ଧାନ କିଣା ସମସ୍ୟାର ସମାଧାନ ହେଉନି, ସିଏସ୍‌ଓ ଅଫିସ୍‌ରେ ବିଜେପିର ଧାରଣା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଧାନ କିଣା ସମସ୍ୟାର କୌଣସି ସମାଧାନ ହୋଇପାରୁ ନାହିଁ। ଏହାକୁ ନେଇ ବିଜେପି କର୍ମକର୍ତ୍ତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ସିଏସ୍‌ଓ ଅଫିସ୍‌ରେ ଧାରଣା ଦେଇଛନ୍ତି। ପରେ ଯୋଗାଣ ଅଧିକାରୀଙ୍କୁ ଭେଟି ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ବର୍ତ୍ତମାନ ମଧ୍ୟ ଜିଲ୍ଲାର ବିଭିନ୍ନ ମଣ୍ଡିରେ ବହୁ ଧାନ ପଡ଼ି ରହିଥିବା ବେଳେ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯାଉ ବୋଲି ଦାବି କରାଯାଇଛି।

ଆବଶ୍ୟକ ଟାର୍ଗେଟ ମିଳୁନଥିବାରୁ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ସମସ୍ତ ଚାଷୀଙ୍କ ସବୁ ଧାନ କିଣିବା ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି। ତେବେ ବର୍ତ୍ତମାନ ୭୩ ହଜାର କ୍ବିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଛି। ବିଭିନ୍ନ ମଣ୍ଡିର ଧାନ ପରିମାଣକୁ ଦେଖି ଆଜି ହିଁ ଟାର୍ଗେଟ ଦେଇ ଦିଆଯିବ। ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଉଛି। ସମସ୍ତ ଚାଷୀଙ୍କ ଧାନ ନିଶ୍ଚୟ ଉଠିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିଜେପି କର୍ମକର୍ତ୍ତା ଧାରଣାରୁ ଉଠିଥିଲେ। ଏହି ଧାରଣାରେ ବିଜେପି ନେତା ରତନ ଚନ୍ଦ୍ରକାର, ବେଲଟୁକରି ସରପଞ୍ଚ ଚନ୍ଦ୍ରଶେଖର ଚନ୍ଦ୍ରକାର, କୁଲଞ୍ଜନ ଅହୀର, ଭକ୍ତବନ୍ଧୁ ଧରୁଆ, ସତ୍ୟବାନ ଦାସ, ବୁଲୁ ବିଶି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର