‘ଅଘୋଷିତ ବିଜୁଳି କାଟ୍‌ ବନ୍ଦ ନ ହେଲେ ଆନ୍ଦୋଳନ’

ଭୁବନେଶ୍ୱର : କାଳବୈଶାଖୀରେ ଯେଉଁଠି ୬ ଘଣ୍ଟା ଲାଇନ୍‌ କଟି ଯାଉଛି ସେଠାରେ ବାତ୍ୟା ହେଲେ କି ପ୍ରକାର ପରିସ୍ଥିତି ଉପୁଯିବ? ଗତ ୮ ତାରିଖ ଦିନ ରାଜଧାନୀରେ ବିଜୁଳି ସଂଯୋଗରେ ବିଳମ୍ବକୁ ନେଇ ଉଠିଥିବା ଏଭଳି ପ୍ରଶ୍ନ କେବଳ ରାଜଧାନୀବାସୀଙ୍କୁ ବିଚଳିତ କରିନି ବରଂ ଏହା ଏକ ଜନ ଆନ୍ଦୋଳନର ରୂପ ନେଉଛି। ଆଜି ଓଡ଼ିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ଯୁଦ୍ଧ ଡାକରା ଦେଇଛି। ସଂଘ ପକ୍ଷରୁ ଲୋହିଆ ଭବନରେ ଆୟୋଜିତ ଏକ ବୈଠକରେ ଅଘୋଷିତ ବିଜୁଳି କାଟ୍‌କୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହ ଏହା ବନ୍ଦ ନ ହେଲେ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ମହାସଂଘର ଅଧ୍ୟକ୍ଷ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, ନିରବଚ୍ଛିନ୍ନ ବିଜୁଳି ସଂଯୋଗ ପାଇଁ ୨ ହଜାର କୋଟି ବ୍ୟୟ ବରାଦରେ ରାଜଧାନୀରେ ଭୂତଳ କେବୁଲ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। କୁଆଡ଼େ ଗଲା? ମନ୍ତ୍ରୀ ପ୍ରତାପ ଦେବ କହୁଛନ୍ତି, ‘ଓଡ଼ିଶା ଏକ ବିଜୁଳି ବଳକା ରାଜ୍ୟ, ଏଠାରେ ପାୱାରକଟ୍ ହେବ କାହିଁକି?’କିନ୍ତୁ କାଳ ବୈଶାଖୀରେ ୬ ଘଣ୍ଟା କଟି ଯାଉଛି।

ଆବାହକ ରବି ବେହେରାଙ୍କ କହିବା କଥା, ୧୯୯୪-୯୫ ମସିହାରେ ବିଶ୍ୱବ୍ୟାଙ୍କରୁ ଋଣ କରି ସରକାର ବିଦ୍ୟୁତ ସେବା‌ର ସଂସ୍କାର କରିଥିଲେ। ରାଜ୍ୟବାସୀଙ୍କୁ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଦ୍ୟୁତ ସେବା ଦେବାକୁ ପ୍ରତିଶ୍ରୁତି ମିଳିଥିଲା। ୨୮ ବର୍ଷର ବିଜୁଳି ସଂସ୍କାର ପରେ ମଧ୍ୟ କାଳ ବୈଶାଖୀରେ ୬ରୁ ୮ ଘଣ୍ଟା ଅନ୍ଧାର ହୋଇଯାଉଛି। ସରବରାହ ଜନିତ କ୍ଷତିକୁ ୧୫ ପ୍ରତିଶତକୁ କମାଇ ଆଣିବାକୁ ଲକ୍ଷ୍ୟ ଥିବା ବେଳେ ଏବେ ଏହା ୨୯ ପ୍ରତିଶତ। ଏଭଳି ସ୍ଥିତିରେ ଉପଭୋକ୍ତା ବିଦ୍ୟୁତ୍ ଶୁଳ୍କ ବୋଝ ବୋହୁଛନ୍ତି। ଭିତ୍ତିଭୂମି ବିକାଶରେ ଯେଉଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା କୁହାଯାଉଛି, ତାହାର ବିଚାର ବିଭାଗୀୟ ତଦନ୍ତ ହେଉ। ଏ ସବୁ ଅଭିଯୋଗକୁ ନେଇ ମହାସଂଘ ମୁଖ୍ୟ ସଚିବଙ୍କୁ ସ୍ମାରକ ପତ୍ର ଦେବ। ଜନଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ ସମାବେଶ କରାଯିବ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରବି ଦାସ, ସିପିଆଇ ସମ୍ପାଦକ ଅଭୟ ସାହୁ, ସିପିଏମ୍ ରାଜ୍ୟ କମିଟି ସଦସ୍ୟ ଯତୀନ ମହାନ୍ତି, ସିପିଆଇ (ଏମ୍‌-ଏଲ୍‌) ପକ୍ଷରୁ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, କଂଗ୍ରେସ ଦଳ ପକ୍ଷରୁ ଆଡ୍‌ଭୋକେଟ୍ ଶିବାନନ୍ଦ ରାୟ, ଫରୱାର୍ଡ ବ୍ଲକ ପକ୍ଷରୁ ରାଜ୍ୟ ସମ୍ପାଦକ ଜ୍ୟୋତିରଂଜନ ମହାପାତ୍ର, ରାଷ୍ଟ୍ରୀୟ ଜନତା ଦଳ ପକ୍ଷରୁ ହେମନ୍ତ କୁମାର, ସମାଜବାଦୀ ପାର୍ଟି ସମ୍ପାଦକ ସୁଦର୍ଶନ ପ୍ରଧାନ, ଆର.ପି.ଆଇ. ସଭାପତି ସେଖ୍ ଅବଦୁଲ୍ ୱାଲି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର