ସ୍ତ୍ରୀର ମାନ୍ୟତା ଦାବିରେ ପ୍ରେମିକଙ୍କ ଘର ଆଗରେ ପ୍ରେମିକାଙ୍କ ଧାରଣା   

ରିଆମାଳ: ପ୍ରଥମେ ପ୍ରେମ ସମ୍ପର୍କ । ତା’ପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରକ ସମ୍ପର୍କ। ଏହା ପରେ ପ୍ରତାରଣା କରିବା ସହ ଅନ୍ୟ ସ୍ଥାନରେ ବିବାହ କରିବାକୁ ଯୋଜନା । ହେଲେ ପ୍ରେମିକା ଜାଣିବା ପରେ ଭଣ୍ଡୁର ହେଲା ଯୋଜନା।  ଶେଷରେ ଯୁବକ ଜଣକ ଜେଲ୍ ଗଲେ। ପୁଣି ଯୁବକ ଜଣକ ପ୍ରେମିକାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେବା ପରେ ତାଙ୍କ ସହାୟତାରେ ଜେଲ୍‌ରୁ ବାହାରିଥିଲେ। ଏବେ ପୁଣି ବାହା ହେବାକୁ ମନା କରିବାରୁ ଶେଷରେ ପ୍ରେମିକା ଜଣକ ଯୁବକଙ୍କ ଘର ଆଗରେ ଧାରଣାରେ ବସି ସ୍ତ୍ରୀର ମର୍ଯ୍ୟାଦା ଦେବାକୁ ନିବେଦନ କରୁଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବାବରାକୋଟ ଗାଁରେ।

ସୂଚନାମତେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳର ଜଣେ ଯୁବତୀ ଓ ବାବରାକୋଟ ଗ୍ରାମର ସଞ୍ଜୟ ସାହୁ (୩୪) ମଧ୍ୟରେ ୮ ବର୍ଷ ପୂର୍ବରୁ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ବିବାହ ପ୍ରତିଶ୍ରୁତି ଦେଇ ସଞ୍ଜୟ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ସାହାଯ୍ୟ ଆଳରେ ଅଲିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଣିଥିଲା। ୨୦୧୯ ପରେ ସଞ୍ଜୟ ଅନ୍ୟତ୍ର ବିବାହ ପାଇଁ ଯୋଜନା କରୁଥିଲା ସଞ୍ଜୟ। ଯୁବତୀ ଜଣକ ଏ ସମ୍ପର୍କରେ ଜାଣି ପାରି ନାକଟିଦେଉଳ ଥାନାର ଦ୍ବାରସ୍ଥ ହୋଇଥିଲେ। ଦୁଷ୍କର୍ମ ଓ ଠକେଇ ମାମାଲାର ଏତଲା ଦେବା ପରେ ପୁଲିସ୍ ସଞ୍ଜୟକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ସଞ୍ଜୟ ଜେଲ୍ ଯାଇଥିଲେ। ଇତିମଧ୍ୟରେ ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିବି କହି ରାଜି ହେବାରୁ ତାଙ୍କ ସହାୟତାରେ ସଞ୍ଜୟ ଦେଢ ବର୍ଷ ପରେ ବେଲରୁ ବାହାରିଥିଲେ। ମାତ୍ର ପୁଣି ବିବାହ ପାଇଁ ମନା କରିବାରୁ ଶେଷରେ ଅଲି କୌଣସି ଉପାୟ ନପାଇ ସଞ୍ଜୟଙ୍କ ଘରକୁ ଆସିଛନ୍ତି।

ଦୁଇ ଦିନ ହେଲା ଘର ସମ୍ମୁଖରେ ସ୍ତ୍ରୀର ଅଧିକାର ପାଇଁ ଧାରଣାରେ ବସିଛନ୍ତି। ରିଆମାଳ ପୁଲିସ୍‌ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ସ୍ତ୍ରୀ ବୋଲି ଗ୍ରହଣ ନକରିବା ପର୍ଯ୍ୟନ୍ତ ଉଠିବି ନାହିଁ ବୋଲି ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଜାଣିବା ପରେ ସୋମବାର ସକାଳୁ ସଞ୍ଜୟ ଫେରାର୍ ରହିଛି। ଏହି ଘଟଣାରେ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

ସମ୍ବନ୍ଧିତ ଖବର