ବିଜେଡି ଜିଲ୍ଲା କାର୍ଯ୍ୟାଳୟ‌ ଘେରିଲେ କର୍ମୀ

ବାଲେଶ୍ବର: ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସଙ୍କ ବିରୋଧରେ ପ୍ରଥମଥର ପାଇଁ ଆଜି ତାଙ୍କ ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି କର୍ମୀ ଓଟିରୋଡ ସ୍ଥିତ ଦଳର ଜିଲ୍ଲା କାର୍ଯ୍ୟାଳୟ ଘେରାଉ କରିଥିଲେ। ବିଧାୟକଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଥିବା ଏହି କର୍ମୀମାନେ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିବାକୁ ଆସିଥିବା ଜଣାଯାଇଥିଲା।

ସୂଚନା ଥାଉକି, ଗତ ୨୨ ତାରିଖରେ ବାଲେଶ୍ବର ସଦର ବ୍ଲକ ପରିସରରେ ପଞ୍ଚାୟତ ବୈଠକ ଚାଲିଥିଲା। ଅପରାହ୍ନ ପ୍ରାୟ ୪ଟା ବେଳେ ବୈଠକ ସରିବା ପରେ ସଦର ବିଧାୟକ ସ୍ବରୂପ କୁମାର ଦାସ ବାହାରେ ଛିଡ଼ା ହୋଇଥିଲେ। ଏହି ସମୟରେ ଓଡ଼ିଙ୍ଗୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରବିନାରାୟଣ ପାଣିଗ୍ରାହୀ ତାଙ୍କୁ ଭେଟି ତାଙ୍କ ଅଞ୍ଚଳରେ ହୋଇଥିବା ଏକ ପାନୀୟଜଳ ପ୍ରକଳ୍ପକୁ ସେ କେବେ ଉଦ୍‌ଘାଟନ କରିବେ ବୋଲି ପଚାରିଥିଲେ। ‌ଏହାପ‌େର ବିଧାୟକ ଶ୍ରୀ ଦାସ ତାଙ୍କୁ ଦଳବିରୋଧୀ ଲୋକ ବୋଲି ସମ୍ବୋଧିତ କରି ବିଜେଡିରେ ଥାଇ ଗତ ନିର୍ବାଚନରେ ବିଜେଡି ବିରୋଧରେ କାମ କରିଥିବାରୁ ସେ କୌଣସି ପ୍ରକାର ସାହାଯ୍ୟ କରିପାରିବେ ନାହିଁ ବୋଲି କୁଆଡ଼େ ରୋକଠୋକ୍‌ ମନା କରିଦେଇଥିଲେ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇ ଶେଷରେ ବିଧାୟକ ଶ୍ରୀ ଦାସ ‌ନିଜ ଘରକୁ ଚାଲି ଆସିଥିଲେ। ଏହାପରେ ବିଧାୟକଙ୍କର ୨ ସମର୍ଥକ କିଛି ଅସାମାଜିକ ଯୁବକଙ୍କୁ ଧରି ସେଠାରେ ପହଞ୍ଚି ସମ୍ପୃକ୍ତ ପୂର୍ବତନ ସରପଞ୍ଚଙ୍କୁ ମାଡ଼ ମାରିବା ସହ ତାଙ୍କୁ ବଳପୂର୍ବକ ଉଠାଇ ବିଧାୟକଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ବିଧାୟକ ଶ୍ରିୀ ଦାସଙ୍କ ଉପସ୍ଥିତିରେ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରାଯିବା ସହ ବିଧାୟକଙ୍କ ଇସାରାରେ ମାଡ଼ ମରାଯାଇଥିଲା। ଶ୍ରୀ ପାଣିଗ୍ରାହୀ ସେଠାରୁ ଆସି ତାଙ୍କ ପଞ୍ଚାୟତର କର୍ମୀ ଓ ନେତାଙ୍କ ସହ ଏ ବାବଦରେ କଥା ହୋଇ ଜିଲ୍ଲା ସଭାପତିଙ୍କୁ ଜଣାଇଥିଲେ। ଏହି ଘଟଣାକୁ ଇତିମଧ୍ୟରେ ସପ୍ତାହେ ବିତିଯାଇଥିବା ବେଳେ ଦଳ ତରଫରୁ ବିଧାୟକଙ୍କ ଏ ପ୍ରକାର କାର୍ଯ୍ୟକଳାପ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ତେବେ ଆଜି ଓଡ଼ିଙ୍ଗୀ ପଞ୍ଚାୟତର ଶତାଧିକ କର୍ମୀ ବିଧାୟକ ଶ୍ରୀ ଦାସଙ୍କ ବିରୋଧରେ ବ୍ୟାନର ଧରି ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଘେରାଉ କରିଥିଲେ। ପ୍ରାୟ ଦେଢ଼ଘଣ୍ଟାରୁ ଅଧିକ ସମୟ ଧରି କର୍ମୀମାନେ ସେଠାରେ ଅପେକ୍ଷା କରିବା ପରେ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା କୌଣସି କାମରେ ବାହାରକୁ ଯାଇଥିବାରୁ ସେମାନଙ୍କ ନିକଟରେ ପହଞ୍ଚି ପାରିବେନି ବୋଲି ଜଣାଇଥିଲେ। ଅସନ୍ତୁଷ୍ଟ କର୍ମୀମାନେ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସୁ‌ପ୍ରିମୋଙ୍କ ନିକଟକୁ ବିଧାୟକଙ୍କ ବିରୋଧରେ ଆଣିଥିବା ଲିଖିତ ଅଭିଯୋଗ ଶ୍ରୀ ଜେନାଙ୍କ ବ୍ୟକ୍ତିଗତ ସହାୟକ ସାଗର ଦାସ ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ଏନେଇ ବିଧାୟକ ଶ୍ରୀ ଦାସ କହିଛନ୍ତି ତାଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଥିବା ଲୋକମାନେ କେହି ତାଙ୍କ ଦଳର କର୍ମୀ ନୁହନ୍ତି। ବିଜେଡିର ଲୋକପ୍ରିୟତା ଏବଂ ତାଙ୍କ କାର୍ଯ୍ୟଧାରା ପ୍ରତି ଈର୍ଷାନ୍ବିତ ହୋଇ କିଛି କୁଚକ୍ରୀଗୋଷ୍ଠୀ ଏପରି ଷଡ଼୍‌ଯନ୍ତ୍ର ରଚିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର