ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଚାଲିଥିବା ଧାରଣା ଶନିବାର ଚତୁର୍ଥ ଦିନରେ ବି ଜାରି ରହିଛି। ଆଇନ୍‌ଜୀବୀମାନେ କାର୍ଯ୍ୟ ବନ୍ଦ କରି ଜିଲ୍ଲା କୋର୍ଟ ସମ୍ମୁଖରେ ଧାରଣା‌େର ବସି ରହିଛନ୍ତି। ଜଜ୍‌ମାନେ ଭିତରକୁ ଯାଉଥିଲେ ବି ଓକିଲଙ୍କ ଅସହଯୋଗ କାରଣରୁ କୋର୍ଟ କାମ ସ୍ବାଭାବିକଭାବେ ହୋଇପାରୁ ନାହିଁ। ଅପରପକ୍ଷରେ ଆସନ୍ତା ୧୨ ତାରିଖ ସୋମବାର ଦିନ ହେବାକୁ ଥିବା ‘ସତ୍ୟାଗ୍ରହ’ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥି ପାଇଁ ଶନିବାର ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ବସିଥିଲା।

Advertisment

ଏଥିରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ପାଇଁ ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ସମ୍ବଲପୁର ମୁନ୍‌ସିପାଲ୍ କର୍ପୋରେସନ୍‌ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ଆସନ୍ତା ୧୨ ତାରିଖ ସୋମବାର ଦିନ କାର୍ଯ୍ୟରୁ ବିରତ ରହିବାକୁ ଆବେଦନ କରାଯାଇଥିଲା। ସେମାନେ ନିଜ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଗୁଡ଼ିକୁ ସ୍ବେଚ୍ଛାକୃତଭାବେ ବନ୍ଦ କରି ସକାଳ ୯ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବାକୁ ଥିବା ନିଖିଳ ଓଡ଼ିଶା ‘ସତ୍ୟାଗ୍ରହ’ ଓ ପ୍ରତିବାଦ ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରାଯାଇଛି। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ହେଉଥିବା ନ୍ୟାୟୋଚିତ ଦାବିର ସମର୍ଥନରେ ସବୁ ବର୍ଗର ଜନସାଧାରଣ ଏକଜୁଟ ହେବାକୁ ଓକିଲ ସଂଘ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ଆହ୍ବାନ ଦିଆଯାଇଛି।