ବାରିପଦା: ଖରିଫ ଧାନ ବିକ୍ରି ପାଇଁ ମୟୂରଭଞ୍ଜ ଜିଲ୍ଲାର ଚାଷୀ ନାମ ପଞ୍ଜୀକରଣ କଲେ। ଟୋକନ୍ ପାଇଲେ। ମଣ୍ଡିକୁ ନେଇ ଧାନ ବସ୍ତା ରଖିଲେ। ତେବେ ଟାର୍ଗେଟ୍ ନ ଆସିବାରୁ ପଞ୍ଜିକୃତ ଓ ଟୋକନ୍ ପାଇଥିବା ୨୦ ହଜାର ୪୦୨ ଜଣ ଚାଷୀ ଧାନ ବିକ୍ରି କରି ପାରିଲେ ନାହିଁ। ଏହାକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଚାଷୀଙ୍କ ଠାରୁ ଧାନ ଖର୍ଦ୍ଦି ନ ହେବା ନେଇ ଆଜି ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯିବା ସହ ସଂଗଠନର କର୍ମକର୍ତ୍ତା ଭିତରକୁ ଧସେଇ ପଶିଥିଲେ।
ଏହାକୁ ନେଇ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରତିବାଦ କାର୍ଯ୍ୟକ୍ରମ କରାଯିବା ନେଇ ସଂଗଠନ ପକ୍ଷରୁ ପୂର୍ବରୁ ପୁଲିସକୁ ଅବଗତ କରାଯାଇଥିଲା। ତା’ ସତ୍ତ୍ବେ ଜଣେ ମାତ୍ର ପୁଲିସ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ। ପ୍ରତିବାଦ କାର୍ଯ୍ୟକ୍ରମ ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବାକୁ କର୍ମକର୍ତ୍ତା ବାହାରିଥିଲେ। ତେବେ ଜଣେ ମାତ୍ର ପୁଲିସ କର୍ମଚାରୀ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ବହୁ ସଂଖ୍ୟାରେ କର୍ମକର୍ତ୍ତା ସରକାର ବିରୋଧୀ ସ୍ଲୋଗାନ୍ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଭିତରକୁ ଧସେଇ ପଶିଥିଲେ। ଏମିତି କି ଜିଲ୍ଲାପାଳଙ୍କ ଚାମ୍ବରକୁ ପଶି ଭଙ୍ଗାରୁଜା କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। କାର୍ଯ୍ୟାଳୟ କର୍ମଚାରୀ ଏଭଳି ଆଶଙ୍କା କରି ସେଠାରେ ଜଗି ରହିଥିବା ବେଳେ ଆଉ କେଉଁ ପୁଲିସ ଅଧିକାରୀ କିମ୍ବା କର୍ମଚାରୀଙ୍କ ଦେଖା ମିଳି ନ ଥିଲା।
ଶେଷରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଆପଦକାଳୀନ ଅଧିକାରୀଙ୍କୁ ସଂଗଠନର ଜିଲ୍ଲା ସଂଯୋଜକ ପ୍ରାଣବନ୍ଧୁ ପଲେଇ, ସାଲଖାନ ମୁର୍ମୁ, ଶ୍ରବଣ କୁମାର ଛାଟିଆ, ପଦ୍ମଲୋଚନ ମହାନ୍ତ ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରିଥିଲେ। ତା’ପରେ ସମସ୍ତେ ପ୍ରତିବାଦ ସ୍ଥାନକୁ ଆସିଥିଲେ। ଟାଉନ୍ ଥାନାଧିକାରୀ ଓ ଅନ୍ୟ ପୁଲିସ କର୍ମଚାରୀ ପହଞ୍ଚି କାହିଁକି ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରକୁ ପଶିଲ ବୋଲି ପଚାରି ଗିରଫ କରିବାକୁ ଧମକ ଦେଇଥିଲେ। ପୁଲିସ ନାଲି ଆଖିକୁ ଖାତିର ନ କରି ସଂଗଠନର କର୍ମକର୍ତ୍ତା ସରକାର ବିରୋଧୀ ସ୍ଲୋଗାନ୍ ଦେଇଥିଲେ।
ଏହାକୁ ନେଇ ସଂଗଠନର କର୍ମକର୍ତ୍ତା ଓ ପୁଲିସ ମଧ୍ୟରେ କିଛି ସମୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଭବିଷ୍ୟତରେ ବିନା ଅନୁମତିରେ ଏଭଳି କାମ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହି ପଳାଇ ଯାଇଥିବା ବେଳେ ସଂଗଠନର କର୍ମକର୍ତ୍ତା ବି ପ୍ରତିବାଦ ସଭା ସ୍ଥଳ ଛାଡ଼ି ଦେଇଥିଲେ। ଚାଷୀ ଧାର ଓ ଋଣ କରି ଧାନ ଚାଷ କରିଥିଲା। ଧାନ ଖର୍ଦ୍ଦି ନ ହେବାରୁ କିଭଳି ଋଣ ଟଙ୍କା ପରିଶୋଧ କରିବ? ତେଣୁ ଧାନ ବିକ୍ରିରୁ ବଞ୍ଚିତ ଜିଲ୍ଲାର ସମସ୍ତ ଚାଷୀଙ୍କଠାରୁ ଧାନ ଖର୍ଦ୍ଦି କରାଯାଉ ବୋଲି ସଂଗଠନ ପକ୍ଷରୁ ଦାବି ହୋଇଛି। ଏହାକୁ ନେଇ ଆଗାମୀ ଦିନରେ ଜିଲ୍ଲାରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଗଠନ ପକ୍ଷରୁ ଅଜୟ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଜେନା, ମୀନତି ଛାଟିଆ, ପୂର୍ଣ୍ଣଚନ୍ଦ୍ର ରାଉତ, ସୂର୍ଯ୍ୟକାନ୍ତ ରାଉତ, ରବୀନ୍ଦ୍ର ମହାନ୍ତ ପ୍ରମୁଖ ଚେତାବନୀ ଦେଇଛନ୍ତି।