ପୁଣି ଓଡ଼ିଶା ଡ୍ରାଇଭର୍ ମହାସଂଘର ଆନ୍ଦୋଳନ: ଦଣ୍ଡବତ କରିକି ରାଜଧାନୀରେ ପହଞ୍ଚିଲେ ଗାଡ଼ିଚାଳକ

ଭୁବନେଶ୍ବର: ଆଜି ପୁଣି ରାଜଧାନୀରେ ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏଥିଲାଗି ଭୁବନେଶ୍ବରରେ ପହଁଞ୍ଚିଛନ୍ତି ଶହଶହ ଗାଡ଼ି ଚାଳକ। ୧୧ ଦଫା ଦାବିରେ ଆନ୍ଦୋଳନରତ ଚାଳକମାନେ ଆଜି ଦଣ୍ଡବତ କରିକି ଭୁବନେଶ୍ବରରେ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏନେଇ ରାଜଧାନୀରେ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା। ନବୀନନିବାସ ଅଭିମୁଖେ ମହାସଂଘର ହଜାର ହଜାର ସଦସ୍ୟ ପଦଯାତ୍ରା କରିଥିଲେ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଦଯାତ୍ରା କରି ଭୁବନେଶ୍ୱର ଆସିଥିଲେ ଡ୍ରାଇଭର। କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଭତ୍ତା ପ୍ରଦାନ କରିବାକୁ ଦାବି କରିଛି ସଂଘ। ଡ୍ରାଇଭରଙ୍କ ଲାଇସେନ୍ସ ୨୫ ବର୍ଷରେ ରଦ୍ଦ ହୋଇଥିବା ନିୟମକୁ ପରିବର୍ତ୍ତନ କରିବାକୁ ଦାବି କରିଛି ମହାସଂଘ। ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି ଦାବି କରିଛି ମହାସଂଘ। ୬୦ ବର୍ଷ ପରେ ପେନସନ ଦେବାକୁ ବି ଦାବି ହୋଇଛି।


ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳମାନଙ୍କୁ ଦାବି ଜଣାଇଥିଲା ମହାସଂଘ। ଏପର୍ଯ୍ୟନ୍ତ କୌଣସି ବିହିତ ପଦକ୍ଷେପ ନିଆଯାଇନଥିବାରୁ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରୁଛି ଓଡ଼ିଶା ଡ୍ରାଇଭର ମହାସଂଘ।

ସମ୍ବନ୍ଧିତ ଖବର