କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ହରିଚନ୍ଦନପୁର: କୁଡ଼ୁମି ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା ଦାବିରେ କୁଡ଼ୁମି ସମ୍ପ୍ରଦାୟ ପକ୍ଷରୁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ବିଭିନ୍ନ ରେଳଷ୍ଟେସନରେ ରେଳରୋକ କରାଯାଇଥିଲା। ଆନ୍ଦୋଳନର ନେତୃତ୍ୱ ପ୍ରତି ବିବାଦୀୟ ମନ୍ତବ୍ୟ ନେଇ ରାଜ୍ୟ କୁଡ଼ୁମିସେନା ପକ୍ଷରୁ ଆଜି ହରିଚନ୍ଦନପୁରରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ୱର ଟୁଡ଼ୁଙ୍କ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ରାଜ୍ୟ କୁଡ଼ୁମିସେନା ସଭାପତି ଦିବ୍ୟସିଂ ମହାନ୍ତଙ୍କ ନେତୃତ୍ୱରେ ହରିଚନ୍ଦନପୁର ବ୍ଲକ୍‌ କୁଡ଼ୁମିସେନା ପକ୍ଷରୁ ବାଳକ ଉଚ୍ଚବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ବାହାରି ଗାନ୍ଧୀଛକରେ ପହଞ୍ଚିଥିଲା। ସେଠାରେ ଏକ ପ୍ରତିବାଦ ସଭା ହୋଇଥିଲା। ପରେ କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ସହିତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଥିଲା। ଯଦି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ କ୍ଷମା ପ୍ରାର୍ଥନା ନକରନ୍ତି ତେବେ ଆଗାମୀ ଦିନରେ ସାରା ଓଡ଼ିଶାରେ ସେ ଯେଉଁ ଅଞ୍ଚଳକୁ ଯିବେ ତାଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ପ୍ରତିବାଦ ସଭାରେ କୁଡ଼ୁମିସେନାର ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଗାଚରଣ ମହାନ୍ତ, ଉପସଭାପତି ମିତ୍ରଭାନୁ ମହାନ୍ତ, ସମ୍ପାଦକ ଗୋପାଳ ଚନ୍ଦ୍ର ମହାନ୍ତ, ମଧୁସ୍ମିତା ମହାନ୍ତ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ଯଶକେଶନ ମହାନ୍ତ, ଯାଜପୁର ଜିଲ୍ଲା ସଭାପତି ଲଲାଟେନ୍ଦୁ ମହାନ୍ତ, କେନ୍ଦୁଝର ଜିଲ୍ଲା ସଭାପତି ତ୍ରିଲୋଚନ ମହାନ୍ତ, ମୟୂରଭଞ୍ଜ ଜିଲ୍ଲା ସଭାପତି ଏମ୍‌ କୁମାର ମହାନ୍ତ, ରାଜ୍ୟ ଯୁବ ସଭାପତି ଦେବାଶିଷ ମହାନ୍ତ, ସମ୍ପାଦକ ବିଶ୍ୱଜିତ ମହାନ୍ତ, ପୂର୍ଣ୍ଣିମା ମହାନ୍ତ, ଗୀତାରାଣୀ ମହାନ୍ତ, ଧରିତ୍ରୀ ମହାନ୍ତ, ରଘୁନନ୍ଦନ ମହାନ୍ତ, ରତିରଂଜନ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର