ସଇନ୍ତଳା: ବ୍ଲକ୍‌ ଅଫିସ ଘେରିଲେ ବଞ୍ଚିତ ହିତାଧିକାରୀ

ସଇନ୍ତଳା: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା କରାଯାଇଥିବା ଅଭିଯୋଗ କରି ସଇନ୍ତଳା ବ୍ଲକ୍‌ କଅଁସର ଗ୍ରାମବାସୀ। ଏହାର ପ୍ରତିବାଦରେ ସୋମବାର ‌ଯୋଜନାରୁ ବଞ୍ଚିତ ଏହି ଗାଁର ହିତାଧିକାରୀମାନେ ବ୍ଲକ୍‌ ଅଫିସ ଘେରାଉ କରିଥିଲେ। ସୋମବାର ଏହି ପଂଚାୟତରେ ଗ୍ରାମସଭା ଅନୁଷ୍ଠିତ ହେବାକୁ ଯାଉଥିଲା। ଆବାସ ଯୋଜନାରୁ ବଂଚିତ ଯୋଗ୍ୟ ହିତାଧିକାରୀମାନେ ପଂଚାୟତ ଅଫିସରେ ତାଲା ପକାଇଦେଇଥିଲେ। ଫଳରେ ଗ୍ରାମସଭା ହୋଇପାରି ନଥିଲା। ଏହା ପରେ ଶତାଧିକ ହିତାଧିକାରୀ ବ୍ଲକ୍‌ କାର୍ଯ୍ୟାଳୟକୁ ଆସି ବ୍ଲକ୍‌ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ।

ଏହି ପଂଚାୟତକୁ ମାତ୍ର ୮ଟି ଆବାସ ଯୋଜନା ଘର ଆସିଥିବା ବେଳେ ବହୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଥିବାରୁ ଅସନ୍ତୋଷ ବ୍ୟକ୍ତ କରି ବ୍ଲକ୍‌ ପ୍ରଶାସନକୁ ଜବାବ ମାଗିଥିଲେ। ପରେ ସେମାନେ ବିଡିଓ ଚନ୍ଦ୍ରମଣି ନାଗଙ୍କୁ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ଆବାସ ପ୍ରଦାନ କରିବାକୁ ଏକ ଦାବିପତ୍ର ଦେଇଥିଲେ। ଆଗାମୀ ୧୫ଦିନ ମଧ୍ୟରେ ପଦକ୍ଷେପ ନନେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି। ଦାବିପତ୍ର ଦେବା ସମୟରେ କାମଦେବ ଭୋଇ, ହୀରାଧର ଗହୀର, ଧୁବଳେ ଚନ୍ଦନ, ନେପାଳ ସାହୁ, ସରୋଜ ରଣା, ତୀର୍ଥ ରଣା, ପ୍ରମୋଦ ଦାସ, ସଭ୍ୟା ରଣାଙ୍କ ସହ ଶତାଧିକ ହିତାଧିକାରୀ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର