ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଅଙ୍ଗନବାଡ଼ି କର୍ମୀ ସଂଘ

ଯାଜପୁରସଦର: ଭାରତୀୟ ମଜୁଦର ସଂଘ ସହ ଅନୁବନ୍ଧିତ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ ଯାଜପୁର ଶାଖା ପକ୍ଷରୁ ଆଜି ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ୩୭ ଦିନ ହେଲା କର୍ମୀ ଓ ସହାୟିକାମାନେ ନିଜର ହକ ପାଇଁ ରାସ୍ତା‌ରେ ବସିଥିବା ବେଳେ ସରକାର ସେମାନଙ୍କ ଦାବି ପୂରଣ ପାଇଁ ଉଦ୍ୟମ କରୁନାହିଁ। ପୁନର୍ବାର ଆଜି ସଂଘ ପକ୍ଷରୁ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରାଯାଇଛି।

ସଂଘର ଦାବି ଅନୁସାରେ ସରକାରୀ କର୍ମଚାରୀ ମାନ୍ୟତା, ସେପର୍ଯ୍ୟନ୍ତ ୧୮ ହଜାର ଦରମା ଓ ସହାୟିକାମାନଙ୍କୁ ୯ ହଜାର ଦରମା, ମିନି ଅଙ୍ଗନବାଡ଼ିକୁ ଉଚ୍ଛେଦ, ସମସ୍ତ କର୍ମଚାରୀଙ୍କୁ ଅବସରକାଳୀନ ୫ ଲକ୍ଷ ଟଙ୍କା ସହାୟତା, ମୃତ୍ୟୁକାଳୀନ ୫ ଲକ୍ଷ ସହାୟତା, ମାସିକ ୫ ହଜାର ଟଙ୍କା ପେନସନ, ଗାଁ କଲ୍ୟାଣ ସମିତି ବାଦ୍, ପ୍ରାକ୍‌-ପ୍ରାଥମିକ ମାନ୍ୟତା, ଯୋଗ୍ୟତା ଅନୁସାରେ ପଦୋନ୍ନତି, ଖରା ଛୁଟି ଲାଗୁ ଆଦି ରହିଛି। ସରକାର ସମସ୍ତଙ୍କ କଥା ଶୁଣୁଥିବାବେଳେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଅବହେଳା କରୁଛନ୍ତି। ଏହାକୁ ବିରୋଧ କରି ଆଜି ଯାଜପୁର ଶାଖା ପକ୍ଷରୁ  ସଭାନେତ୍ରୀ ସବିତା ପାଢ଼ୀ ଓ ସଂପାଦିକା କଲ୍ୟାଣୀ ମହାନ୍ତିଙ୍କ ନେତୃତ୍ବରେ ଶତାଧିକ ସହାୟିକା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଦାବି ପୂରଣ ନହେଲେ ଅନିର୍ଦିଷ୍ଟ  ସମୟ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର