ଜୟପୁର: ଜୟପୁର ସେବା କାଗଜକଳର ଅବସରପ୍ରାପ୍ତ ଶ୍ରମିକମାନେ ସେମାନଙ୍କ ଇପିଏଫ୍, ପେନସନ୍, ବକେୟା ପାଉଣା ପାଇବା ପାଇଁ ଆସନ୍ତା ନଭେମ୍ବର ୩ରୁ କାରଖାନା ଫାଟକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୁର୍ଣ୍ଣ ଧାରଣା ଦେବେ। ଏ ନେଇ ଏମାନେ ମଦର୍ ଆର୍ଥ୍ କମ୍ପାନିର ୟୁନିଟ୍ ହେଡଙ୍କୁ ସ୍ମାରକପତ୍ର ଦେଇଛନ୍ତି।  ଅନ୍ୟ ପନ୍ଥା ନପାଇ ଅବସରପ୍ରାପ୍ତ ଶ୍ରମିକମାନେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିବା ଉଦ୍ଦେଶ୍ୟରେ କାରଖାନା ମୂଖ୍ୟ ଫାଟକ ପାର୍ଶ୍ୱରେ ନଭେମ୍ବର ୩ ତାରିଖରୁ ଅଫିସ୍ କାର୍ଯ୍ୟ ସମୟ ସକାଳ ଘ ୮.୦୦ରୁ କାରଖାନାର ଉତ୍ପାଦନ ପ୍ରକ୍ରିୟା ରେ ବ୍ୟାଘାତ ସୃଷ୍ଟି କରାନଯାଇ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ବିକ୍ଷୋଭ ଦାବି ପୂରଣ ପର୍ଯ୍ୟନ୍ତ  କରିବେ ବୋଲି କହିଛନ୍ତି। ଅବସରପ୍ରାପ୍ତ ଶ୍ରମିକମାନଙ୍କ ପକ୍ଷରୁ ପ୍ରମୋଦ କୁମାର ମହାନ୍ତି, ପ୍ରକାଶ ‌ଚୌଧୁରୀ, ନାରାୟଣ ଦାସ, ସରୋଜ ପଣ୍ଡା, ଆର୍ କେ ତ୍ରିପାଠୀ, ଉମା ବେହେରା ପ୍ରମୁଖ ନେତୃତ୍ବ ନେଇ ଶୁକ୍ରବାର ଏହି  ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ଚିଠିର ନକଲ ରାଜ୍ୟ ମୁଖ୍ୟ ଶାସନ ସଚିବ, ଶ୍ରମ ସଚିବ, ଶିଳ୍ପ ସଚିବ, ଶ୍ରମ କମିସନର, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଉପଜିଲ୍ଲାପାଳ,ଜିଲ୍ଲାଶ୍ରମ ଅଧିକାରୀ ଓ ଜୟପୁର ଏସଡିପିଓ ଓ ସଦରଥାନା ଅଧିକାରୀ ଆଦିଙ୍କୁ ଦେଇଛନ୍ତି ।

Advertisment

ପ୍ରକାଶଯୋଗ୍ୟ ଯେ ସେବା କାଗଜକଳର ମ୍ୟାନେଜମେଣ୍ଟ ବିଜିପିପିଏଲ୍ ଦାୟିତ୍ଵରେ ରହିଥିଲା କିନ୍ତୁ ୨୦୨୦ ଫେବ୍ରୁଆରି ମାସରୁ ବିଜିନେସ୍ ଟ୍ରାନ୍ସଫର୍ ଏଗ୍ରିମେଣ୍ଟ ବା ବିଟିଏ ଜରିଆରେ ନୂଆ କମ୍ପାନୀ ମଦର ଆର୍ଥ୍ କମ୍ପାନୀ ବା ଏମ୍ ଇ ଆର୍ ପି ଏଲ୍ କମ୍ପାନୀ ହାତକୁ ମ୍ୟାନେଜମେଣ୍ଟ ଭାର ନେଇଛି। ଏବେ ମଧ୍ୟ ଶ୍ରମିକମାନଙ୍କୁ ପ୍ରାୟ ଅଧାଦରମା ହିଁ ଦିଆଯାଉଛି।ମାସକୁ ୭୦୦/୮୦୦ ଟନ୍ ଉତ୍ପାଦନ ହେଉଛି । ଇତିମଧ୍ୟରେ ଅନେକ ଶ୍ରମିକ ଅବସର ପରେ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ମରିଗଲେଣି, ଅନେକ ରୋଗିଣା ଶ୍ରମିକ ଟଙ୍କା ପାଉନାହାନ୍ତି। ଶ୍ରମିକମାନଙ୍କର ଜମା ଟଙ୍କା ବା ପିଏଫ୍ ସେମାନେ ପାଇପାରୁ ନାହାନ୍ତି ।