିଲ୍ ହେବା ପରେ ଆଉ ପୁନଃଗଣନା କରିବାର ନିୟମ ନାହିଁ। ଏବେ ସେମାନେ ଆଇନ ମୁତାବକ ଅଦାଲତକୁ ଯାଇ ପାରିବେ ବୋଲି ବୋଲି କହିଛନ୍ତି ବିଡିଓ।
ସେହିପରି ଉଦଳା ବ୍ଲକ୍ରେ ମଧ୍ୟ ସମାନ ଅଭିଯୋଗର ଫର୍ଦ୍ଦ ଲମ୍ବୁଛି। ପୂର୍ବରୁ ପାଟ୍ଟଶାଣୀପୁର ପଞ୍ଚାୟତ ସମିତିସଭ୍ୟ ନିର୍ବାଚନରେ ୧୬ଖଣ୍ଡ ଭୋଟ୍ରେ ପରାଜିତ ସମିତି ସଭ୍ୟ ପ୍ରାର୍ଥୀ ବସୁଧା ସିଂ ପୁନଃ ଭୋଟଗଣତି ନେଇ ଦାବି ଉଠାଇଥିବା ବେଳେ ଆଜି ନୂଆଗାଁ ପଞ୍ଚାୟତରେ ୧୨ଟି ଭୋଟ୍ରେ ହାରିଥିବା ସମିତିସଭ୍ୟ ପ୍ରାର୍ଥୀ ମୀନା ମୁର୍ମୁ ଉଦଳା ବ୍ଲକ୍ରେ ପହଞ୍ଚି ପୁନଃଗଣତି ଦାବି କରିଛନ୍ତି। ସେ ନିର୍ବାଚନରେ ଜିତିଥିବା ନେଇ ଏକ ପ୍ରତିଷ୍ଠିତ ଛାପା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବେଳେ ଉକ୍ତ ଖବରକାଗଜକୁ ଧରି ସେ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ତେବେ ଭୋଟଗଣତି ଶେଷରେ ଅଭିଯୋଗପତ୍ର ପ୍ରଦାନ କରିଥିଲେ ସୁଦ୍ଧା ବିଳମ୍ୱ ଯୋଗୁ ଅଭିଯୋଗ ପତ୍ର ଗ୍ରହଣ କରାଯାଇନଥିବାର ଶ୍ରୀମତି ମୁର୍ମୁଙ୍କ ଏଜେଣ୍ଟ ଭଗବାନ ବେଶ୍ରା ପ୍ରକାଶ କରିଛନ୍ତି। ସମାନ କଥା କହିଛନ୍ତି ଶ୍ରୀମତି ସିଂଙ୍କ ଏଜେଣ୍ଟ ଦାମୋଦର ମୁର୍ମୁ। ତେବେ ପ୍ରଶାସନ ପକ୍ଷରୁ ଲିଖିତ ଆପତ୍ତି ଜଣାଇବା ପାଇଁ ୨ ମିନିଟ୍ ପ୍ରଦାନ କରାଯାଉଥିବା ବେଳେ ଏତେ କମ୍ ସମୟ ଭିତରେ ଅଭିଯୋଗପତ୍ର ପ୍ରଦାନ କରିବା ସମ୍ଭବପର ହୋଇନଥିବାର ପ୍ରାର୍ଥୀମାନେ ଅଭିଯୋଗ ଉଠାଇଛନ୍ତି। ଉଭୟ ପ୍ରାର୍ଥୀ ଆଜି ଦିନବେଳା ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଅପରାହ୍ନରେ ବିଡିଓ ଦେବଯାନୀ ଭୂୟାଁ ଉଭୟଙ୍କ ସହିତ ଆଲୋଚନା କରିବା ସହିତ ପୁନଃଗଣତି ନିମନ୍ତେ ସିଭିଲ୍ କୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଥିବାର ସୂଚନା ମିଳିଛି।