ପାଣି ଓ ବିଜୁଳି ପାଇଁ ଓଏମ୍‌ସି ଅଫିସ ଘେରିଲେ

କାଳିଆପାଣି : ସ୍ଥାନୀୟ ମହିଳା ପାଣି ଓ ବିଜୁଳି ପାଇଁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) କ୍ରୋମଜୋନ ଦକ୍ଷିଣ କାଳିଆପାଣି ଓ ସୁକ୍ରଙ୍ଗି ଅଫିସ ଘେରାଉ କରିଛନ୍ତି। ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖ ଫାଟକରେ କାଳିଆପାଣି ମୌଜାର ଦେହୁରୀସାହି, ମହାନ୍ତସାହି, ପାତ୍ରସାହି ଓ ମୁଣ୍ଡାସାହିର ୭୦ ରୁ ଅଧିକ ମହିଳା ଗଣଧାରଣାରେ ବସିଥିଲେ। ସକାଳ ୭ ରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଅଫିସକୁ ଯାତାୟାତ ଠପ୍‌ ହୋଇଯାଇଥିଲା। ଓଏମ୍‌ସି ଅଧିକାରୀ, କର୍ମଚାରୀ ପ୍ରବେଶ କରିପାରିନଥିଲେ। ଅଫିସ ପରିସରରେ ଥିବା ଯାନବାହନ ବାହାରି ପାରିନଥିଲା। ମହିଳାମାନେ ଗାଁର ୨ଶହ ଏକରରୁ ଅଧିକ ଜମିକୁ ଜଳସେଚନ ଦାବି କରିଥିଲେ।

ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ସମିତିସଭ୍ୟ ସାଲୁକା ହନହାଗା, ସରପଞ୍ଚ ବିକାଶ କୁମାର ପାତ୍ର, ପୂର୍ବତନ ସରପଞ୍ଚ ଲିଲିମଣି ମହାନ୍ତ, ୱାର୍ଡମେମ୍ବର ନିର୍ମଳା ମହାନ୍ତ, ଶର୍ମିଳା ଦେହୁରୀ, ସୁଭାଷିନୀ ମହାନ୍ତ, ପାକିଲି ଦେହୁରୀ, ବୈଶାଖୀ ଦେହୁରୀ, ପାଟ ପ୍ରଧାନ, ନାରଙ୍ଗ ଦେହୁରୀ, ରସରାଣୀ ମହାନ୍ତ, କୁନି ମୁଣ୍ଡା, ଅମ୍ବି ବେହେରା, ରୀନା ସର୍ଦ୍ଦାର, ରତନି ମହାନ୍ତ, ସୁଷମା ପାତ୍ର ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଶ୍ରମିକନେତା ନାରାୟଣ ଚନ୍ଦ୍ର ଧୀର ଓ ଭରତ ଚନ୍ଦ୍ର ମହାନ୍ତ, ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ, ଖଣି ପ୍ରବନ୍ଧକ ଇଂ ନିଗମାନନ୍ଦ ସେଠୀ ଓ ଇଂ ଶାନ୍ତନୁ କୁମାର ଆଇଚ ପ୍ରମୁଖ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ମହିଳାମାନେ ନିଜ ଦାବିରେ ଅଡ଼ି ବସିଥିଲେ। ଓଏମ୍‌ସି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିର ଡି’କ୍ବାରିରୁ ଜଳ ନିଷ୍କାସନ ପ୍ରକିୟାକୁ ଯଥାଶୀଘ୍ର ଚାଲୁକରି ଚାଷଜମିକୁ ଜଳସେଚନ କରାଇବା ଦାବି କରିଥିଲେ। ପରିଚାଳନାଗତ ତ୍ରୁଟି ପାଇଁ ଗତ ଅଗଷ୍ଟ ପହିଲାରୁ ଉକ୍ତ ଖଣିରୁ ଜଳ ନିଷ୍କାସନ ପ୍ରକ୍ରିୟା ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବାରୁ ଶତାଧିକ ଏକର ଚାଷଜମି ଅତିମାତ୍ରାରେ ପ୍ରଭାବିତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।

ଅପରାହ୍ଣରେ ଆଞ୍ଚଳିକ ପ୍ରବନ୍ଧକ ଇଂ ପ୍ରସନ୍ନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉକ୍ତ ୨ ଖଣି ପ୍ରବନ୍ଧକ ଶ୍ରୀ ସେଠୀ ଓ ଶ୍ରୀ ଆଇଚ, ନିର୍ମାଣ ପ୍ରବନ୍ଧକ ଇଂ ସନ୍ତୋଷ କୁମାର ଦାଶ, କାର୍ମିକ ପ୍ରବନ୍ଧକ ଡ. ଲୋକ‌ସେବକ ଦାରାସୁକା, ଶ୍ରମିକନେତା ଶ୍ରୀ ଧୀର ଓ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଜି ଓଏମ୍‌ସି ପକ୍ଷରୁ ତୁରନ୍ତ ସଂପୃକ୍ତ କେନାଲର ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିବା ଦର୍ଶାଯାଇଥିଲା। ଆଗାମୀ ୯ ତାରିଖ ସୁଦ୍ଧା ଖଣିରୁ ନିଷ୍କାସିତ ଜଳ ଦ୍ବାରା ଗାଁର ଚାଷଜମିକୁ ଜଳ ସେଚନ କରାଯିବ ବୋଲି ରାଜିନାମା ସ୍ବାକ୍ଷରିତ ହୋଇଥିଲା। ସେହିପରି ସୁକ୍ରଙ୍ଗି କ୍ରୋମାଇଟ୍‌ ଖଣି ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ କୋଇପଶି ହାଟସ‌ାହି, ଥଟାରିସାହି ଓ ଗୁରୁଜଙ୍ଗପାଳ ଗାଁର ମହିଳାମାନଙ୍କ ପକ୍ଷରୁ ବିଜୁଳି ସରବରାହ ଦାବିରେ ଗଣବିକ୍ଷୋଭ କରାଯାଇଥିଲା। ସଇତ ଥଟାରି, ସନ୍ଧ୍ୟାରାଣୀ ଦାସ, ପାର୍ବତୀ ପାତ୍ର, ମମତା ନାୟକ, ସମ୍ବାରୀ ଦେଇ, ସୁମିତ୍ରା ମହାନ୍ତ, ନାମସି ଆଙ୍ଗରାଇ, ଶକୁନ୍ତଳା ଦେହୁରୀ, ଡଲି ପିଙ୍ଗୁଆଙ୍କ ନେତୃତ୍ବରେ ମହିଳାମାନେ ବିକ୍ଷୋଭ କରିଥିଲେ।

ଗାଁରେ ଥିବା ଟ୍ରାନ୍ସଫର୍ମର ୫ ଦିନ ଧରି ପୋଡ଼ି ଯାଇଥିବା ଦର୍ଶାଇ ସୃଷ୍ଟି ହୋଇଥିବା ବିଦ୍ୟୁତ୍‌ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ବିଦ୍ୟୁତ୍‌ ଅଭାବରୁ ପାନୀୟ ଜଳ ପ୍ରକଳ୍ପ ଅଚଳ ରହିଥିବା ଦର୍ଶାଇ ବିକଳ୍ପ ବ୍ୟବସ୍ଥାରେ ପିଇବା ପାଣି ଯୋଗାଣ ଦାବି କରିଥିଲେ। ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ସ୍ବାଇଁ ଓ ଖଣି ଉପମହାପ୍ରବନ୍ଧକ ଇଂ ମାୟାଧର ପାତ୍ରଙ୍କ ପରାମର୍ଶ କ୍ରମେ ବରିଷ୍ଠ ଖଣି ପ୍ରବନ୍ଧକ ଇଂ ସତ୍ୟଶିବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଯଥାଶୀଘ୍ର ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର