ସମ୍ବଲପୁର: ସ୍ବତନ୍ତ୍ର ହୀରାଖଣ୍ଡ ରାଜ୍ୟ ଏବଂ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ଦାବି ଦିଲ୍ଲୀ ପହଂଚିଛି। ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ ଓ ହୀରାଖଣ୍ଡ ସାମ୍ମୁଖ୍ୟ ଆନୁକୂଲ୍ୟରେ ଏକ ଶୋଭାଯାତ୍ରାରେ ଦିଲ୍ଲୀର ଯନ୍ତରମନ୍ତରରେ ପହଂଚିବା ପରେ ସେଠାରେ ଧାରଣା ଦିଆଯାଇଛି। ପଶ୍ଚିମ ଓଡିଶାର ବିଭିନ୍ନ ଅଂଚଳରୁ ଯାଇଥିବା ଲୋକେ ଏହି ଧାରଣାରେ ସାମିଲ ହୋଇଥିଲେ। କେବଳ ସେତିକି ନୁହେଁ, ଦିଲ୍ଲୀରେ ରହୁଥିବା ପଶ୍ଚିମ ଓଡ଼ିଶାର ବହୁ ଲୋକ ମଧ୍ୟ ସେଠାରେ ପହଂଚି ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।
ପ୍ରଫୁଲ୍ଲ ହୋତାଙ୍କ ଆବାହକତ୍ଵରେ ଧାରଣାସ୍ଥଳରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦର ସଭାପତି ସରୋଜ ଦାଶ ଏବଂ ହୀରାଖଣ୍ଡ ସାମ୍ମୁଖ୍ୟର ସଭାପତି ପରେଶ ଚନ୍ଦ୍ର ଦାନୀଙ୍କ ଯୁଗ୍ମ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଦୀପକ କୁମାର ପଣ୍ଡା, ପ୍ରଶାନ୍ତ ପାଟ୍ଟଯୋଶୀ, ସମାରୁ ମେହେର, ବିଶ୍ବଜିତ ପ୍ରଧାନ, ତ୍ରିବିକ୍ରମ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ। ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ବିଭାଗ ମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ସୌମ୍ୟଜିତ ବଡ଼ପଣ୍ଡା, ଗୋପାଳ ମିଶ୍ର, ବିଜୟଲକ୍ଷ୍ମୀ ବେହେରା, ମାନସ ବକ୍ସି, ରାଜାରାମ ଷଡ଼ଂଗୀ, ଅରବିନ୍ଦ ନାୟକ, ରାଜେନ୍ଦ୍ର ପଣ୍ଡା, ସୌରୀ ପାଣିଗ୍ରାହୀ, ବବଲୁ ବାଗ, ଯଶୋବନ୍ତୀ ନାୟକ, ପଂକଜିନୀ ମେହେର, ତର୍ପଣ ପ୍ରଧାନ, ବୋଧରାମ ଦାଶ, ଏନ. ଗୋପାଳ, ବଚିତ୍ରା ବାଗ, ଶାଶ୍ବତ ପଣ୍ଡା ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ବକ୍ତାମାନେ ହୀରାଖଣ୍ଡ ରାଜ୍ୟ ଗଠନ ଓ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ଦାବି ସପକ୍ଷରେ କହିଥିଲେ। ସମ୍ବଲପୁରୀ ଭାଷାର ନାମ, ସ୍ବାଭିମାନ, ସୁରକ୍ଷା, ପ୍ରଚାର ଓ ପ୍ରସାର ପାଇଁ ସାମୂହିକ ଶପଥପାଠ କରାଯାଇଥିଲା।
ଯନ୍ତର ମନ୍ତର ଅଂଚଳରେ ପଟୁଆର କରାଯାଇଥିଲା। ସମ୍ବଲପୁରୀ ସାମୂହିକ ନାଚ ପରିବେଷଣ ବି କରାଯାଇଥିଲା। ଗତକାଲି ସମ୍ବଲପୁରୀ ଭାଷା ଓ ହୀରାଖଣ୍ଡ ରାଜ୍ୟ ଉପରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଗତ ୩ ତାରିଖ ଦିନ ୮୪ ଜଣ ଟ୍ରେନ୍ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବାବେଳେ ୪ ତାରିଖ ଦିନ କେତେକ ବ୍ୟକ୍ତି ଏଥିରେ ସାମିଲ ପାଇଁ ଯାଇଥିଲେ। ସେହିଭଳି ବିମାନ ଯୋଗେ ପୁଣି ଅନ୍ୟ କେତେକ ବ୍ୟକ୍ତି ସେଠାରେ ପହଂଚି ଥିଲେ। ୧୯୪୬ ଜୁଲାଇ ୩୧ ତାରିଖରେ ସମ୍ବଲପୁର ଜିଲ୍ଲା ସମ୍ମିଳନୀରେ ଶଙ୍କର ପ୍ରସାଦ ମିଶ୍ର ପ୍ରଥମେ ହୀରାଖଣ୍ଡ ରାଜ୍ୟ ଦାବି ଉପସ୍ଥାପନ କରିଥିଲେ। ଅଗଷ୍ଟ ୧୪ରେ ସାପଲହର ସଭାରେ ଏହି ଦାବିକୁ ଦୋହରାଯାଇଥିଲା। ସେହି ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ପୁଣି ଶଙ୍କର ମିଶ୍ର ଓ ବୋଧରାମ ଦୁବେ ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କୁ ଭେଟି ହୀରାଖଣ୍ଡ ରାଜ୍ୟ ବିଷୟ ଉତ୍ଥାପନ କରିଥିବା କହାଯାଇଛି।