ଏମସିଏଲ ବିରୋଧରେ ଗର୍ଜିଲେ ବିସ୍ଥାପିତ, ୧୪ ଖଣ୍ଡ ଗାଁର ବିଶାଳ ବିକ୍ଷୋଭ ପ୍ରଦର୍ଶନ

ଥଇଥାନ, ପୁନର୍ବାସ ନକରି ଖଣି ଖନନ

ସୁନ୍ଦରଗଡ଼/ହେମଗିର: ହେମଗିରସ୍ଥିତ ଏମସିଏଲ ଗୋଟିଏ ପରେ ଗୋଟିଏ  କୋଇଲା ଖଣି ଖୋଳି ବେପାର ଚଲାଇଛି। କିନ୍ତୁ ଏଯାଏ କୌଣସି ଗୋଟିଏ  ବି ବିସ୍ଥାପିତ ଗାଁକୁ ପୁନର୍ବାସ ଓ ଥଇଥାନ ସୁବିଧା ଦେଇ ନାହିଁ। ଏପରିକି ପରିବେଶ ମଞ୍ଜୁରି ସର୍ତ୍ତ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ମଧ୍ୟ ବେଖାତିର କରି  ବିସ୍ଥାପିତଙ୍କ ଘର ମୁହଁରେ ଜୋର୍‌ କରି ଖଣି ଖନନ କରିଚାଲିଛି। ପରିବେଶ ନିର୍ଦ୍ଦେଶାବଳୀ, ଖଣି ଯୋଜନା, ଖଣି ସୁରକ୍ଷାକୁ ଉଲ୍ଲଂଘନ କରି ଏମସିଏଲ ବାର୍ଷିକ ଅଢ଼େଇ ଲକ୍ଷ କୋଟିର କୋଇଲା ବିକ୍ରି କରୁଥିବା ବେଳେ ଅଞ୍ଚଳର ହଜାର ହଜାର ନିରୀହ ପରିବାରର ଜୀବନକୁ ମରଣ ମୁହଁକୁ ଠେଲି ଦେଇଛି। ଏଭଳି ଅଭିଯୋଗ ଉଠାଇ ବୁଧବାର ହେମଗିର ଆଦିବାସୀ ଏକତା ମଞ୍ଚ ଓ ୧୪ ଖଣ୍ଡ ଗ୍ରାମର ବିସ୍ଥାପିତ ସମୂହ ଏକ ବିଶାଳ ଶୋଭାଯାତ୍ରାରେ ଆସି ଏମସିଏଲର ବସୁନ୍ଧରା ଓ ମହାଲକ୍ଷ୍ମୀ ଖଣି କ୍ଷେତ୍ର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କମ୍ପାନିର ମନମାନୀ ବିରୋଧରେ ଗର୍ଜିଛନ୍ତି।

ବିସ୍ଥାପିତ ଅଭିଯୋଗ କରିଛନ୍ତି ଯେ,  ଏମସିଏଲ ଟିକିଲିପଡା, ବଲିଙ୍ଗା, ଗୋପାଳପୁର, କରଲିକଛାର, ବାଙ୍ଗୁରକେଲା, ଗର୍ଜନବାହାଲ ଗାଁ ଲୋକଙ୍କୁ କ୍ଷତିପୂରଣ ଓ ଚାକିରି ଦେଇଥିଲେ ମଧ୍ୟ ଥଇଥାନ ସୁବିଧା ଦେଇ ନାହିଁ। ଅନ୍ୟପଟେ  ତୁମଲିଆ, ଝୁପୁରୁଙ୍ଗା, ରତନସରା,କିରିପସରା ବିସ୍ଥାପିତଙ୍କ କୌଣସି କ୍ଷତିପୂରଣ, ଥଇଥାନ କି ପୁନର୍ବାସ ସୁବିଧା ନଦେଇ ଖଣି ଖୋଳି ଚାଲିଛି। ଏହା ବିରୋଧରେ  ୨୦୧୯ରେ ୧୪ଟି ଗାଁର ଜମିହରା  ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାଏର କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ୨୦୨୧ ନଭେମ୍ବର ୧୭ରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ତେବେ ବିସ୍ଥାପିତଙ୍କ ଦାଏର ମାମଲାରେ  ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସି ନଥିବାବେଳେ  ଏମସିଏଲ ଏହା ବିରୋଧରେ   ପୁଣି ଏକ  ପିଟିସନ ଦାଏର କରି ବିସ୍ଥାପିତଙ୍କୁ ‌ସେମାନଙ୍କ ହକ୍‌ ଦେବାକୁ ଜାଣିଶୁଣି ବିଳମ୍ବିତ କରି ନେଉଛି। ବର୍ତ୍ତମାନ ସୁଦ୍ଧା କମ୍ପାନି କୌଣସି ଗୋଟିଏ ଗ୍ରାମକୁ ସଂପୂର୍ଣ୍ଣ ରୂପେ ଥଇଥାନ କି ପୁନର୍ବାସ କରିପାରି ନାହିଁ ।

ଗୋଟିଏ ପରିବାରକୁ ମଧ୍ୟ ବିସ୍ଥାପିତ ସାର୍ଟିଫିକେଟ କିମ୍ବା ପୁନର୍ବାସ ପାଇଁ ୧୦ ଡିସିମିଲ ଜମି ପଟ୍ଟା ଦେଇ ନାହିଁ । ବର୍ତ୍ତମାନ ୧୮ ବର୍ଷ ହେଉଥିବା ପୁଅଝିଅଙ୍କୁ ନିଯୁକ୍ତି ପ୍ରଦାନକୁ ବିରୋଧ କରି ଆସୁଛି । ସେହିପରି କ୍ଳେମ୍ କମିଶନଙ୍କ ନିର୍ଦ୍ଦେଶକୁ ମଧ୍ୟ ନମାନି ବାରମ୍ବାର ପୁନଃ ବିଚାର ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାଏର କରୁଛି। ସେହିପରି ପରିବେଶ ମଞ୍ଜୁରି ସର୍ତ୍ତ ଉଲ୍ଲଂଘନ ପୂର୍ବକ କୋଇଲା ପରିବହନ ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ନକରି ସର୍ବସାଧାରଣ ରାସ୍ତାକୁ ୨୫ ବର୍ଷ ହେଲା ବ୍ୟବହାର  କରିଆସୁଛି। ଆଉ ସ୍ବତନ୍ତ୍ର କୋଲ୍‌ କରିଡର୍‌ ନିର୍ମାଣ କରିଥିବାର ମିଛ ରିପୋର୍ଟ ଦେଇ ଖଣି ହାତେଇ ନେଇଛି।  ଏସ୍ଥିତିରେ ସର୍ବସାଧାରଣ ଗାଁ ରାସ୍ତାରେ କୋଇଲା ପରିବହନ ଯୋଗୁଁ ସ୍ଥାନୀୟ ଲୋକେ ସାଂଘାତିକ ପ୍ରଭାବିତ ହୋଇଛନ୍ତି।  ରାସ୍ତା ଶୋଚନୀୟ ହୋଇପଡିଥିବାବେଳେ  ଯାତାୟତକୁ ନେଇ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି।

ଧୂଳିଧୂଆଁରେ ବର୍ଷ ବର୍ଷ ଧରି ଲୋକେ ମରଣ ସହ ଯୁଝୁଛନ୍ତି। ତେଣୁ ସମ୍ପୂର୍ଣ୍ଣ କ୍ଷତିପୂରଣ, ପୁନର୍ବାସ ଓ ଥଇଥାନ ସୁବିଧା ନଦେବା ଯାଏ କୌଣସି ଗୋଟିଏ ବି ଘର ଉଚ୍ଛେଦ ନକରିବା ଓ ଖଣି ଖନନ ଆରମ୍ଭ ନକରିବା, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନ ଅନୁଯାୟୀ ଖଣି ଲାଭାଂଶର ୧୦ ପ୍ରତିଶତ ଅର୍ଥ ସ୍ବତନ୍ତ୍ର ପାଣ୍ଠିରେ ଜମା କରି ୧୪ ଖଣ୍ଡ ଗାଁ ଲୋକଙ୍କ ବିକାଶ କରିବା, ବିସ୍ଥାପିତ ହେବାକୁ ଥିବା ପରିବାରକୁ ବିସ୍ଥାପିତ ପ୍ରମାଣପତ୍ର ସହ ନିୟମ ଅନୁଯାୟୀ ୧୦ ଡିସିମିଲ ସ୍ଥାୟୀ ଘର ଡିହ ପଟ୍ଟା ପ୍ରଦାନ ଆଦି ଦାବି କରି ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆସନ୍ତା ଅକ୍ଟୋବର ୧୦ ତାରିଖରୁ ବିସ୍ଥାପିତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ବିସ୍ଥାପିତ ନେତା ରାଜେନ୍ଦ୍ର ନାଏକ, କୁମୁଦବନ୍ଧୁ ପ୍ରଧାନ, ନାରାୟଣ ପଟେଲ, ଦୀନବନ୍ଧୁ ନାଏକ, ସଞ୍ଜୟ କର୍ତ୍ତା, ସରପଞ୍ଚ ରେବତୀ ଛତ୍ରିଆ, ପୁରବୀ ନାଏକ,  ନଳିନୀ ସା, ଶେଷବତୀ ପ୍ରଧାନ,  ସୁଭଦ୍ରା ବୈଗା, ପଞ୍ଚାୟତସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ସା, ଜିଲ୍ଲା ପରିଷଦସଭ୍ୟ  ଉଦିତ ସେଠ, ପୂର୍ବତନ ପଞ୍ଚାୟତସମିତି ଅଧ୍ୟକ୍ଷା ସୁଧାରାଣୀ ରାଉଡିଆ, ପୂର୍ବତନ ସରପଂଚ ଚନ୍ଦ୍ରକାନ୍ତି ନାଏକ, ସମିତି ସଭ୍ୟ ନବୀନ ବାଗ ପ୍ରମୁ୍ଖ ବିକ୍ଷୋଭର ନେତୃତ୍ବ ‌ ନେଇଥିଲେ।

ସମ୍ବନ୍ଧିତ ଖବର