ବଲାଙ୍ଗୀର: ନାଗରିକ କମିଟି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଆଜି ଧାରଣା ଦିଆଯାଇଥିଲା। ଆଉ ଧାରଣା ସଭାରେ ରାଜ୍ୟ ସରକାର ଓ ସ୍ଥାନୀୟ ରାଜନେତାଙ୍କ ଉପରେ ଗର୍ଜିଥିଲେ ନାଗରିକମାନେ। ଧାରଣାରେ ସାମିଲ ହୋଇଥିବା ବିଭିନ୍ନ ଅନୁଷ୍ଠାନର ନେତୃବୃନ୍ଦ କହିଥିଲେ, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ବୈମାତୃକ ମନୋଭାବ ଯୋଗୁଁ ବଲାଙ୍ଗୀରକୁ କ୍ରମାଗତ ଭାବେ ଅବହେଳା କରାଯାଉଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଧୁରିବା ପରିବର୍ତ୍ତେ ସମସ୍ୟା ବଢ଼ିଚାଲିଛି। ସବୁ ଶିକ୍ଷାନୁଷ୍ଠାନରେ ସମସ୍ୟା। ଅଧ୍ୟାପକରୁ ନେଇ କର୍ମଚାରୀ ପଦବିରେ କେହି ନାହାନ୍ତି ବୋଲି ଗଣଧାରଣା ସଭାରେ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନର ନେତୃବୃନ୍ଦ ଅଭିଯୋଗ ଉଠାଇଛନ୍ତି।
କମିଟି ସଭାପତି ଇଂ ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ସମ୍ପାଦକ ମନୋରଂଜନ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରି ସଭା ପରିଚାଳନା କରିଥିଲେ। ବିଭିନ୍ନ ଶିକ୍ଷା ଓ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଖାଲିପଡ଼ିଥିବା ପଦବି ଶୀଘ୍ର ପୂରଣ କରିବା ସହ ତାଙ୍କର ଆବଶ୍ୟକ ଜମି ଯୋଗାଇ ଦିଆଯିବାକୁ ଦାବି ହୋଇଥିଲା। ଜିଲ୍ଲାର ସର୍ବପୁରାତନ ରାଜେନ୍ଦ୍ର କଲେଜକୁ ପରେ ବିଶ୍ୱବିଦ୍ୟାଳୟ ପରିଣତ କରାଯାଇଥିବା, ସେହିପରି ମହିଳା ମହାବିଦ୍ୟାଳୟ, ବିଇଡି କଲେଜ, ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟର ସମସ୍ୟା ଅନେକ ରହିଛି। ଏହାର ସମାଧାନ କରିବାକୁ ଦାବି କରାଯାଇଥିଲା। ସେହିପରି ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ସରକାରୀ ଆୟୁର୍ବେଦିକ ହସ୍ପିଟାଲ, ଆୟୁର୍ବେଦ ଫାର୍ମାସି, ଆଇଟିଆଇର ସମସ୍ୟା ମଧ୍ୟ ଉପସ୍ଥାପନ କରି ବଲାଙ୍ଗୀରରେ ଏକ କୃଷି ବିଶ୍ୱବିଦ୍ୟାଳୟ ସହ ପଲିଟେକ୍ନିକକୁ ଉନ୍ନତୀକରଣ କରି ଟେକ୍ସଟାଇଲ ଇଞ୍ଜିନିୟରିଂ ଖୋଲିବାକୁ ଏକ ଦାବିପତ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ପ୍ରଦାନ କରାଯାଇଥିଲା।
ଧାରଣାରେ କମିଟିର ପୂର୍ବ ସଭାପତି ପ୍ରଫେସର ମଧୁସୂଦନ ପତି, ଡା. ଲକ୍ଷ୍ମୀକାନ୍ତ ମହାପାତ୍ର, ବିକ୍ରମ ବହିଦାର, ନୀଳମଣି ମିଶ୍ର, ରାହସ ବିହାରୀ ମାଝୀ, କୋଶଲ ରାଜ୍ୟ ସମନ୍ୱୟ ସମିତି ଅଧ୍ୟକ୍ଷ ପ୍ରମୋଦ ମିଶ୍ର, ବଲାଙ୍ଗୀର ଏକ୍ସନ କମିଟି ଯୁବ ସଭାପତି ବିନୋଦ କାଲସାଏ, ସ୍ୱେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ବରିଷ୍ଠ ନାଗରିକ ମଂଚର ପ୍ରଭାକର ମିଶ୍ର ଓ ମନୋରଂଜନ ମିଶ୍ର, କୋଶଲ ମୁକ୍ତିମୋର୍ଚ୍ଚା ସଭାପତି ବିକାଶ ସା, ଶ୍ରମିକ ନେତା ରବି ମିଶ୍ର, ଓବିସି ମଂଚର ପରଦେଶୀ ବିଶ୍ୱାଲ ଓ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ବଜରଂଗ ଦଳର ସୌମ୍ୟରଂଜନ ମିଶ୍ର, ପଶ୍ଚିମ ଓଡ଼ିଶା ଯୁବମଂଚର ଥବିର କର୍ମୀ, ବୀରେନ୍ଦ୍ର ପାଣ୍ଡେ, ନାରୀନେତ୍ରୀ ଶଙ୍ଖା ସାହୁ, ସ୍ମାଇଲ୍ ଫର୍ ଅଲ୍ର ସଂଜୀବ ସାହୁ, ବିଙ୍ଗ୍ ହ୍ୟୁମେନ ଫାଉଣ୍ଡେସନର ରଂଜିତ ପ୍ରଧାନ, କନ୍ଦର୍ପ ରଣା, ବିପିନ କୋଶଲିଆ, ନାଗରିକ କମିଟିର ଗୋପଭୂଷଣ ନାଥ, ମାଲିଆ ଗଡୁଆ, ପୀତବାସ ପଣ୍ଡା, ଚକ୍ରପାଣି ଦାଶ, ଅଶୋକ ମିଶ୍ର, ଧର୍ମବ୍ରତ ରଥ, ଶାନ୍ତନୁ ମିଶ୍ର, ସଲିମ ଖାନ, ଦୁର୍ଗା ପ୍ରସନ୍ନ ଛୁରିଆ ଅଂଶଗ୍ରହଣ କରିଥିଲେ। ନିତ୍ୟାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ।