କଣ୍ଟାବାଞ୍ଜି ଜିଲ୍ଲା ଦାବିରେ ଆନ୍ଦୋଳନ, ୧୨ ଘଣ୍ଟା ବନ୍ଦ ରହିଲା ସହର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା। ସମିତିର କର୍ମକର୍ତ୍ତାମାନେ ସହରର ସମସ୍ତ ଦୋକାନ, ବଜାର, ସରକାରୀ, ବେସକାରୀ, ସ୍କୁଲ, କଲେଜ ଏବଂ ବିଭିନ୍ନ ପ୍ରତିଷ୍ଠାନ ଆଗରେ ପିକେଟିଂ କରି ବନ୍ଦ କରିଥିଲେ। ଜରୁରୀ ସେବାକୁ ବାଦ୍‌ ଦେଇ ସମସ୍ତ ଅନୁଷ୍ଠାନ ସମର୍ଥନ ଜଣାଇ ବନ୍ଦ ପାଳନରେ ସାମିଲ ହୋଇଥିଲେ। ଜିଲ୍ଲା ସଂଘର୍ଷ ସମିତି ସଭାପତି ଶେଷଦେବ ପୁଟେଲଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ପର୍ଶୁରାମ ଛକଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଲ ଶୋଭାଯାତ୍ରା ବାହାରିଥିଲା। ତହସିଲଦାର ସମୀର ରଂଜନ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିଲା।

ଆଗମୀ ୩୦ ଦିନ ଭିତରେ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ନମିଳିଲେ ଆନ୍ଦୋଳନକୁ ତୀବ୍ର କରିବା ସହ ପୁଣି ତହସିଲ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ସମିତି ଚେତାବନୀ ଦେଇଥିଲା। ଆଜିର ଏହି ଦାବିପତ୍ର ଦେବା ସମୟରେ ଜିଲ୍ଲା ସଂଘର୍ଷ ସମିତି ସଂପାଦକ ଦୁଃଖୀଶ୍ୟାମ ଗୁରୁ, ସଦସ୍ୟ ବେଦବ୍ୟାସ ନାଗ, କୁଞ୍ଜ ବିହାରୀ ବେହେରା, ନରେନ୍ଦ୍ର ସୁନା, କୈଳାସ ଦୀପ, କୋଷାଧ୍ୟକ୍ଷ ଅଜୟ ଅଗ୍ରୱାଲ, ବିଦେଶୀ ବେହେରା, ଏନ୍‌ଏସି ଅଧ୍ୟକ୍ଷ ବରିୟାମ ସିଂହ ସାଲୁଜା, ବିଜେପି ନେତା ଲକ୍ଷ୍ମଣ ବାଗ ପ୍ରମୁଖ ଉପସ୍ଥିତଥିଲେ। ବନ୍ଦ ପାଳନରେ ସ୍ଥାନୀୟ ହେମାଲ ସଂଘ, କୋଶଲ ମୁକ୍ତିମୋର୍ଚ୍ଚା, ଆଜାଦ କ୍ଲବ୍‌, ଗଣ୍ଡା ସମାଜ, ମାରୱାଡ଼ି ଯୁବମଂଚ, କଣ୍ଟାବାଞ୍ଜି ବଣିକ ମହାସଂଘ, ରିଟେଲ କିରାନା ସଂଗଠନ, ଶ୍ରୀରାମ ନବମୀ କମିଟି, ପର୍ଶୁରାମ ବାହିନୀ, ସମ୍ରାଟ ଅଶୋକ ଫାଉଣ୍ଡେସନ, ମାଳୀ ସମାଜ, ଯାଦବ ସମାଜ, ଟ୍ରକ୍‌ ମାଲିକ ସଂଘ, ଡ୍ରାଇଭର ସଂଘ, ବୁକ୍‌ଷ୍ଟୋର ସଂଘ, ନୀଳଚକ୍ର ସଫେଇ ସମାଜ, ଅନେକ ଆଦିବାସୀ ସଂଘ, ପ୍ରେସ୍‌କ୍ଲବ, ସମ୍ବାଦିକ ସଂଘ, ଓକିଲ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ବ୍ରାହ୍ମଣ ସମାଜ, ବାରିକ ସମାଜ, ଶୁଣ୍ଢି ସମାଜ ଆଦି ବହୁ ଅନୁଷ୍ଠାନ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର