ରାଉରକେଲା: ହକ୍‌ ଦାବି ହାସଲ ପାଇଁ ବର୍ଷ ବର୍ଷ ଧରି ଆନ୍ଦୋଳନ ଜାରି ରଖିଛନ୍ତି ବିସ୍ଥାପିତ ପରିବାର। ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ବେଳେ ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଏଯାଏଁ ନିଯୁକ୍ତି ମିଳି ନାହିଁ। ଅବ୍ୟବହୃତ ଜମି ମଧ୍ୟ ସେମାନଙ୍କୁ ଫେରସ୍ତ କରାଯାଉ ନାହିଁ। ପ୍ରତିବାଦରେ ଗତକାଲିଠୁ ୩୨ ମୌଜା ବିସ୍ଥାପିତ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆମରଣ ଅନଶନ ଜାରି ରଖିଛନ୍ତି। ଗତକାଲି ଓ ଆଜି ରାତିରେ ଅସହ୍ୟ ଶୀତରେ ଖୋଲା ଆକାଶ ତଳେ ବିସ୍ଥାପିତ ପରିବାର ବସି ରହିଥିଲେ ହେଁ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ସେମାନଙ୍କ ସମସ୍ୟା ବୁଝିବାକୁ ଆସି ନଥିବା ଜଣାପଡ଼ିଛି। ଆଜି ରାତିରେ ସାମାଜିକକର୍ମୀ କ୍ରିଷ୍ଣା ସାହୁ ଆମରଣ ଅନଶନସ୍ଥଳରେ ପହଞ୍ଚି ବିସ୍ଥାପିତମାନଙ୍କୁ ଶୀତରୁ ରକ୍ଷାପାଇବାକୁ କମ୍ବଳ ବଣ୍ଟନ କରିଛନ୍ତି। ତାଙ୍କର ଦାବିକୁ ସମର୍ଥନ ଜଣାଇ ଅନଶନରେ ସାମିଲ ହୋଇଥିଲେ।

Advertisment

ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି। ସଂଘ ପକ୍ଷରୁ ସଭାପତି ପ୍ରଭାକିରଣ ଶ୍ରୀ ହୁରାଦ ଓ ସାଧାରଣ ସମ୍ପାଦକ ଶ୍ରୀ ମହେଶ୍ବର ଟପ୍ପୋ କହିଛନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୨୦୨୨ ମାର୍ଚ୍ଚ ୨୨ରେ ତତ୍କାଳୀନ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ୩୨ ମୌଜା ବିସ୍ଥାପିତ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ସେତେବେଳେ ବିସ୍ଥାପିତ ସଂଘ ପକ୍ଷରୁ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଁ ୧୧୦୦ ବିସ୍ଥାପିତଙ୍କ ତାଲିକା ସହ ଆବଶ୍ୟକୀୟ କାଗଜପତ୍ର ତତ୍କାଳୀନ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଅଧିକାରୀ ଦ୍ବାରା ଯାଞ୍ଚ କରିବା ପରେ ୧୧୦୦ ତାଲିକା ପ୍ରସ୍ତୁତ କରିଥିଲେ। ଯେଉଁମାନଙ୍କୁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ନିଯୁକ୍ତି ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ତତ୍କାଳୀନ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ବଦଳି ପରେ ଏ ଦିଗରେ ଆଜି ଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯେ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଁ ଲିଖିତ ପ୍ରତିଶ୍ରୁତି ନ ମିଳିଛି ସେ ପର୍ଯ୍ୟନ୍ତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆମରଣ ଅନଶନ୍‌ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନଶନରେ ୩୨ ମୌଜା ବିସ୍ଥାପିତ ସଂଘର ସାହାଜାନ୍‌ ଅନ୍‌ସାରୀ, ସମ୍ପାଦକ ଦିଲୀପ କୁମାର ସିଂହ, ଯୁଗ୍ମ ସମ୍ପାଦକ ବାବୁଲା ଷଣ୍ଢଙ୍କ ସମେତ ବିଜୟ କୁମାର ବିଶି, ମୁରଲୀଧର ଦେହୁରି ପ୍ରମୁଖ ସାମିଲ ହୋଇଛି। ଉଳ୍ଲେଖଯୋଗ୍ୟ, ୭୨ ମୌଜା ବିସ୍ଥାପିତ ସଂଘ, ରାଉରକେଲା ଓ ବନ୍ଧମୁଣ୍ଡା ମାର୍ଶଲିଂ ୟାର୍ଡ ବିସ୍ଥାପିତ ସଂଘ ପକ୍ଷରୁ ମଧ୍ୟ ଅନୁରୂପ ଆନ୍ଦୋଳନ ଜାରି ରହିଛି। ବନ୍ଧମୁଣ୍ଡା ମାର୍ଶଲିଂ ୟାର୍ଡ ବିସ୍ଥାପିତ ସଂଘର ଯ‌ୋଗ୍ୟ ବିବେଚିତ ବିସ୍ଥାପିତଙ୍କୁ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ମିଶ୍ର ଆର୍‌ଏସ୍‌ପିରେ ନିଯୁକ୍ତି ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ଲିଖିତ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନଥିଲା। ପ୍ରତିବାଦରେ ମାର୍ଶଲିଂ ୟାର୍ଡ ବିସ୍ଥାପିତ ସଂଘର ଲଚ୍ଛୁ ଓରାମ ନେତୃତ୍ବରେ ପ୍ରତିନିଧି ଜାତୀୟ ଜନଜାତି କମିସନ, କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସେହିପରି ୭୨ ମୌଜା ବିସ୍ଥାପିତ ସଂଘର ଖାଡ଼ା କୁଜୁରଙ୍କ ନେତୃତ୍ବରେ ମଧ୍ୟ ଆନ୍ଦୋଳନ ଜାରି ରହିଛି।