ଉନ୍ନୟନମୂଳକ କାର୍ଯ୍ୟରେ ଅସହଯୋଗ ପ୍ରତିବାଦରେ ବିଜେପିର ବ୍ଳକ୍‌ ଅଫିସ୍‌ ଘେରାଉ

ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ 

ଭଞ୍ଜନଗର : ଭଞ୍ଜନଗର ବ୍ଲକ୍‌ର ୧୧ଟି ପଞ୍ଚାୟତର ସମିତିସଭ୍ୟ ଓ ୧୦ ଟି ପଞ୍ଚାୟତର ସରପଞ୍ଚମାନଙ୍କୁ ପଞ୍ଚାୟତରେ କୌଣସି ଉନ୍ନୟନମୂଳକ କାର୍ଯ୍ୟରେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ସହଯୋଗ କରାଯାଉଥିବା ବ‌ିଜେପି ପକ୍ଷରୁ ଅଭିଯୋଗ ଆଣିଛି। ଏହି ପରିପ୍ରେକ୍ଷୀରେ ଆଜି ଦଳ ପକ୍ଷରୁ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ବିଜେପିର ବହୁ ନେତା ଓ କର୍ମୀ ବ୍ଲକ୍‌ କାର୍ଯ୍ୟାଳୟ ଭିତରକୁ ଧସେଇ ପସିବା ସହ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟମାନେ ପୂର୍ବରୁ ବିଜେପି ନେତାଙ୍କ ସହ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ସେମାନେ ନିର୍ବାଚିତ ହୋଇଥିଲେ ମଧ୍ୟ ପଞ୍ଚାୟତମାନଙ୍କରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ଆଗେଇ ପାରୁନାହିଁ। ପଞ୍ଚାୟତ ଗୁଡ଼ିକରେ ଗ୍ରାମସଭା ଏବଂ ପଲ୍ଲୀସଭା କରାଯାଇ ତାହାକୁ ନିର୍ଦ୍ଧାରଣ କରି ଭତ୍ତା ପଞ୍ଚାୟତ ଗୁଡ଼ିକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଲିଖିତ ଭାବେ ଦିଆଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରୁନଥିବା ଅଭିଯୋଗ କରିଥିଲେ।

ଭତ୍ତା ଓ ସରକାରୀ ଗୃହ ସହାୟତା ପ୍ରଦାନ କରିବା ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେଉଥିବା ଅଭିଯୋଗ କରି ଧାରଣା ଦେଇଥିଲେ। ବିଜେପି ପକ୍ଷରୁ ବ୍ଳକ୍‌ କାର୍ଯ୍ୟାଳୟ ପରିସରରେ ରୋଷେଇ କରି ଅହୋରାତ୍ର ଧାରଣା ଦେବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ପୁଲିସ୍‌ ବୁଝାସୁଝା କରିବା ପରେ ରୋଷେଇ କାର୍ଯ୍ୟ ବାହାର କରାଯାଇଥିଲା। ଏଥିସହ ଦୀର୍ଘ ୩ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଆନ୍ଦୋଳନ ଜାରି ରହିଥିବା ବେଳେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ,ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ଥାନା ଅଧିକାରୀ ଧୀରେଶ ଦାସ, ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ, ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ ଆନ୍ଦୋଳନରୁ ହଟିବା ପାଇଁ ବିଜେପି ନେତା ଓ କର୍ମୀଙ୍କୁ ବୁଝାଶୁଝା କରିଥିଲେ।

କିଛି ସମୟ ପାଇଁ ବ୍ଲକ୍‌ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ଉପଜିଲ୍ଲାପାଳ ଶ୍ରୀ ରାୟ ବିଭିନ୍ନ ଭତ୍ତା ପାଇଁ ପଞ୍ଚାୟତ ପ୍ରତିନିଧି ସହ ଆଲୋଚନା କରି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଥିବା ‌ବ‌ିଜେପି କର୍ମୀମାନଙ୍କୁ କହିଥିଲେ। ଏଥିସହ ଏକ ମାସ ମଧ୍ୟରେ ସମସ୍ତଙ୍କୁ ଭତ୍ତା ପ୍ରଦାନ ଦିଗରେ ପଦ‌କ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ନେତା ଓ କର୍ମୀ ମାନେ ଅ‌ନ୍ଦୋଳନରୁ ଓହରି ଥିଲେ। ଏଥିରେ ବରିଷ୍ଠ ବିଜେପି ନେତା ପ୍ରଦ୍ୟୁମ୍ନ ନାୟକ,ବିନାୟକ ତ୍ରିପାଠୀ,ଘୁମୁସର ଜିଲ୍ଲା ବିଜେପି ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର, ସନ୍ତୋଷ ତିଆଡି, ନୀଳମାଧବ ପାତ୍ର, ସୁବାସ ବରାଡ, ଉଦ୍ଧବ ମିଶ୍ର, ଲକ୍ଷ୍ମଣ ନାୟକ, ହୃଷିକେଶ ପ୍ରଧାନ, ରବୀନ୍ଦ୍ର ଗୌଡଙ୍କ ସମତେ ବିଜେପି ସମର୍ଥୀତ ସରପଞ୍ଚ, ସମିତିସଭ୍ୟ ଓ ବହୁକର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର