ଯାଜପୁରଟାଉନ/ସଦର : ୧୦ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରାଯାଇଛି। ଯାଜପୁର-ଷଠିପୁର ରାସ୍ତାର ମକେଇପୁରଠାରେ ଓ ବରୁଆଁ-କୁଆଖିଆ ରାସ୍ତାର ଗଜିପାଢ଼ୀ ଛକ ନିକଟରେ ରାସ୍ତା ଉପରେ ଡ୍ରାଇଭର ମହାସଂଘର ସଦସ୍ୟ ଓ କର୍ମକର୍ତ୍ତା ଧାରଣାରେ ବସି ରହିଛନ୍ତି। ସଦର ଅଞ୍ଚଳରେ ଥିବା ୧୬ଗୋଟି ପଞ୍ଚାୟତର ୧୩ଗୋଟି ଆଞ୍ଚଳିକ ଡ୍ରାଇଭର ସଂଘରେ ଥିବା ୧୧୧୨ଜଣ ସଭ୍ୟଙ୍କ ମଧ୍ୟରୁ ପ୍ରାୟ ୯୫୦ଜଣ ସଭ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେହିପରି ମକେଇପୁର ଛକ ନିକଟରେ ୫ଶହରୁ ଊର୍ଦ୍ଧ୍ୱ ଡ୍ରାଉଭର ମହାସଂଘର ସଦସ୍ୟ ରାସ୍ତା ଉପରେ ଧାରଣା ଦେଇଥିଲେ। ବସ୍ ଓ ଛୋଟ ଯାତ୍ରୀବାହୀ ଯାନ ବନ୍ଦ ରହିବା ଦ୍ବାରା ଅନେକ ଯାତ୍ରୀ ସମସ୍ୟାରେ ପଡ଼ିଥିଲେ। ବହୁ ସାଧାରଣ ଲୋକ ଓ ଯାତ୍ରୀ ଗନ୍ତବ୍ୟସ୍ଥଳକୁ ଯାଇନପାରି ହଇରାଣ ହେଉଥିବା ଦେଖାଯାଇଥିଲା। କିଏ ନିଜ ଜିନିଷପତ୍ର ମୁଣ୍ଡାଇ ତ ପୁଣି ଆଉ କେହି ନିଜ ବ୍ୟାଗ୍ ଧରି ଚାଲିଚାଲି ଯାଉଥିଲେ। ଅବଶ୍ୟ ଧାରଣା ସମୟରେ ଅତ୍ୟାବଶ୍ୟକ ଗାଡ଼ି, ଜରୁରି ସେବାରେ ନିୟୋଜିତ ଗାଡ଼ି, ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ଗାଡ଼ି ସ୍ୱାଭାବିକ ଚଳାଚଳ କରିଥିଲା। ଅନ୍ୟ ଗାଡ଼ିର ଚକ ଗଡ଼ିନଥିଲା। ଜିଲ୍ଲାରେ ୧୪ ଟି ସ୍ଥାନରେ ଆନ୍ଦୋଳନ ହୋଇଥିବାବେଳେ ପ୍ରାୟ ୩୦ ହଜାର ଡ୍ରାଇଭର ଏଥିରେ ସାମିଲ ହୋଇଥିଲେ।
ସଦର ସଂଗଠନର ସଭାପତି ଉପମନ୍ୟୁ ପତି, ସମ୍ପାଦକ ଦିଗମ୍ବର ସାହାଣି, ଉପସଭାପତି ଗଣେଶ ଚନ୍ଦ୍ର ଜେନା, କୋଷାଧ୍ୟକ୍ଷ ବୃନ୍ଦାବନ ମଲ୍ଲିକ ଓ ଶଶୀକାନ୍ତ ବେହେରାଙ୍କ ନେତୃତ୍ୱରେ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ଧାରଣା ଦେଇଥିଲେ। ଦାବି ପୂରଣ ନ ହେଲେ ଅନିର୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯାଜପୁର ଆରକ୍ଷୀ ଅଧୀକ୍ଷକ ଭିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର-ଷଠିପୁର ରାସ୍ତାର ଆନ୍ଦୋଳନ ସ୍ଥଳରେ ଥାନାଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ବରୁଆଁ-କୁଆଖିଆ ରାସ୍ତାର ଗଜିପାଢ଼ୀ ଛକରେ ସଦର ଥାନାଧିକାରୀ ଦାୟିତ୍ୱରେ ଥିବା ଏସ୍ଆଇ ମନୋରଞ୍ଜନ ଦାସଙ୍କ ନେତୃତ୍ୱରେ ପୁଲିସ ମୁତୟନ ହୋଇଥିଲେ।
କ’ଣ ରହିଛି ଦାବି?
ଡ୍ରାଇଭରଙ୍କୁ କରୋନା ଯୋଦ୍ଧା ମାନ୍ୟତା, ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ, ୫୫ ବର୍ଷ ପରେ ମାସକୁ ୫ହଜାର ପେନ୍ସନ୍, ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ପ୍ରଦାନ, ଗାଡ଼ି ପାର୍କିଂ ଏବଂ ଡ୍ରାଇଭରଙ୍କ ବିଶ୍ରାମ ନେବା ପାଇଁ ବିଶ୍ରାମଗୃହ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ବୀମାରାଶି ଓ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କାର ବୀମା ରାଶି, ଦୁର୍ଘଟଣାଜନିତ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ, ଗାଡ଼ି ଚଳାଇବା ପାଇଁ ସମୟସୀମା ଧାର୍ଯ୍ୟ, ଦ୍ୱିତୀୟ ସୈନିକର ମାନ୍ୟତା, ସେମାନଙ୍କ ପିଲାଙ୍କ ଉଚ୍ଚଶିକ୍ଷା ବ୍ୟବସ୍ଥା, ରାସ୍ତା ଉପରେ ପ୍ରଶାସନ ପକ୍ଷରୁ ଡ୍ରାଇଭରଙ୍କୁ ହଇରାଣ ନ କରିବା, ଲାଇସେନ୍ସ ପାଇଁ ସରକାର ଯେଉଁ ୧୫ ହଜାର ଟଙ୍କା ରଖିଛନ୍ତି, ତାକୁ ପରିବର୍ତ୍ତନ କରିବା ଆଦି ୧୦ ଦଫା ଦାବି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/21-12.jpg)