ଭବାନୀପାଟଣା: କଳାହାଣ୍ଡି ସିଟିଜେନ୍ ଫୋରମ୍ ପକ୍ଷରୁ ୮ଦଫା ଦାବି ନେଇ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଭବାନୀପାଟଣା କୃଷି ମହାବିଦ୍ୟାଳୟ ନିକଟରେ ଥିବା ମଦଭାଟିର ସ୍ଥାନାନ୍ତର, କଳାହାଣ୍ଡିକୁ ରେଳ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି, ଭବାନୀପାଟଣା ମ୍ୟୁନିସିପାଲିଟିର କାର୍ଯ୍ୟକାରିତା ଗୁଣବତ୍ତା କ୍ଷେତ୍ରରେ ରାସ୍ତା ଓ ନାଳି ନିର୍ମାଣ କରିବା, ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ପାଇଁ ଏକ ନାଗରିକ ଉପଦେଷ୍ଟା କମିଟି ଗଠନ, ଜିଲ୍ଲାର ଆଦିବାସୀପ୍ରବଣ ଅଞ୍ଚଳକୁ ରାସ୍ତାଘାଟ ସଂଯୋଗୀକରଣ, ସରକାରୀ ମେଡିକାଲ୍ କଲେଜର କାର୍ଯ୍ୟାନ୍ବୟନ, କଳାହାଣ୍ଡିରେ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ, ଜିଲ୍ଲାରେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଉନ୍ନତୀକରଣ ନିମନ୍ତେ ୧୨ ଦଫା ଦାବି ଫୋରମ୍ ପକ୍ଷରୁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିଲେ।
ଶୁକ୍ରବାର ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏହି ଧାରଣାକୁ କଳାହାଣ୍ଡି ବାର୍ ଆସୋସିଏସନ୍, ଶିକ୍ଷା ବିକାଶ ପରିଷଦ, ବଣିକ ସଂଘ ଓ ଗଣମାଧ୍ୟମ ସମୂହ ସମର୍ଥନ କରିଥିଲେ। ଫୋରମ୍ର ସଭାପତି ରାମଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବାର୍ ଆସୋସିଏସନ୍ର ଜଗନ୍ନାଥ ମୁଣ୍ଡ, ଶିକ୍ଷା ବିକାଶ ପରିଷଦର କୃଷ୍ଣାବତାର ଦେଓ ଓ ସିଟିଜେନ୍ ଫୋରମର କର୍ମକର୍ତ୍ତା ଉଦ୍ବୋଧନ ଦେଇଥିଲେ। ଶେଷରେ ସିଟିଜେନ୍ ଫୋରମର ଭାରତ ଭୂଷଣ ଚଲାନ ଧନ୍ୟବାଦ ଦେଇଥିଲେ। ପରେ ୮ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।