ଯୋଡା: ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଅଂଶେଇକଳା ପଞ୍ଚାୟତର ସାନ ବଡ଼ବିଲ ଗ୍ରାମରେ ଆଜି ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଗ୍ରାମରେ ପିଡିଏସ୍ ଚାଉଳ ବଣ୍ଟନ କରୁଥିବା ବ୍ୟକ୍ତି ଗ୍ରାମବାସୀଙ୍କ ଚାଉଳକୁ ବିଭିନ୍ନ ଆଳ ଦେଖାଇ ବାଟମାରଣା କରିଥିବା ନେଇ ଆଜି ଏହି ଗ୍ରାମ ଗ୍ରାମବାସୀ ଏକତ୍ରିତ ହୋଇ ଏହାକୁ ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ କହିବା ମୁତାବକ ଦୁଇ ମାସ ହେଲା ଗ୍ରାମବାସୀଙ୍କୁ ଚାଉଳ ମିଳି ନ ଥିଲା। ତେବେ ଏ ମାସ ଗୋଟିଏ ମାସ ର ଚାଉଳ ମିଳିଥିବା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପିଡିଏସ୍ ଚାଉଳ ବଣ୍ଟନ କରୁଥିବା ବ୍ୟକ୍ତି ରୋକଠୋକ ଭାବେ ଦୁଇ ମାସର ଚାଉଳ ଦେବାକୁ ମନା କରିଛନ୍ତି।
ଅନ୍ୟ ଏକ ଅଭିଯୋଗ ହେଲା ପିଡିଏସ ଚାଉଳ ଦେବାର ଦୁଇ ତିନି ଦିନ ଭିତରେ ଉପଭୋକ୍ତା ଚାଉଳ କିମ୍ବା ଗହମ ନ ନେଲେ ଆଉ ମାସକ ମଧ୍ୟରେ କେବେ ମଧ୍ୟ ମିଳିବ ନାହିଁ ବୋଲି ଜଣାଇଛନ୍ତି। ଗ୍ରାମବାସୀଙ୍କ କହିବା ମୁତାବକ ଚାଉଳ ବଣ୍ଟନର କୌଣସି ଦିନ ଧାର୍ଯ୍ୟ ନାହିଁ, ଅଧିକାଂଶ ଗ୍ରାମବାସୀ ଦିନମଜୁରିଆ, ରାତି ପାହିଲେ କାମଧନ୍ଦା ନିମନ୍ତେ ଗ୍ରାମରୁ ବାହାରି ଯାଉଛନ୍ତି। ତେଣୁ ପିଡିଏସ୍ ଚାଉଳ ବଣ୍ଟନର ଦିନ ଧାର୍ଯ୍ୟ ସମୟ ଠିକ୍ ରହିଲେ ସମସ୍ତେ ପିଡିଏସ୍ ସମାଗ୍ରୀ ପାଇ ପାରନ୍ତେ। ଏଥିପାଇଁ ବ୍ଲକ କର୍ତ୍ତୃପକ୍ଷ ଦିନ ଧାର୍ଯ୍ୟ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।