ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ କଲେକ୍ଟର ସୁସ୍ମିତା ମିଞ୍ଜଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡରେ ଏକାଧିକ ଅଭିଯୁକ୍ତ ସାମିଲ ଥିବାବେଳେ ସେମାନଙ୍କୁ ପ୍ରଶାସନ ସୁରକ୍ଷା ଦେଉଛି। ମୃତକଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲାକୁ ରଖାଯାଇନଥିଲା; ଓଲଟା ଉଦିତନଗର ଓ ପ୍ଲାଣ୍ଟ୍ସାଇଟ୍ ଘଟଣା ଚାପି ଦେବାକୁ ଧମକ ଦିଆଯାଇଥିବା ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଅଭିଯୋଗ ଆଣିଛନ୍ତି। ସୁସ୍ମିତାଙ୍କୁ ନ୍ୟାୟ ଦେବା ପାଇଁ ଆସନ୍ତା ୩ ତାରିଖରେ ବିଶାଳ ଆନ୍ଦୋଳନ ସହ ଘେରାଉ କାର୍ଯ୍ୟକ୍ରମ କରାଯିବ। ଏହାସହ ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ କରାଯିବ ବୋଲି ଶ୍ରୀ ତିର୍କୀ ସୂଚନା ଦେଇଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତିର୍କୀ କହିଲେ, ସୁସ୍ମିତାଙ୍କ ଶରୀରରେ ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ଏମିତିକି ସିଗାରେଟ୍ ଚେଙ୍କ ଭଳିଆ ଦାଗ ବି ରହିଥିଲା। ଠିକ୍ ଭାବେ ଶବ ବ୍ୟବଚ୍ଛେଦ କରାଯାଇଥିଲେ ପ୍ରକୃତ ସତ୍ୟ ପଦାକୁ ଆସିଥାନ୍ତା। ମାମଲା ଚପାଇବାକୁ ପ୍ରଶାସନ ସବୁ କଳବଳକୌଶଳ ଆପଣେଇ ଏହି ସୁପରିକଳ୍ପିତ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦିଆଯାଉଛି। ଏହି ମାମଲାର ସିବିଆଇ ତଦନ୍ତ ଦାବି କରାଯାଉଥିବାବେଳେ ଜଣେ ଡିଏସ୍ପିଙ୍କୁ ତଦନ୍ତ ଭାରତ ଦେବା ପଛରେ ଗୁଢ଼ ରହସ୍ୟ ଲୁଚି ରହିଛି। ସମଗ୍ର ପ୍ରସଙ୍ଗରେ ଶ୍ରୀ ତିର୍କୀ ବିଭିନ୍ନ ପ୍ରଶ୍ନ ଉତ୍ଥାପନ କରିଥିଲେ। ଯଦି ୧୬ ତାରିଖରେ ସରକାରୀ ବୈଠକ ଥିଲା, ତା’ହେଲେ ସୁସ୍ମିତାଙ୍କ ରହଣି ବ୍ୟବସ୍ଥା ସର୍କିଟ୍ ହାଉସ୍ ପରିବର୍ତ୍ତେ ରାଧିକ ରିଜେନ୍ସିରେ କରାଗଲା କାହିଁକି? କିଏ ଓ କେବେ ଏହି ହୋଟେଲରେ ରୁମ୍ ବୁକ୍ କରିଥିଲେ? କେଉଁ ପରିସ୍ଥିତିରେ ସେ ସେନସରୀ ପାର୍କ ଯାଏ ଗଲେ? ଜିଅନ୍ତା ଅବସ୍ଥାରେ ସେ ପାର୍କକୁ ଯାଇଥିଲେ ତ? ପାର୍କର ସୁରକ୍ଷା କର୍ମୀ କ’ଣ କରୁଥିଲେ? ଉକ୍ତ ପାର୍କର ସିସିଟିଭି ଅଚଳ କରାଯାଇନି ତ? ଉକ୍ତ ପୋଖରୀର ଗଭୀରତା କେତେ? ମୃତ୍ୟୁ ପୂର୍ବରୁ ତାଙ୍କୁ ଶାରୀରିକ ଶୋଷଣ କରାଯାଇନି ତ? କାହା ନିର୍ଦ୍ଦେଶରେ ଗୁରୁଣ୍ଡିଆ ବିଡିଓ ଏବଂ ସିଡିପିଓ ଘରକୁ ଯାଇ ସୁସ୍ମିତା ମାନସିକ ଭାରସାମ୍ୟ ହରାଇଥିବା କହିଥିଲେ? ମାନସିକ ଦୁଶ୍ଚିନ୍ତା ନେଇ ପରିବାର ଲୋକ ଜାଣିପାରିନଥିବା ବେଳେ ଗୁରୁଣ୍ଡିଆ ବିଡିଓ, ସିଡିପିଓ ଜାଣିଲେ କେମିତି? ପରିବାର ଲୋକ ମୃତକଙ୍କ ଶରୀରରେ କ୍ଷତ ଥିବା ଦେଖିଥିବା ସତ କି? ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ, ଡାକ୍ତର ପ୍ୟାନେଲଙ୍କ ଦ୍ବାରା ଶବ ବ୍ୟବଚ୍ଛେଦ କରାନଯିବାର କାରଣ କ’ଣ? ବ୍ୟବଚ୍ଛେଦ ବେଳେ ଭିଡିଓ ରେକର୍ଡିଂ କରାନଯିବାର କାରଣ କ’ଣ? ସୁସ୍ମିତା ପିନ୍ଧିଥିବା ଦୁଇଟି ହୀରାମୁଦି, ସୁନା ଚୁଡ଼ି ଓ ରୂପା ପାଉଁଜି କୁଆଡ଼େ ଗଲା? ସୁସ୍ମିତା ଯଦି ଆତ୍ମହତ୍ୟା କରିଥିଲେ, ତେବେ ତାଙ୍କ ପେଟରେ ରହିଥିବା ପାଣିର ପରିମାଣ କେତେ? ମୃତକଙ୍କ ମୋବାଇଲ କଲ୍ ରେକର୍ଡ ଯାଞ୍ଚ କରାଯାଇଛି କି? ହୋଟେଲକୁ କାହା ସହିତ ଯାଇଥିଲେ ଓ କାହା ସହ ବାହରିଥିଲେ ସେନେଇ ସିସିଟିଭି ଯାଞ୍ଚ କରାଯାଇଛି କି? ଏଭଳି ବିଭିନ୍ନ ପ୍ରଶ୍ନ କରିଛନ୍ତି ଶ୍ରୀ ତିର୍କୀ। ଆଗାମୀ ୩ ତାରିଖରେ ହେବାକୁ ଥିବା ଆନ୍ଦୋଳନରେ ମୃତକଙ୍କ ପରିବାର ସଦସ୍ୟ ସାମିଲ ହେବେ। ସୁସ୍ମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ। ସାମ୍ବାଦିକ ସମ୍ମିଳନୀରେ କଲ୍ୟାଣୀ ପୂର୍ତ୍ତି, ରୋହିତ ଯୋଶେଫ ତିର୍କୀ, ତେଜକୁମାରୀ ମିଞ୍ଜ, ଦିଲୀପ ଲେହରୀ, ଲକ୍ଷ୍ମୀ ଦାସ, ରଞ୍ଜନ ଓଝା, ବୁବୁନ ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ।