କଣ୍ଟାମାଳ: କିଛି ଦିନ ତଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ରକ୍ସା ଦହ୍ୟା ପଞ୍ଚାୟତରେ ନିର୍ବାଚନୀ ହିଂସା ଘଟିଥିଲା। ତେବେ ଏହି ଘଟଣାରେ ପୁଲିସ ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରି ଶୁକ୍ରବାର ଦହ୍ୟା ପଞ୍ଚାୟତର ଶତାଧିକ ମହିଳା ମନମୁଣ୍ଡା ଥାନା ଘେରାଉ କରିଛନ୍ତି।
ଅଭିଯୋଗ ଅନୁସାରେ ଦହ୍ୟା ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସମାପନ ହୋଇଥିଲା। ନିର୍ବାଚନରେ ବିଭୂତି ଭୂଷଣ ଡାଙ୍ଗ ବିଜୟୀ ହୋଇଥିଲେ। ରଞ୍ଜନ ଜଗଦଲା ପରାଜିତ ହୋଇଥିଲେ। ବିଜୟୀ ସରପଞ୍ଚ ପ୍ରାର୍ଥୀ ଗତ ୨୭ତାରିଖରେ ପ୍ରସେସନ୍ରେ ବାହାରିଥିବା ବେଳ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଆହତ ବ୍ୟକ୍ତିମାନେ ଶ୍ରୀ ଜଗଦଲାଙ୍କ ସମର୍ଥକ ବୋଲି ଜଣା ପଡ଼ିଥିଲା। ପୁଲିସ ଘଟଣାର ତଦନ୍ତ କରି ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସାଙ୍ଘାତିକ ହେବାକୁ ବୁର୍ଲାରୁ କଟକ ସ୍ଥାନାନ୍ତର କରାଯାଇଛି।
ବର୍ତ୍ତାମାନ ୨ଜଣ ବୁର୍ଲା ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡିଛି। ଉକ୍ତ ନିର୍ବାଚନୀ ହିଂସା ଦିନ ୧୪ ରାଉଣ୍ଡ ଗୁଳି ଫୁଟିଥିଲା। ତେବେ ଆଜି କିନ୍ତୁ ରଞ୍ଜନ ଜଗଦଲା ଓ ବାବୁଲା ମଲ୍ଲିକଙ୍କ ଗିରଫ ଦାବିରେ ଶତାଧିକ ମହିଳା ଆସି ମନମୁଣ୍ଡା ଥାନା ଘେରାଉ କରିଥିଲେ। ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଉକ୍ତ ମହିଳାଙ୍କୁ ଘଟଣାର ତଦନ୍ତ କରି ଉଚିତ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ଏହି ମହିଳାମାନେ ନିଜ ଗ୍ରାମକୁ ଫେରିଯାଇଛନ୍ତି। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରା ନଗଲେ ଆଗାମୀ ଦିନରେ ୫୭ ନମ୍ୱର ଜାତୀୟ ରାଜପଥକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।