ରାଇରଙ୍ଗପୁର/ବାଦାମପାହାଡ଼: ସରକାରୀ ଜମି ଜବରଦଖଲ ଉଚ୍ଛେଦ ଦାବିରେ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଏପରିକି ପଞ୍ଚାୟତ ଅଧୀନରେ ଥିବା ସାଧାରଣ ସମ୍ପଭିର ନିଲାମକୁ ବିରୋଧ କରି ଗ୍ରାମବାସୀ ଏଭଳି ପଦକ୍ଷେପ ନେଇଛନ୍ତି। ଦୀର୍ଘ ୫ ଘଣ୍ଟା ସମୟ ଗ୍ରାମବାସୀ ଧାରଣା ଦେବା ପରେ କୁସୁମୀ ତହସିଲ ପକ୍ଷରୁ ଉକ୍ତ ନିଲାମକୁ ବାତିଲ କରି ଜବରଦଖଲ ଉଚ୍ଛେଦ ପାଇଁ ଲିଖୁତ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ସୂଚନା ଅନୁସାରେ, କୁସୁମୀ ବ୍ଲକ ଚୁଆପାଣି ପଞ୍ଚାୟତ ସାପ୍ତାହିକ ହାଟ ପରିସରରେ କିଛି ମୁଷ୍ଟିମୟ ଲୋକ ସରକାରୀ ଜମିକୁ କବ୍ଜା କରି ଆବାସ ଯୋଜନାରେ ଗୃହ ନିର୍ମାଣ କରିଛନ୍ତି | ଫଳରେ ସାପ୍ତାହିକ ହାଟ ପରିସର ସଙ୍କୁଚିତ ହେଉଛି। ହାଟ ପରିସରରୁ ଜବର ଦଖଲ ଉଚ୍ଛେଦ ପାଇଁ ଗ୍ରାମବାସୀ ରାଇରଙ୍ଗପୁର ଉପଜିଲ୍ଲାପାଳ ଏବଂ କୁସୁମୀ ତହସିଲଦାରଙ୍କୁ ବହୁବାର ଲିଖିତ ଅଭିଯୋଗ କରିଛନ୍ତି; କିନ୍ତୁ କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବାମନଘାଟି ଉପଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଚୁଆପାଣି ଗ୍ରାମ ପଞ୍ଚାୟତର ଚିଠି ଅନୁସାରେ ପୋଖରୀ, ସାପ୍ତାହିକ ହାଟ, କଂସେଇଖାନା, ପୋଖରୀ, ବନ୍ଧ, ନାଳ, ମାର୍କେଟ କମ୍ପ୍ଲକ୍ସକୁ ପ୍ରଥମ ପର୍ଯ୍ୟାୟରେ ୨୯ ତାରିଖରେ ନିଲାମ କରାଯିବା ପାଇଁ ନୋଟିସ ଜାରି କରାଯାଇଥିଲା।
ଶନିବାର ସକାଳୁ ଶତାଧିକ ଗ୍ରାମବାସୀ ପଞ୍ଚାୟତରେ ଏକତ୍ରିତ ହୋଇଥିଲେ। ପରେ ଲୋକେ ପଞ୍ଚାୟତ ପକ୍ଷରୁ କରାଯାଉଥିବା ନିଲାମ ପ୍ରକ୍ରିୟାକୁ ବିରୋଧ କରି ଗେଟ ସମ୍ମୁଖରେ ଧାରଣା ଦେଇଥିଲେ । ଗ୍ରାମବାସୀ ପ୍ରଶାସନ ପକ୍ଷରୁ ପ୍ରଥମେ ସାପ୍ତାହିକ ହାଟ ପରିସରରୁ ଜବରଦଖଲ ଉଚ୍ଛେଦ କରିବା ପରେ ନିଲାମ କରିବାକୁ ଦାବି କରିଥିଲେ। ଏ ନେଇ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ମଧ୍ୟ ଫୋନ କରିଥିଲେ; ହେଲେ କୌଣସି ଉତ୍ତର ମିଳିନଥିଲା। ପରେ ତହସିଲଦାରଙ୍କ ପକ୍ଷରୁ ଲିଖ୍ତ ପ୍ରତିଶୃତି ଦିଆଯିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଆଗାମୀ ୩ ମାସ ମଧ୍ୟରେ ଗ୍ରାମବାସୀଙ୍କ ଦାବି ଅନୁସାରେ ଚୁଆପାଣି ସାପ୍ତାହିକ ହାଟ ପରିସରରୁ ଜବରଦଖଲ ଉଚ୍ଛେଦ କରାଯିବ ବୋଲି
ଲିଖ୍ତ ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ଧାରଣା ପ୍ରତ୍ୟାହୃତ କରିଥିଲେ। ଚନ୍ଦ୍ରମୋହନ ମୁର୍ମୁ, ଭଗବାନ ହେମ୍ବ୍ରମ, ମଙ୍ଗଲ ସୋରେନ, ଚୁନୁରାମ ହେମ୍ବୁ ମ, ସୁନୀଲ ମାଣ୍ଡି,ରାମେଶ୍ବର ବେଶ୍ରା, ସୁରେନ୍ଦ୍ରନାଥ ଟୁଡୁ ପ୍ରମୁଖ ଗ୍ରାମବାସୀ ମାନେ ଧାରଣା ଦେଇଥିଲେ।