ସମ୍ବଲପୁର:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ଓକିଲ ଆନ୍ଦୋଳନ ତୀବ୍ର ହେବାରେ ଲାଗିଥିବା ବେଳେ ରାଜ୍ୟ ସରକାର କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନିରବତା ଅବଲମ୍ବନ କରିଛନ୍ତି। ଏପଟେ ଆଇନଜୀବୀ ପରିଷଦର ପଦକ୍ଷେପକୁ ନେଇ ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଓକିଲଙ୍କ ବାକ୍‌ ସ୍ବାଧୀନତାର କଣ୍ଠରୋଧ ଉଦ୍ୟମ ଚାଲିଥିବା ନେଇ ଅଭିଯୋଗ ହେଉଥିବା ବେଳେ ଆସନ୍ତାକାଲି ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ସାରା ରାଜ୍ୟର ଓକିଲ ସଂଘଗୁଡ଼ିକର ସଭାପତି ଓ ସଂପାଦକମାନଙ୍କ ବୈଠକ ଆୟୋଜନ କରାଯାଇଛି।

Advertisment

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସଂପର୍କରେ ସମ୍ବଲପୁର ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ରଙ୍କୁ ପଚାରିବାରୁ ସେ କହିଲେ, ଆନ୍ଦୋଳନର ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରିବା ପାଇଁ ଆଜି ସାଧାରଣ ପରିଷଦ ବୈଠକ ଆୟୋଜନ ପାଇଁ ସ୍ଥିର ହୋଇଥିଲା। ତେବେ, ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ଅଚାନକ ରବିବାର ଦିନ ସାରା ରାଜ୍ୟର ଓକିଲ ସଂଘର ସଭାପତି ଓ ସଂପାଦକମାନଙ୍କ ବୈଠକ ସଂଘର କାର୍ଯ୍ୟାଳୟରେ ଡକାଯାଇଛି। ତେଣୁ, ଆଜିର ସାଧାରଣ ପରିଷଦ ବୈଠକକୁ ସ୍ଥଗିତ ରଖାଯାଇଛି। ଭୁବନେଶ୍ବର ବୈଠକରେ ଓକିଲମାନଙ୍କ ‌ମୌଳିକ ଅଧିକାର, ହାଇକୋର୍ଟ ବେଞ୍ଚ ଆନ୍ଦୋଳନ, ଆଇନଜୀବୀ ପରିଷଦ କାର୍ଯ୍ୟକଳାପ ଆଦି ସଂପର୍କରେ ମୁଖ୍ୟତଃ ଆଲୋଚନା ହେବାର ଯୋଜନା ରହିଛି। ଭୁବନେଶ୍ବର ବୈଠକ ପରେ ପୁଣି ସମ୍ବଲପୁର ଓକିଲ ସଂଘର ସାଧାରଣ ପରିଷଦ ବୈଠକ ଡକାଯାଇ ନୂଆ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଉଲ୍ଲେଖ‌ଯୋଗ୍ୟ ଯେ,  ବହୁ ବର୍ଷ ହେଲା ଓଡ଼ିଶା ଆଇନଜୀବୀ ପରିଷଦର ନିର୍ବାଚନ ହୋଇନାହିଁ। ଭାରତୀୟ ଆଇନଜୀବୀ ପରିଷଦ ଦ୍ବାରା ମନୋନୀତ ସ୍ବତନ୍ତ୍ର କମିଟି ଦ୍ବାରା ଓଡ଼ିଶା ଆଇନଜୀବୀ ପରିଷଦ ପରିଚାଳିତ ହେଉଛି। ରାଜ୍ୟ ସରକାରଙ୍କ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଏବେ ଓଡ଼ିଶା ଆଇନଜୀବୀ ପରିଷଦ ଅଧ୍ୟକ୍ଷ ରହିଛନ୍ତି। ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପତ୍ର ଦିଆନିଆ ଚାଲିଥିବା ବେଳେ ଓଡ଼ିଶା ଆଇନଜୀବୀ ପରିଷଦର ଅଧ୍ୟକ୍ଷ ଭାବେ ଆଡ୍‌ଭୋକେଟ୍‌ ଜେନେରାଲଙ୍କ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନଥିବା ଯୁକ୍ତି ଗ୍ରହଣନୀୟ ନୁହେଁ ବୋଲି ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ଜ୍ଞାନରଜଂନ ମହାନ୍ତି ମଧ୍ୟ ନିକଟରେ ମତବ୍ୟକ୍ତ କରିଥିଲେ। ଆଇନର ତଜର୍ମା କରୁଥିବା ଓ ଲୋକଙ୍କୁ ନ୍ୟାୟ ପ୍ରଦାନରେ ସହାୟକ ହେଉଥିବା ଆଇନଜୀବୀମାନଙ୍କୁ କାଠଗଡ଼ାକୁ ଟଣାଯାଉଛି। ନିଜ ନାଯ୍ୟ ଦାବି ପାଇଁ ଆନ୍ଦୋଳନ କରୁଥିବା ଆଇନଜୀବୀଙ୍କ କଣ୍ଠରୋଧ ପାଇଁ ଉଦ୍ୟମ ହୋଇଛି। ସରକାର ଶୀଘ୍ର ପ୍ରକୃତ ସମସ୍ୟାର ସମାଧାନ କରନ୍ତୁ ବୋଲି ଶ୍ରୀ ମହାନ୍ତି ଆହ୍ବାନ ଦେଇଥିଲେ। ଏପଟେ ଆଡ୍‌ଭୋକେଟ୍‌ ଜେନେରାଲ ଓଡ଼ିଶା ଆଇନଜୀବୀ ପରିଷଦର ଅଧ୍ୟକ୍ଷ ଭାବେ ସରକାରଙ୍କ ମତ ଠାରୁ ଭିନ୍ନ ମତ ରଖୁଥିବାରୁ ରାଜ୍ୟ ସରକାରଙ୍କୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆହ୍ବାନ ଦେଇଛି।