ପୁଲିସ ନ୍ୟାୟ ଦେଲାନି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

ଭଦ୍ରକ:  ଭଦ୍ରକ ଜିଲ୍ଲା ତିହିଡ଼ି ଥାନା କାଁପଡା ପଞ୍ଚାୟତ ଅଧୀନ ତଳକାଁପଡା ଗାଁର ଶୁକଦେବ ମଳିକ ଓ ତାଙ୍କର ବୃଦ୍ଧା ମାଆ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଧାରଣା ଦେଇଛନ୍ତି। ତିହିଡ଼ି ପୁଲିସଠାରୁ ନ୍ୟାୟ ନପାଇବାରୁ ଉକ୍ତ ପରିବାର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଗାଁର ରାସନ ସାମଗ୍ରୀର ହେରଫେର ହେଉଥିବା ନେଇ ଦେଢ ବର୍ଷ ତଳେ ଗଣମାଧ୍ୟମରେ ଶୁକଦେବ ଖୁଲାସା କରିବା ପରେ  ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ।

କେତେକ ଲୋକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ସେ କିଛି ଦିନ ହେଲା ଗାଁ ଛାଡ଼ି ଦେଇଛନ୍ତି। ତାଙ୍କ ପରିବାର ଲୋକଙ୍କୁ ବାରମ୍ବାର ଆକ୍ରମଣ କରିବା, ଶୁକଦେବଙ୍କ ଏକ ଯାତ୍ରୀବାହୀ ଗାଡି ପୋଡିବା ସହ ତାଙ୍କ ସ୍ତ୍ରୀଙ୍କୁ ଅସଦାଚରଣ କରା ଯାଇଥିଲା। ଏନେଇ ଥାନାରେ ବହୁ ଲୋକଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଛି। ଏଯାଏଁ ଶୁକଦେବ ଗାଁକୁ ଫେରିପାରୁନାହାନ୍ତି। ଫଳରେ ଚଳିତ ବର୍ଷ ଖରିଫ୍ ଧାନ ଚାଷ ପାଇଁ ଜମିରେ ଚାଷ କରିବାକୁ ପରିବାର ଲୋକେ ଉଦ୍ୟମ କରିଥିଲେ। କିନ୍ତୁ ଗାଁର କେତେକ ଲୋକ ଧମକ ଦେଇ ଚାଷ କରାଇ ଦେଇନାହାନ୍ତି। ଫଳରେ ଚାଷ ଜମି ପଡ଼ିଆ ପଡ଼ିଛି।

ଏ ସଂକ୍ରାନ୍ତରେ ତିହିଡି ଥାନା ଆଇଆଇସିଙ୍କୁ ଜଣାଇବା ପରେ ଗାଁକୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏ ସଂକ୍ରାନ୍ତରେ ସେ ବାରମ୍ବାର ଗୁହାରୀ କରିଥିଲେ ବି ପୁଲିସ ନ୍ୟାୟ ଦେଉନି। ତେଣୁ ତାଙ୍କ ପରିବାର ପ୍ରତି ବିପଦ ଥିବାରୁ ଜିଲ୍ଲା ପ୍ରଶାସନ ଉପରେ ଭରସା କରିବା ସହିତ ପରିବାରକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର