ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରସ୍ଥ ବିର୍ସା ଷ୍ଟୋନ୍‌ ଲାଇମ୍‌ ଲିମିଟେଡ୍‌(ବିଏସ୍‌ଏଲ୍‌) କମ୍ପାନି ଜିଓ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ୭ ଦଫା ଦାବିନେଇ ବୀରମିତ୍ରପୁର ମଜଦୁର ମଞ୍ଚ ପକ୍ଷରୁ ଧାରଣା ପ୍ରଦର୍ଶନ କରାଯାଇଥିଲା। ମଞ୍ଚ ସଭାପତି ତଥା ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣାରେ ଉପସଭାପତି ସାଜିଦ ଅହମ୍ମଦ, ସାଧାରଣ ସମ୍ପାଦକ ସନ୍ଦୀପ ସାମନ୍ତରାୟ, ଯୁବନେତା ରୋହିତ ଜୋସେଫ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ। ୧୭ ମାସ ଧରି କମ୍ପାନି କର୍ମଚାରୀଙ୍କୁ ଦରମା ଦେଇନଥିବା, ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ପ୍ରଦାନରେ ଟାଳଟୁଳ, ଅବସର ଗ୍ରହଣ କରୁଥିବା କର୍ମଚାରୀମାନେ ପ୍ରାପ୍ୟ ପାଉନଥିବାବେଳେ ସେମାନଙ୍କ ନିକଟରୁ ଜୋରକରି ଅଢ଼େଇହଜାର ଟଙ୍କା କାଟିବା, ଶ୍ରମିକଙ୍କ ସ୍ୱାସ୍ଥ୍ୟ ସୁବିଧା ପାଇଁ ଏଠାରେ ଥିବା କମ୍ପାନି ଡାକ୍ତରଖାନାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେବା, ସ୍ଥାନୀୟ ନିଯୁକ୍ତି କରାନଯାଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଉଥିବା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଥିଲା।

Advertisment

୧୫ ଦିନ ହେଲା ଏଠାରେ ଲାଗିରହିଥିବା ଶ୍ରମିକ ସମସ୍ୟା ସମ୍ପର୍କରେ ଶ୍ରୀ ତିର୍କୀ ବିଏସ୍‌ଏଲ୍‌ ମୁଖ୍ୟ କାର୍ଯ୍ୟାଳୟକୁ ଲିଖିତ ଭାବରେ ଜଣାଇଥିଲେ ବି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଶ୍ରମିକଙ୍କ ଥିବା ଦାବି ପୂରଣ କରାନଗଲେ ବୀରମିତ୍ରପୁରରେ ଥିବା କମ୍ପାନିର ଜିଓ କାର୍ଯ୍ୟାଳୟ ମୁଖ୍ୟଗେଟ୍‌ରେ ତାଲା ପକାଯିବ ବୋଲି ଶ୍ରୀ ତିର୍କୀ ଚେତାବନୀ ଦେଇଥିଲେ। ଏହି ଧାରଣା ପ୍ରଦର୍ଶନ କାର୍ଯ୍ୟକ୍ରମରେ ପୂର୍ବତନ ପୌରାଧ୍ୟକ୍ଷ ଶଶି ସାଗର, ସମାଜସେବୀ ଜଗଦୀଶ ପ୍ରସାଦ ଅଗ୍ରୱାଲ, ମିନୁ ଦାଶ, ଭଗବାନ ଦାଶ, ସବିତା ଦାଶ, ଶାନ୍ତି ଧନୱାର, ଚଞ୍ଚଳା ବିରଗଣ୍ଠିଆ, ବିନୋଦ ବିଶ୍ଵକର୍ମା, ଅରକ୍ଷିତ ବିଭାର ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।