ବିଜୁ ଏକ୍ସପ୍ରେସ୍‌ ୱେ’ ପାଇଁ ଜମି ଦେଇ ହଟହଟା

ସଂଶୋଧିତ ମୂଲ୍ୟ ପାଉ ନାହାନ୍ତି ଘେଁସ୍‌ବାସୀ, ଆନ୍ଦୋଳନ ଚେତାବନୀ

ସମ୍ବଲପୁର: ଓଡ଼ିଶା ସରକାରଙ୍କ ମହତ୍ବାକାଂକ୍ଷୀ ପ୍ରକଳ୍ପ ‘ବିଜୁ ଏକ୍ସପ୍ରେସ୍ ୱେ’ ନିର୍ମାଣରେ ସହଯୋଗ କରି ଆଗୁଆ ନିଜ ଜମି ହସ୍ତାନ୍ତର କରିଥିବା ବରଗଡ଼ ଜିଲ୍ଲା ଘେଁସ ମୌଜାର ପ୍ରାୟ ୨୭ ଜଣ ପ୍ରଜା ଘୋର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କୁ ତାଙ୍କ ନ୍ୟାଯ୍ୟ ହକ୍ ଅନୁଯାୟୀ ଜମିର ମୂଲ୍ୟ ମିଳୁ ନାହିଁ। ବିକ୍ରି ଚୁକ୍ତି ଅନୁଯାୟୀ ଜିଲ୍ଲା କ୍ଷତିପୂରଣ ପରାମର୍ଶଦାତା କମିଟି (ଡିସିଏସି) ବୈଠକରେ ଜମିର କିସମ ଅନୁଯାୟୀ ଯଦି ଦର ସଂଶୋଧିତ ହେଲା ତା’ହେଲେ ସରକାରଙ୍କ ନୂତନ ନିର୍ଦ୍ଧାରିତ ଦର ଅନୁସାରେ ଏହି ପ୍ରଜା ମାନେ ଜମିର ମୂଲ୍ୟ ପାଇବା କଥା। କିଛି ପ୍ରଜା ଏହା ପାଇଛନ୍ତି ମଧ୍ୟ। କିନ୍ତୁ ଯେଉଁମାନେ ଆଗୁଆ ଜମି ହସ୍ତାନ୍ତର କରି ଦେଇଥିଲେ ସେମାନଙ୍କ ସହ ଏବେ ଖେଳୁଛନ୍ତି ସରକାର। ଗୋଟିଏ ମୌଜାରେ ସମାନ କିସମ ଜମି ପାଇଁ କେହି ୪ ଟଙ୍କା ପାଇଥିଲା ବେଳେ କେହି ମାତ୍ର ଟଙ୍କାଟିଏ ପାଇଛି। ଇତି ମଧ୍ୟରେ ବିଜୁ ଏକ୍ସପ୍ରେସ୍‌ ୱେ’ ନିର୍ମାଣ ଶେଷ ହୋଇ ତା’ ଉପରେ ଗାଡ଼ି ଦୌଡ଼ିଲାଣି। ମାତ୍ର ୫ ବର୍ଷ ହେଲା ସାମୂହିକ ସ୍ବାର୍ଥ ପାଇଁ ଏହି ବୃହତ୍ ପ୍ରକଳ୍ପର ଅଗ୍ରଗତି ନିମନ୍ତେ ନିଜ ଭୂମି ଛାଡ଼ିଥିବା ପ୍ରଜା ମାନେ ଏବେ ଏହାର ପ୍ରକୃତ ନିର୍ଦ୍ଧାରିତ ମୂଲ୍ୟ ପାଇବା ପାଇଁ ବାର ଦୁଆର ଦୌଡ଼ି ହଟହଟା ହେଉଛନ୍ତି।

ଦକ୍ଷିଣ ଓଡ଼ିଶା କୋରାପୁଟର ଚାନ୍ଦିଲିଠାରୁ ଉତ୍ତର ପଶ୍ଚିମ ଓଡ଼ିଶାର ଇସ୍ପାତ୍ ସହର ରାଉରକେଲାକୁ ଉନ୍ନତ ୪ ଥାକିଆ ସଡ଼କ ପଥରେ ଯୋଡ଼ିବା ପାଇଁ ରାଜ୍ୟ ସରକାର ୬୫୦ କିଲୋମିଟର ଲମ୍ବା ବିଜୁ ଏକ୍ସପ୍ରେସ୍ ୱେ’ର ଘୋଷଣା କରିଥିଲେ। ଏହି ରାଜପଥ ନିର୍ମାଣ ବେଳେ ଅନ୍ୟାନ୍ୟ ଅଞ୍ଚଳ ଭଳି ବରଗଡ଼ ଜିଲ୍ଲା ଘେଁସ୍ ଅଞ୍ଚଳରୁ ବି ଆବଶ୍ୟକ ଜମି ଅଧିଗ୍ରହଣ କରା ଯାଇଥିଲା। ଏହି ଅଧିଗ୍ରହଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଯେବେ ବହୁ ଲୋକ ନିଜ ଜମି ଛାଡ଼ିବାକୁ ଅମଙ୍ଗ ହେଉଥିଲେ ସେତେବେଳେ ଘେଁସ ଅଞ୍ଚଳର କିଛି ଲୋକ ପ୍ରକଳ୍ପରେ ସହଯୋଗ ପାଇଁ ଆଗୁଆ ନିଜ ଜମି ଛାଡ଼ିବାକୁ ପ୍ରସ୍ତୁତ ହୋଇଥିଲେ। ସରକାର ତ୍ରୁଟିପୂର୍ଣ୍ଣ ଦର ନିର୍ଦ୍ଧାରଣ କରି ସେମାନଙ୍କଠାରୁ ଜମି ନେଇଥିଲେ। ସେମାନେ ଜମିର ଉଚିତ ମୂଲ୍ୟ ଦାବି କରିବାରୁ ପରବର୍ତ୍ତୀ ଡିସିଏସି ବୈଠକରେ ମୂଲ୍ୟ ସଂଶୋଧିତ ହୋଇ ପୁନଃନିର୍ଦ୍ଧାରଣ ହେଲେ ସେମାନଙ୍କୁ ପରିବର୍ତ୍ତିତ ଦର ଅନୁଯାୟୀ ଅତିରିକ୍ତ ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇ ବିକ୍ରି ଚୁକ୍ତିନାମା (ସେଲ୍ ଡିଡ୍‌)ରେ ଉଲ୍ଲେଖ କରାଗଲା। ଏହାକୁ ବିଶ୍ବାସ କରି ଏହି ପ୍ରଜାମାନେ ସରକାରଙ୍କୁ ଜମି ବିକ୍ରି କରିଦେଲେ।

ପରବର୍ତ୍ତୀ ଡିସିଏସି ବୈଠକରେ ଘେଁସ୍‌ ମୌଜାର ତିନିଟି କିସମ ଜମିର ଦର ପୁନଃନିର୍ଦ୍ଧାରିତ ହେଲା। ଘରବାରି, ଆଣ୍ଟ ଓ ମାଳ କିସମ ଜମିର ଉଚିତ ଦର ନିର୍ଦ୍ଧାରଣ କରଗଲା। ଏଥିରେ ଯେଉଁ ମାନଙ୍କର ଘରବାରି ଜମି ଥିଲା ସେମାନଙ୍କୁ ଜମିର ପୁନଃ ନିର୍ଦ୍ଧାରିତ ନୂତନ ମୂଲ୍ୟ ପ୍ରଦାନ କରାଗଲା। ଚୁକ୍ତି ଅନୁଯାୟୀ ଯେଉଁ ମାନେ ଆଗୁଆ ଜମି ବିକ୍ରି କରି ସାରିଥିଲେ ସେମାନଙ୍କୁ ମଧ୍ୟ ବର୍ଧିତ ଦର ଅନୁଯାୟୀ ଅବଶିଷ୍ଟ ରାଶି (ଡିଫରେନ୍‌ସିଆଲ୍ ଆମାଉଣ୍ଟ) ପ୍ରଦାନ କରାଗଲା। କିନ୍ତୁ ଯେଉଁ ମାନଙ୍କର ଆଣ୍ଟ ଓ ମାଳ କିସମ ଜମି ଯାଇଥିଲା, ସେମାନଙ୍କୁ ପୁନଃ ନିର୍ଦ୍ଧାରିତ ଦର ଅନୁଯାୟୀ ଅବଶିଷ୍ଟ ରାଶି ଦିଆଗଲା ନାହିଁ। ମାଳ କିସମ ପାଇଁ ପୂର୍ବରୁ ଏକର ପିଛା ଦର ୫ ଲକ୍ଷ ୭୪ ହଜାର ୪୫୨ ଟଙ୍କା ଧାର୍ଯ୍ୟ ହୋଇଥିଲାବେଳେ ପରବର୍ତ୍ତୀ ବୈଠକରେ ତାହା ସଂଶୋଧିତ ହୋଇ ୧୦,୫୭,୧୧୮ ଟଙ୍କା ପ୍ରତି ଏକର ହୋଇଥିଲା।

ସେହିପରି ଆଣ୍ଟ କିସମ ପୂର୍ବରୁ ଏକର ପିଛା ୩,୩୦,୯୫୫ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ତାହା ୧୪,୬୩,୪୬୫ ଟଙ୍କା ଧାର୍ଯ୍ୟ ହେଲା। ଦର ପୁନଃନିର୍ଦ୍ଧାରଣ ପରେ ଯେଉଁ ମାନେ ଜମି ହସ୍ତାନ୍ତର କଲେ ସେମାନେ ସଂଶୋଧିତ ଦାମ ପାଇଲେ। କିନ୍ତୁ ଯେଉଁମାନେ ପରବର୍ତ୍ତୀ ସମୟରେ ଦର ପୁନଃନିର୍ଦ୍ଧାରିତ ହେଲେ ସଂଶୋଧିତ ମୂଲ୍ୟ ପାଇବେ ବୋଲି ଚୁକ୍ତି କରି ଆଗୁଆ ଜମି ହସ୍ତାନ୍ତର କରିଥିଲେ, ସେମାନଙ୍କୁ ସରକାରୀ ଅଧିକାରୀ ମାନେ ଅତିରିକ୍ତ ବର୍ଦ୍ଧିତ ମୂଲ୍ୟ ପ୍ରଦାନରେ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି। ତେବେ ବରଗଡ଼ ଜିଲ୍ଲାରେ ଏହି ପ୍ରକଳ୍ପର ଆବାହକ ଥିବା ପୂର୍ତ୍ତ ବିଭାଗର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ଏହି ପ୍ରଜା ମାନଙ୍କ ନ୍ୟାଯ୍ୟ ଦାବି ସଂପର୍କରେ ଜାଣି ଥିବାରୁ ସରକାର ବର୍ଧିତ ଦର ଅନୁଯାୟୀ ଅତିରିକ୍ତ ଟଙ୍କା ମଞ୍ଜୁର କରିବାକୁ ଦୁଇଥର ମୁଖ୍ୟ ଯନ୍ତ୍ରୀ (ଡିପିଆଇ ରୋଡ୍‌)ଙ୍କୁ ଚିଠି କରିଥିଲେ।

କିନ୍ତୁ ଉକ୍ତ ଚିଠି ସେହି ସ୍ତରରେ ଅଟକି ଯାଉଛି, ତାକୁ ବିଭାଗୀୟ ମଞ୍ଜୁରି ପାଇଁ ଦାଖଲ କରାଯାଉ ନଥିବା ଏହି ପ୍ରଜାମାନେ ଅଭିଯୋଗ କରିଛନ୍ତି। ସେମାନେ  ବରଗଡ଼ ଜିଲ୍ଲାପାଳଙ୍କଠୁ ନେଇ ଭୁବନେଶ୍ବରସ୍ଥିତ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକାଧିକ ବାର ଦୌଡ଼ି ନିରାଶ ହେବା ପରେ ଗତ ଜୁନ୍‌ ମାସ ୧୭ ତାରିଖରେ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଥିଲେ। କିନ୍ତୁ ସରକାରଙ୍କୁ ଲେଖାଯାଇଛି, ଶୀଘ୍ର ଅର୍ଥ ମଞ୍ଜୁର ହୋଇଯିବ ବୋଲି ନର୍ବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ମାସେରୁ ଅଧିକ ବିତିବା ପରେ ବି ଏହି ରାଶି ମଞ୍ଜୁର ହୋଇ ନାହିଁ। ତେଣୁ ତୁରନ୍ତ ସେମାନଙ୍କ ଜମିର ଉଚିତ ମୂଲ୍ୟ ନମିଳିଲେ ଆଗକୁ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଘେଁସ ମୌଜାର ଏହି କ୍ଷତିଗ୍ରସ୍ତ ପ୍ରଜାଙ୍କ ତରଫରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର