ବୀମା କମ୍ପାନି ବିରୋଧରେ ତାତିଲେ ଚାଷୀ, ରାସ୍ତାରୋକ, ସୋହେଲା ବନ୍ଦ

ସୋହେଲା: ୨୦୨୧ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ଚାଷୀଙ୍କଠାରୁ ପ୍ରିମିୟମ ନେଇ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ସୋହେଲା ବ୍ଲକ୍‌ର ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନରେ ଏଚ୍‌ଡିଏଫ୍‌ସି ଏରଗୋ କମ୍ପାନି ଟାଳଟୁଳ ନୀତି ଅବଲମ୍ବନ କରୁଛି। ବୀମା ପ୍ରସ୍ତାବକୁ ରିଜେକ୍ଟ, ରିଭର୍ଟ ଓ ପେଣ୍ଡିଙ୍ଗ ପରି ବିଭିନ୍ନ ଆଳ ଦେଖାଇ ହଜାର ହଜାର ଚାଷୀଙ୍କୁ ବୀମାରୁ ବାଦ ଦେବାକୁ ଉଦ୍ୟମ ଚଳାଇଛି। ଏହା ପ୍ରତିବାଦରେ ସୋହେଲା ବ୍ଲକ୍‌ରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ପ୍ରତିବାଦ ସ୍ବରୂପ ଶୁକ୍ରବାର ସୋହେଲା ବ୍ଲକ୍‌ କୃଷକ ବିକାଶ ମଞ୍ଚ ଆହ୍ବାନକ୍ରମେ ବିଭିନ୍ନ ଗ୍ରାମରୁ ହଜାର ହଜାର ଚାଷୀ ଆସି ସକାଳ ୭ଟାରୁ ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେ ଏବଂ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଅନ୍ୟପଟେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଆଜି ସୋହେଲା ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଫଳରେ ଯାନବାହନ ଚଳାଚଳ ସଂପୂର୍ଣ ବନ୍ଦ ରହିଥିବା ବେଳେ ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଥିଲା।

ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପୋ ସୋହେଲାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ବୀମାରୁ ବାଦ ପଡ଼ିଥିବା ଚାଷୀଙ୍କ ବଂଶାବଳୀ ଏବଂ ନୂଆ ତାଲିକା ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତ କରା ଯାଉଥିବା ଏବଂ ଏହି କାର୍ଯ୍ୟ ପାଇଁ ସମୟ ଲାଗୁଥିବା ସେ ଚାଷୀଙ୍କୁ କହିବା ସହ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ। ମାତ୍ର ବୀମା କମ୍ପାନି ତା’ର ୱେବ୍‌ସାଇଟ୍‌କୁ ବହୁ ଦିନ ପୂର୍ବରୁ ବନ୍ଦ କରି ଦେଇଥିବାରୁ ସଂଶୋଧନ ହୋଇ ପାରୁନଥିବା ଦର୍ଶାଇ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଯେତେ ଚାଷୀଙ୍କଠାରୁ ବୀମା କମ୍ପାନି ଟଙ୍କା ନେଇଛି ସମସ୍ତଙ୍କୁ ବୀମା ରାଶି ପ୍ରଦାନ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଡ଼ି ବସିଥିଲେ। କୃଷକ ବିକାଶ ମଞ୍ଚ କାର୍ଯ୍ୟକାରୀ ସଭାପତି ମନୋହର ମାଝୀଙ୍କ ନେତୃତ୍ୱରେ ଚାଲିଥିବା ଏହି ରାସ୍ତାରୋକ ଆନ୍ଦୋଳନକୁ ସ୍ଥାନୀୟ ଓକିଲ ସଂଘ, ବ୍ୟବସାୟୀ ସଂଘ, ଗାଡ଼ି ମାଲିକ ଓ ଗାଡ଼ି ଚାଳକ ସଂଘ ତଥା ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି।

ଏଥି ସହ ବ୍ଲକର ସମସ୍ତ ୨୭ଟି ପଞ୍ଚାୟତରୁ ନିର୍ବାଚିତ ଜନ ପ୍ରତିନିଧିଙ୍କ ସହ ପ୍ରାୟ ୩ ହଜାର ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ କୃଷକ ବିକାଶ ମଞ୍ଚ ସଭାପତି ଜୟକୃଷ୍ଣ ସାହୁ, ସଂପାଦକ ହେମଚନ୍ଦ୍ର ପଧାନ, ପଞ୍ଚାନନ ଦଳପତ, ଯୁଧିଷ୍ଠିର ନାୟକ, ଓକିଲ ସଂଘ ସଭାପତି ସୁରେନ୍ଦ୍ରନାଥ ପଣ୍ଡା, ପୂର୍ବ ବ୍ଲକ୍‌ ଅଧ୍ୟକ୍ଷ ସୁବ୍ରତ ବେହେରା, ବ୍ଲକ ଉପାଧ୍ୟକ୍ଷ ଦିବ୍ୟ ପଧାନ, ଦୟାନିଧି ପଟେଲ, ଚୈତନ୍ୟ ବେହେରା, ମାର୍କଣ୍ଡ ସା, ବିମଳ ସାହୁ, ନିଲୁ ଝାଙ୍କର, କପିଳ ଥପା, ରବି ଶଙ୍କର ପଧାନ, ଲାଲ ପଧାନ, ନନ୍ଦୀ ଭୋଇ, ଦୀପକ ପଧାନ, ମଧୁ ମଙ୍ଗଳ ପଧାନ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର