ଦୁର୍ନୀତି ପ୍ରତିବାଦରେ ବ୍ଲକ ଘେରିଲେ ବିଜେଡି କର୍ମୀ

ଯାଜପୁର : ବଡ଼ଚଣା ବ୍ଲକ୍‌ରେ ବ୍ୟାପକ ଦୁର୍ନୀତିକୁ ନେଇ ବିରୋଧୀ ଦଳ ବିଭିନ୍ନ ସମୟରେ ଶାସକ ଦଳ ବିରୋଧରେ ଆନ୍ଦୋଳନ ଡକରା ଦେଉଥିବା ବେଳେ ଆଜି ଓଲଟା ଚିତ୍ର ଦେଖିବାକୁ ମିଳିଛି। ଆଜି ୪ଟି ପଞ୍ଚାୟତର ବିଜେଡି କର୍ମୀ ଓ ନେତାମାନେ ଦୁର୍ନୀତି ବିରୋଧରେ ବଡ଼ଚଣା ବ୍ଲକ୍‌ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି। ପାନୀୟ ଜଳ ଯୋଗାଣ ଦୁର୍ନୀତି ଅଭିଯୋଗରେ ମଝିପଡ଼ା ଓ କୋଲଣଗିରି ପଞ୍ଚାୟତର ପିଇଓଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। କୋଲଣଗିରି ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେହିପରି ବିଧାୟକ ଅମର ଶତପଥୀ ଗୋପାଳପୁର ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ସୁପାରିସ କରିଛନ୍ତି।

ବଡ଼ଚଣା ବ୍ଲକର ୪ଟି ପଞ୍ଚାୟତ ଗୋପାଳପୁର, ମଝିପଡା, କୋଲଣଗିରି ଓ ବରପଦା ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ଆଜି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ବିଡିଓ ଆସି ଦାବିପତ୍ର ନେବା ସହ ୭ ଦିନ ମଧ୍ୟରେ ଏହି ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ୪ ପଞ୍ଚାୟତରେ ୨୦୨୨ -୨୩ ଆର୍ଥିକ ବର୍ଷରେ ସରପଞ୍ଚ ଓ ପିଇଓମାନେ ଜାଲିଆତି କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ସରକାରୀ ନୀତି ନିୟମକୁ ଏଡାଇ ଦେଇ କୌଣସି କାଗଜପତ୍ର ନଥାଇ ସରକାରୀ ପାଣ୍ଠିକୁ ମନଇଚ୍ଛା ଉଠାଇ ନେଇଛନ୍ତି। ବରପଦା , ଗୋପାଳପୁର ଓ ମଝିପଡା ପଞ୍ଚାୟତରେ ଟ୍ୟାଙ୍କରରେ ଲୋକଙ୍କୁ ପିଇବା ପାଣି ଦେବାରେ ବ୍ୟାପକ ସରକାରୀ ଅନୁଦାନ ହରିଲୁଟ ହୋଇଛି।

ସେହିପରି କୋଲଣଗିରି ପଞ୍ଚାୟତରେ ୨୦୨୨ -୨୩ ଆର୍ଥିକ ବର୍ଷରେ କରାଯାଇଥିବା ସମସ୍ତ କାର୍ଯ୍ୟକୁ ତଦନ୍ତ କରିବା ସହିତ ରାଜୀବ ସେବା କେନ୍ଦ୍ରକୁ ଜଳଯୋଗାଣ ପାଇଁ ଏଆରଡବ୍ଲୁଏସଏସ ଯନ୍ତ୍ରୀଙ୍କ ବଦଳରେ ବ୍ଲକ ଯନ୍ତ୍ରୀ କେମିତି ବିଲ୍ କଲେ ବୋଲି ପ୍ରଶ୍ନ ଉଠାଇଥିଲେ। ସେହିପରି ଗୋପାଳପୁର ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ରକ୍ଷଣାବେକ୍ଷଣ ନାମରେ ୨ ଲକ୍ଷ ୪୭ ହଜାର ୫୦୦ ଟଙ୍କା କେଉଁଠି ଖର୍ଚ୍ଚ କରାଯାଇଛି? ସରପଞ୍ଚ ,ସମିତି ସଭ୍ୟା ରାସନକାର୍ଡ ହିତାଧିକାରୀ କେମିତି ହେଲେ? ତାହାର ତଦନ୍ତ ପାଇଁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିପିନ ଜେନା ଆଜି ଦାବି କରିଛନ୍ତି। ଏହି ୪ଟି ପଞ୍ଚାୟତରେ ଅନୁଦାନ ହେରଫେରର ତଦନ୍ତ କରିବା ସହ ଏମାନଙ୍କୁ ବହିଷ୍କାର କରିବା ପାଇଁ ପ୍ରଶାସନ ନିକଟରେ ଆଜି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଜେନାଙ୍କ ନେତୃତ୍ବରେ ତାପସ ରାୟ, ହିମାଂଶୁ ଶେଖର ଦେଓ, ଦିଲ୍ଲୀପ ସାହୁ , ସଚିଦାନନ୍ଦ ଜେନା, ନାରାୟଣ ମଲ୍ଲିକ, ଶିଶିର ସାମଲଙ୍କ ସମେତ ଶତାଧିକ ବିଜେଡି କର୍ମୀ ବିକ୍ଷୋଭରେ ସାମିଲ ଥିଲେ। ପ୍ରକାଶ ଥାଉକି ମଝିପଡା ପଞ୍ଚାୟତ ପିଇଓ ପ୍ରଶାନ୍ତ ଜେନାଙ୍କୁ ନିଲମ୍ବନ କରାଯିବା ସହିତ ବାଲିଚନ୍ଦ୍ରପୁର ଥାନାରେ ଅପରାଧିକ ମାମଲା ରୁଜୁ କରାଯାଇଛି। କୋଲଣଗିରି ପଞ୍ଚାୟତ ପିଇଓ ସଞ୍ଜିତ କରଙ୍କୁ ନିଲମ୍ବିତ କରିବା ସହ ସରପଞ୍ଚ ଜ୍ଞାନରଞ୍ଜନ ସାହୁଙ୍କୁ ୭ ଦିନିଆ କାରଣ ଦର୍ଶାଅ ନୋଟିସ୍ ଜିଲ୍ଲାପାଳ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର