ଜୁନ୍‌ ୭ରେ ଭିଟାମାଟି ବଞ୍ଚାଅ ଆନ୍ଦୋଳନ, ବାଲିଆପାଳ ଆସୁଛନ୍ତି ମେଧା ପାଟକର

ବାଲେଶ୍ବର: ଆସନ୍ତା ୭ ତାରିଖ ବାଲିଆପାଳ ବ୍ଲକ ବେତଗଡ଼ିଆ (ନହରା ଛକ ପ୍ରାଙ୍ଗଣ)ଠାରେ ‘ଭିଟାମାଟି ବଞ୍ଚାଅ ଓ ଶିଳ୍ପାୟନ ହଟାଅ’ ମହାସମାବେଶ ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ କଙ୍କଡ଼ାପାଳରୁ ହଂସକରା ମୁହାଣ ଯାଏ ଦୀର୍ଘ ୨୪/୨୫ କିଲୋମିଟର ବ୍ୟାପୀ ଉର୍ବର ଉପକୂଳିଆ ଅଂଚଳରେ ହେବାକୁ ଥିବା ବନ୍ଦର ତଥା ପେଟ୍ରୋ କେମିକାଲ୍ସ ପ୍ରକଳ୍ପ ବିରୋଧରେ ଦୀର୍ଘବର୍ଷ ଧରି ଚାଲିଥିବା ଭିଟାମାଟି ସୁରକ୍ଷା ଆନ୍ଦୋଳନକୁ ଆହୁରି ମଜବୁତ ପାଇଁ ଆସନ୍ତା ଜୁନ୍ ୭ ତାରିଖରେ ବାଲିଆପାଳ ଗସ୍ତରେ ଆସୁଛନ୍ତି ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ତଥା ବିଶିଷ୍ଟ ସମାଜସେବୀ ସୁଶ୍ରୀ ମେଧା ପାଟକର।

ଐତିହାସିକ ବାଲିଆପାଳ ଘାଟି ଜନଆନ୍ଦୋଳନର ୩୭ ବର୍ଷ ପୂର୍ତ୍ତି ଉପଲକ୍ଷେ ଏବଂ ସଂପ୍ରତି ଜଳବାୟୁ ପରିବର୍ତ୍ତନର ଭୟାବହତା ଓ ପ୍ରାକୃତିକ ବିପର୍ଯ୍ୟୟଜନିତ ବିତ୍ପାତ ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ଏହାର ମୁକାବିଲା ଦିଗରେ ଆମର ପାରମ୍ପରିକ ଜମି, ଜଳ, ଜଙ୍ଗଲ, ହେନ୍ତାଳବଣ, ଆର୍ଦ୍ରଭୂମି, ଉପକୂଳ ଜୈବ ବିବିଧତା ତଥା ଚାଷବାସ ଓ ପରିବେଶର ସୁରକ୍ଷା ଲାଗି ତାଙ୍କ ସହିତ ବିଶିଷ୍ଟ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା, ଓଡ଼ିଶା କିଷାନ ସଂଘର୍ଷ ମୋର୍ଚ୍ଚାର କୃଷକ ନେତା ଲିଙ୍ଗରାଜ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ତା, ଚିତ୍ତରଞ୍ଜନ ଷଡ଼ଙ୍ଗୀ, ରାଧାକାନ୍ତ ସେଠୀ, ବାଲେଶ୍ବର ବାର୍ ଆସୋସିଏସନ୍ ସଭାପତି ମନୋଜ ନାୟକଙ୍କ ସମେତ କଂଗ୍ରେସ୍‌, ସିପିଆଇ, ସିପିଆଇ (ଏମ୍‌), ଫରୱାର୍ଡ ବ୍ଲକ୍‌, ଏସ୍‌ୟୁସିଆଇ, ଆମ ଆଦମୀ ପାର୍ଟି, ସିପିଆଇ (ଏମ୍‌ଏଲ୍) ଓ ସମାଜବାଦୀ ପାର୍ଟିର ତୁଙ୍ଗ ନେତୃତ୍ବ ଏହି ସମାବେଶରେ ଯୋଗଦେବେ ବୋଲି ଉପକୂଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସମ୍ପର୍କରେ ଆଜି ପୂର୍ବାହ୍ନରେ ବେତଗଡ଼ିଆ ଗ୍ରାମପଞ୍ଚାୟତର ନଗେନ ଗିରିଙ୍କ ବାସଭବନରେ ଉପକୂଳ ଭିଟାମାଟି ସୁରକ୍ଷା କମିଟିର ଏକ ଜରୁରୀ ବୈଠକ ସଭାପତି ସୁବାସ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସମାବେଶକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉକ୍ତ ବୈଠକରେ କମିଟିର ଆବାହକ ଅରୁଣ ଜେନା, ସୁଶ୍ରୀ ପାଟକର ଓ ବିଭିନ୍ନ ରାଜନୈତିକ ନେତୃବୃନ୍ଦଙ୍କ ୭ ତାରିଖ ବାଲିଆପାଳ ଗସ୍ତ ଓ ସମାବେଶର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ।

କମିଟିର ଉପଦେଷ୍ଟା ତଥା ବାଲିଆପାଳ ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ବିଜନ ନାୟକ, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ମୁଖପାତ୍ର କୁଶଧ୍ବଜ ଜେନା, ସଂଯୋଜକ ଅନୁଜ ମହାପାତ୍ର, ଯୁବନେତା ତୀର୍ଥ ନାଗ, ରବୀନ୍ଦ୍ର ଜେନା, ମାୟାଧର କୁହ୍ଲାରୀ, ୨୪ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ, ସମିତି ସଦସ୍ୟ ରାଜୀବ ରାୟ, ସରପଞ୍ଚ ସୁପ୍ରଭା ପାଢ଼ୀ, ପ୍ରାକ୍ତନ ସରପଞ୍ଚ ଜଗନ୍ନାଥ ଜେନା, ପ୍ରାକ୍ତନ ସରପଞ୍ଚ ଅନନ୍ତ ଜେନା, ସମିତି ସଦସ୍ୟ ଶାନ୍ତନୁ ମହାପାତ୍ର, ନୂଆଗାଁ ସରପଞ୍ଚ ପ୍ରତିନିଧି ଯୁବନେତା ପ୍ରଶାନ୍ତ ଦାସ, ମଣ୍ଟୁ ମହାନ୍ତି, ହୃଷିକେଶ ପଣ୍ତା, ହରେକୃଷ୍ଣ ସେନାପତି, ଏକାଦଶୀ ମାଝୀ ଓ ନାରୀନେତ୍ରୀ ଗାୟତ୍ରୀ ବାରିକ ପ୍ରମୁଖ ବହୁ ନେତୃବୃନ୍ଦ ଆଲୋଚନାରେ ଅଂଶଗ୍ରହଣ କରି ଏହି ବିଶାଳ ଜନସଭାକୁ ସଫଳ କରିବା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ।

ଆଗାମୀ ଦିନରେ ଭିଟାମାଟି ସୁରକ୍ଷା ଆନ୍ଦୋଳନକୁ ବ୍ୟାପକ କରିବା ଏବଂ ସରକାର ପ୍ରକଳ୍ପ ପ୍ରଭାବିତ ଅଞ୍ଚଳର ଲୋକଙ୍କର ଜନମତ (ସମ୍ମତି) ବିନା ପଦକ୍ଷେପ ନେଲେ ଭବିଷ୍ୟତର ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ବୈଠକରେ ଚେତାବନୀ ଦିଆଯାଇଥିଲା। ଉକ୍ତ ସମାବେଶରେ ହଜାରହଜାର ଜନଗଣ ଯୋଗଦେବା ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର