ନିରଂଜନ ବିଶିଙ୍କୁ ନେଇ ବିଜେଡିରେ ବିଦ୍ରୋହ!

ବଲାଙ୍ଗୀର: ରାଜ୍ୟସଭା ଯାଇଥିବା ଆଦିବାସୀ ନେତା ନିରଂଜନ ବିଶିଙ୍କୁ ନେଇ ବିବାଦ ଥମୁନି। ଗତ ଦୁଇ ଦଶନ୍ଧି ଧରି ବିଜେଡି ବିରୋଧରେ ଦୁର୍ବାର ଆନ୍ଦୋଳନ କରିଥିବା ନିରଞ୍ଜନ ବିଶିଙ୍କୁ ନେଇ ଏବେ ବିଜେଡିରେ ବିଦ୍ରୋହ। କାରଣ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ହୋଇଥିବା ଆଦିବାସୀ ପ୍ରାର୍ଥୀଙ୍କୁ ଜାତିରୁ ବାସନ୍ଦ କରିଥିଲା ଆଦିବାସୀ ସଂଘ। ଏବେବି ସେମାନେ ବାସନ୍ଦ। ତେଣୁ ସେମାନଙ୍କ ଯୁକ୍ତି ନିରଞ୍ଜନ କାହିଁକି ବାସନ୍ଦ ନହେବେ। ଅନ୍ୟପଟେ ବିଜେଡିରେ ନିରଞ୍ଜନ ବିଶିଙ୍କୁ ନେଇ ବିଜେଡି ଆଇଟି ସଂଯୋଜକ ବିଭୂତିଭୂଷଣ ମିଶ୍ରଙ୍କ ପ୍ରତିକ୍ରିୟା ଏବେ ଜିଲ୍ଲା ସାରା ଚର୍ଚ୍ଚାର ବିଷୟ ହୋଇଛି। ନିରଞ୍ଜନଙ୍କୁ ବିରୋଧ କରି ସଂଗଠନର ସମ୍ପାଦକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂହଙ୍କୁ ସୋସିଆଲ ମିଡିଆରେ ସେ ଜବାବ ମାଗିଛନ୍ତି।

ପଞ୍ଚାୟତ ନିର୍ବାଚନ ସମୟରେ ବିଜେଡିକୁ ବଏକଟ କରିବା ପାଇଁ ନିରଞ୍ଜନ ଆହ୍ୱାନ ଦେଇଥିଲେ। ଆଉ ସେତେବେଳେ ନିରଞ୍ଜନଙ୍କ ଅହ୍ୱାନରେ ଜାତିରୁ ବାସନ୍ଦ ହୋଇଥିଲେ ବିଜେଡି ଜିଲ୍ଲା ପରିଷଦ ସଭ୍ୟା ମମତା କୁମୁରା। ଦେଓଗାଁ ବ୍ଲକ୍‌ ୧୨ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ମମତା। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ବିରୋଧରେ ସଶସ୍ତ୍ର ବିଦ୍ରୋହ କରିଥିଲା ଆଦିବାସୀ ସଂଘ। ଆଉ ଠିକ୍‌ ନିର୍ବାଚନ ସମୟରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଆଦିବାସୀ ମହିଳା ମମତା କୁମୁରାଙ୍କ ଶାଶୂଙ୍କ ପରଲୋକ ହୋଇଯାଇଥିଲା। ଶବ ସତ୍କାର ପାଇଁ ପାଖ ମାଡ଼ିନଥିଲେ ଜାତି ଭାଇ। କାରଣ ସେ ବିଜେଡିରୁ ପ୍ରାର୍ଥୀ ହୋଇଥିବାରୁ ନିରଞ୍ଜନଙ୍କ ଆହ୍ୱାନରେ ତାଙ୍କୁ ଜାତିରୁ ବାସନ୍ଦ କରାଯାଇଥିଲା। ରାତି ପର୍ଯ୍ୟନ୍ତ ପଡ଼ିରହିଥିଲା ଶବ। ଯେତେ ନେହୁରା ହେଲେ ବି ଜାତି ବିରୋଧରେ ଯାଇ କେହି ଆସିନଥିଲେ।

ଏବେ ବି ମମତା କୁମୁରାଙ୍କ ପରିବାର ଜାତିରୁ ବାସନ୍ଦ ଅଛନ୍ତି। ଖାଲି ମମତା କୁମୁରା ନୁହନ୍ତି, ପାଟଣାଗଡ଼ ବ୍ଲକ୍‌ ୧୪ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ସଭ୍ୟା ବିଶେଶ୍ୱରୀ ବରିହା ବି ନିରଞ୍ଜନ ବିଶିଙ୍କୁ ଦଳରେ ବିରୋଧ କରିଛନ୍ତି। କାରଣ ପଞ୍ଚାୟତ ନିର୍ବାଚନ ସମୟରେ ବିଜେଡିରୁ ପ୍ରାର୍ଥୀ ହୋଇଥିବାରୁ ନିରଞ୍ଜନ ବିଶିଙ୍କ ଆହ୍ୱାନରେ ଗାଁ ଗାଁରେ ପୋଷ୍ଟର ମାରି ତାଙ୍କୁ ଭୋଟ୍‌ ନଦେବା ପାଇଁ ପ୍ରଚାର କରିଥିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ। ଏପରିକି ବିଶ୍ୱେଶ୍ୱରୀଙ୍କ ପରିବାରକୁ ବିଜେଡିରୁ ନିର୍ବାଚନ ଲଢ଼ିଥିବାରୁ ଜାତିରୁ ବାସନ୍ଦ କରାଯାଇଛି। ତେଣୁ ବିଜେଡିର ଉଭୟ ଜିଲ୍ଲା ପରିଷଦ ସଭ୍ୟା ଏବେ ନିରଞ୍ଜନ ବିଶିଙ୍କୁ ଦଳରେ ଗ୍ରହଣ କରିପାରୁ ନାହାନ୍ତି। ସେମାନଙ୍କ ଦାବି, ବିଜେଡିରେ ଥିବାରୁ ସେମାନଙ୍କୁ ଯଦି ଜାତିରୁ ବାସନ୍ଦ କରାଗଲା, ଏବେ ନିରଞ୍ଜନ କାହିଁକି ବାସନ୍ଦ ହେବେ ନାହିଁ? ଅପରପଟେ ଆଦିବାସୀ ନେତାଙ୍କ ଭିତରେ ନିରଞ୍ଜନଙ୍କୁ ନେଇ ଟଣାଓଟରା ବି ଥମୁନି। କିଛି ଦିନ ତଳେ ନିରଞ୍ଜନ ବିଶିଙ୍କ ବିଜେଡିରେ ଯୋଗଦାନକୁ ନେଇ ଆଦିବାସୀ ନେତାଙ୍କ ମେଳି ହୋଇଥିଲା। ନିରଞ୍ଜନଙ୍କ ବିଜେଡିରେ ଯୋଗଦାନକୁ ନେଇ କେତେ ଜଣ ବିରୋଧ କରିଥିଲେ। ଆଉ କିଛି ଆଦିବାସୀ ନେତା ସମର୍ଥନ କରିଥିଲେ। ଆଉ କିଛି ଆଦିବାସୀ ନେତା ଏ ପ୍ରସଙ୍ଗରେ ଏବେ ବି ନିରବ ଅଛନ୍ତି। ଏ ଭିତରେ ନିରଞ୍ଜନ ବଲାଙ୍ଗୀର ଆସିବା ପରେ କଣ ରହିବ ପରିସ୍ଥିତି ତାକୁ ନେଇ ସବୁଠି ଚର୍ଚ୍ଚା।

ସମ୍ବନ୍ଧିତ ଖବର