ସ୍ବାମୀଙ୍କ ଦୋକାନ ଆଗରେ ସ୍ତ୍ରୀଙ୍କ ଧାରଣା

ଧର୍ମଶାଳା: ଭରଣପୋଷଣ ଦାବିରେ ଜଣେ ମହିଳା ସ୍ବାମୀଙ୍କ ଡ୍ରେସ୍‌ ଦୋକାନ ସମ୍ମୁଖରେ ଧାରଣାରେ ବସିବା ଘଟଣା ଧର୍ମଶାଳା ଥାନା ଜାରକା ବଜାରରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମହିଳା ଓ ତାଙ୍କ ମା’ଙ୍କୁ ଥାନାକୁ ଡାକିନେଇ ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ବରୀ ବ୍ଲକ୍‌ ବାଇଁଶିରିଆ ପଞ୍ଚାୟତ ମାଳଦା ଗ୍ରାମର ରାହାସ ବିହାରୀ ସାହୁଙ୍କ ଝିଅ ଡଲିସ୍ମିତା ସାହୁ ଗତବର୍ଷ ମାର୍ଚ୍ଚ ୧୨ ତାରିଖରେ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅରବିନ୍ଦ ରାମଙ୍କୁ ଜାରକା ନିକଟ ଗୋକର୍ଣ୍ଣେଶ୍ବର ମନ୍ଦିରରେ ବିବାହ କରିଥିଲେ। ତେବେ ବିବାହର ୪ ମାସ ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହେବାରୁ ଡଲି ନିଜ ବାପଘରକୁ ଆସି ବିଧବା ମା’ଙ୍କ ସହିତ ରହୁଛନ୍ତି।

ସେ ଚଳିବାପାଇଁ ଭରଣପୋଷଣ ଦାବି କରୁଥିଲେ ମଧ୍ୟ ସ୍ବାମୀ ମନା କରୁଛନ୍ତି। ଏବେ ଅରବିନ୍ଦ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିବା ଖବର ପାଇ ଡଲି ଆଜି ଜାରକା ଉପର ବଜାରରେ ଥିବା ସ୍ବାମୀଙ୍କ ଡ୍ରେସ୍‌ ଦୋକାନ ସମ୍ମୁଖରେ ମାଆଙ୍କ ସହିତ ଧାରଣାରେ ବସିଛନ୍ତି। ନ୍ୟାୟ ନପାଇବା ପର୍ଯ୍ୟନ୍ତ ସେ ଧାରଣାରେ ବସିରହିବେ ବୋଲି କହିଛନ୍ତି। ଅନ୍ୟପଟେ ବିବାହ ବିଚ୍ଛେଦ ନେଇ କୋର୍ଟରେ ମାମଲା ବିଚରାଧୀନ ଥିବାବେଳେ ଡଲି ଆସି ଦୋକନ ସାମ୍ନାରେ ବସି ଗାଳିଗୁଲଜ କରୁଥିବା ନେଇ ଦୋକାନ ମାଲିକ ତଥା ଅରବିନ୍ଦଙ୍କ ବଡ଼ଭାଇ ଶୁଭେନ୍ଦୁ କୁମାର ରାମ ଧର୍ମଶାଳା ଥାନାରେ ଜଣାଇଛନ୍ତି। ଏହାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୋକାନକୁ ବନ୍ଦ କରିବା ସହ ଡଲି ଓ ତାଙ୍କ ମାଆଙ୍କୁ ଥାନାକୁ ନେଇ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର