ରାଉରକେଲା: ଆର୍ଏସ୍ପିରେ ନିଯୁକ୍ତିରୁ ବଞ୍ଚିତ ବିସ୍ଥାପିତ ସଂଘ ଗୁଡ଼ିକ ପକ୍ଷରୁ ଜାରି ରହିଛି ଆନ୍ଦୋଳନ। ବୈଠକ ପରେ ବୈଠକ ବସୁଛି। ହେଲେ ସମାଧାନର କୌଣସି ନିଷ୍କର୍ସ ବାହାରୁନି। ଜିଲ୍ଲା ପ୍ରଶାସନ ଓ ଆର୍ଏସ୍ପି କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳା ପ୍ରତିବାଦରେ ଆଜି ୧୦୯୮ ଚିହ୍ନଟ ୭୦ ମୌଜା ବିସ୍ଥାପିତଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍)ଙ୍କ ଅଫିସ୍ ଘେରାଉ କରାଯାଇଥିଲା। ସଂଘର ସଭାପତି ଖାଡ଼ା କୁଜୁରଙ୍କ ନେତୃତ୍ବରେ ଶତାଧିକ ବିସ୍ଥାପିତ ଏଡିଏମ୍ଙ୍କ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଶ୍ରୀ କୁଜୁର କହିଛନ୍ତି, ପ୍ରଶାସନ ପକ୍ଷରୁ ଚିହ୍ନଟ ୧୦୯୮ ବିସ୍ଥାପିତଙ୍କୁ ଉଭୟ ଆର୍ଏସ୍ପି କର୍ତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନ ବର୍ଷ ବର୍ଷ ଧରି ବିଭିନ୍ନ ଆଳ ଦେଖାଇ ଭଣ୍ଡାଇ ଚାଲିଛନ୍ତି। ଆର୍ଏସ୍ପି ପ୍ରତିଷ୍ଠା ସମୟରେ ହଜାର ହଜାର ପରିବାର ଭିଟାମାଟି ହରାଇଥିଲେ। ସେତେବେଳେ ବିସ୍ଥାପିତ ପରିବାରକୁ ନିଯୁକ୍ତି ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ୬୦ ବର୍ଷ ପରେ ମଧ୍ୟ ବିସ୍ଥାପିତ ପରିବାରକୁ ତାଙ୍କର ହକ୍ ଦାବି ମିଳିନି। ଆର୍ଏସ୍ପି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ବିସ୍ଥାପିତଙ୍କ ସମସ୍ୟାକୁ ଗୁରୁତ୍ବ ଦେଉ ନଥିବାରୁ ବର୍ଷ ବର୍ଷ ଧରି ଆନ୍ଦୋଳନ ଜାରି ରହିଛି। କେବଳ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛି। ଯଦି ଜିଲ୍ଲା ପ୍ରଶାସନ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବିସ୍ଥାପିତଙ୍କ ସମସ୍ୟା ଦୂର ନ କରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆନ୍ଦୋଳନରେ ପୁରନ୍ ଖାଲ୍କୋ, ବସନ୍ତ କିସାନ, ଅନୀଲ କିସାନ, ଅଜିତ ଡୁଙ୍ଗରମ ପ୍ରମୁଖ ସାମିଲ ଥିଲେ।