ବଲାରପାଲିରେ କିଡ୍‌ନି ରୋଗକୁ ନେଇ ବ୍ଲକ୍‌ ଅଫିସ୍‌ ଘେରିଲା ଆପ୍‌

ଶୁଦ୍ଧ ପାନୀୟ ଜଳ, ମାଗଣା ଚିକିତ୍ସା, ମୃତକଙ୍କ ପରିବାରକୁ ସହାୟତା ଦାବି

ଦେଓଗାଁ: ଦେଓଗାଁ ବ୍ଲକ୍‌ ମହଲାଇ ପଞ୍ଚାୟତ ବଲାରପାଲି ଗାଁରେ କିଡନି ରୋଗ ଆତଙ୍କ ସୃଷ୍ଟି କରିଛି। ଗତ ୩ ବର୍ଷ ମଧ୍ୟରେ କିଡନି ରୋଗରେ ଏହି ଗାଁର ୧୦ରୁ ଅଧିକ ଲୋକ ମଲେଣି। ଏପରିକି ଚଳିତ ମାସ ସପ୍ତାହକ ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଶୁକ୍ରବାର ବଲାରପାଲି ଗାଁର ଶତାଧିକ ପୁରୁଷ ମହିଳା ଆମ ଆଦମୀ ପାର୍ଟି (ଆପ୍‌) ସହଯୋଗରେ ଦେଓଗାଁ ବ୍ଲକ୍‌ କାର୍ଯ୍ୟାଳୟ ଘେରିଥିଲେ। ଦାବିଗୁଡ଼ିକ ମଧ୍ୟରେ ଗାଁର ପିଇବା ପାଣିକୁ ସମ୍ପୂର୍ଣ୍ଣ ଯାଞ୍ଚ କରି ପ୍ରତି ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଣ, କିଡନି ରୋଗରେ ଆକ୍ରାନ୍ତ ସମସ୍ତ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା, ବର୍ତ୍ତମାନ ପର୍ଯ୍ୟନ୍ତ କିଡନି ରୋଗରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ଆଦି ରହିଛି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡରେ ବଲାରପାଲି ଗାଁର କିଡନି ରୋଗୀମାନେ କାହିଁକି ସୁବିଧା ପାଉ ନାହାନ୍ତି ତାହା ତଦନ୍ତ କରାଯାଉ ବୋଲି ଦାବି କରିଥିଲେ। ଏହି ଘେରାଉରେ ଆପ୍‌ର ଜାତୀୟ କାଉନସିଲ ସଭ୍ୟ ତଥା ଜିଲ୍ଲା ଆବାହକ ଆଶିଷ ପାଣ୍ଡେ, ଜିଲ୍ଲା ସଂପାଦକ ଶଙ୍କର୍ଷଣ ମହାପାତ୍ର, ଅଶୋକ ସୁନା, ଅମର ମହାପାତ୍ର, ଆଶକା ତ୍ରିପାଠୀ, ରମାକାନ୍ତ ବେହେରା, ଡମ୍ବରୁଧର ରଣା, ଶିବ ସାହୁ, ଡମ୍ବରୁଧର ସାହୁ, ପରଛ ସାହୁ ପ୍ରମୁଖ ସାମିଲ ଥିଲେ। ଅପରାହ୍ଣ ୪ଟାରେ ଜିପିଇଓ ପୁଷ୍ପାଞ୍ଜଳି ନାଏକ ଆସି ଦାବିପତ୍ର ଗ୍ରହଣ କରିବା ସହ ଶନିବାର ଠାରୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ ଏବଂ ତୁରନ୍ତ ପାଣି ଯାଞ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର