ସୁନ୍ଦରଗଡ଼: ବିସ୍ଥାପିତଙ୍କୁ ପୁନର୍ବାସ, ଥଇଥାନ ସହ ନୀତି ଅନୁସାରେ ଅନ୍ୟ ସୁବିଧା ଦେବାକୁ ମହାନଦୀ ଖୋଲା ମୁହଁ କୋଇଲା ଖଣି (ଏମସିଏଲ) କୁଣ୍ଠା ପ୍ରକାଶ କରିବା ଓ ସୁପ୍ରିମକୋର୍ଟ ତଥା କ୍ଲେମ କମିସନଙ୍କ ଆଦେଶକୁ ମଧ୍ୟ ଅବମାନନା କରି ରାୟ ବିରୋଧରେ ପ୍ରତି ଆବେଦନ କରି ବର୍ଷ ବର୍ଷ ଗଡ଼ାଇ ନେଉଥିବା ଅଭିଯୋଗ କରି ଜୁଲାଇ ୨ ତାରିଖରୁ ଖଣି ବନ୍ଦ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନର ତୃତୀୟ ଦିନରେ ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ସୁରକ୍ଷା ଅଧିକାର ମଞ୍ଚ ସହ ପ୍ରଶାସନ ଓ ବିଧାୟିକା କୁସୁମ ଟେଟେ, ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନଙ୍କ ଉପସ୍ଥିତିରେ ଏମସିଏଲ ଉଚ୍ଚ କର୍ତ୍ତୃପକ୍ଷ ପୁଣି ଆଲୋଚନାକୁ ଆସିଥିଲେ ମଧ୍ୟ ତାହା ବିଫଳ ହୋଇଛି।
ପୁନର୍ବାସ, ଥଇଥାନ ଓ ନିଯୁକ୍ତି ନେଇ ଜୁଲାଇ ୧୪ ତାରିଖରେ କୋର୍ଟ ଆଦେଶ ଆସିବା ପରେ ଯୋଗ୍ୟ ବିସ୍ଥାପିତଙ୍କୁ ସୁବିଧା ଦିଆଯିବ ବୋଲି କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ଦେଇଥିବାବେଳେ ତାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ୧୪ ଖଣ୍ଡ ଗାଁ ବିସ୍ଥାପିତ। ପୁନର୍ବାସ, ଥଇଥାନ, ନିଯୁକ୍ତି ପ୍ରସଙ୍ଗରେ ଏମସିଏଲ କେବଳ ମିଛ ପ୍ରତିଶ୍ରୁତି ଦେଇ ଆସୁଥିବା, ବିଭିନ୍ନ ସମୟରେ କୋର୍ଟ, କ୍ଲେମ କମିସନ ଓ ପ୍ରଶାସନଙ୍କ ନିର୍ଦ୍ଦେଶକୁ ଏମସିଏଲ ନମାନି ନିଜ ମନମର୍ଜିରେ ବିସ୍ଥାପିତଙ୍କୁ ଥଇଥାନ, ନିଯୁକ୍ତି, ପୁନର୍ବାସ ଦେବାକୁ ମସୁଧା ଚଲାଇଥିବାରୁ ଠୋସ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ବିସ୍ଥାପିତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସ୍ପଷ୍ଟ ଶୁଣାଇ ଦେଇଛନ୍ତି। କୁଲଡା ଖଣି ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଲୋଚନାରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁଙ୍କ ସହ ଏମସିଏଲ ଅଧିକୃତ ନିର୍ଦ୍ଦେଶକ କେଶବ ରାଓ, ବୈଷୟିକ ଓ କାର୍ଯ୍ୟ ସମ୍ପାଦନ ନିର୍ଦ୍ଦେଶକ ଯୁଗଳ କିଶୋର ବୋରା, ପ୍ରକଳ୍ପ ଓ ଯୋଜନା ବୈଷୟିକ ନିର୍ଦ୍ଦେଶକ ଏ.ଏସ.ବାପଟ, ଏଲ୍ ଆଣ୍ଡ ଆର୍ ମହାପ୍ରବନ୍ଧକ ଅନୁପମ ଶ୍ରୀବାସ୍ତବ, ଏମସିଏଲ ବସୁନ୍ଧରା କ୍ଷେତ୍ର ମହାପ୍ରବନ୍ଧକ ବୁଚି ରେଡ୍ଡୀ, ମହାଲକ୍ଷ୍ମୀ କ୍ଷେତ୍ର ମହାପ୍ରବନ୍ଧକ ଅଜୟ ନାମଯୋଶୀ, ହେମଗିର ପଞ୍ଚାୟତସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ସା, ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ସୁରକ୍ଷା ଅଧିକାର ମଞ୍ଚର ପ୍ରତିନିଧି ଉପସ୍ଥିତ ଥିଲେ।
ଅଭିଯୋଗ ରହିଛି, ଗତ ୩ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟ ୯ ମାସ ମଧ୍ୟରେ ତୁମୁଲିଆ ଓ ଝୁପୁରୁଙ୍ଗା ଗାଁ ସହ ୧୪ ଖଣ୍ଡ ଗାଁ ବିସ୍ଥାପିତଙ୍କୁ କ୍ଷତିପୂରଣ ଓ ପୁନର୍ବାସ, ଥଇଥାନ ସୁବିଧା ପ୍ରଦାନ ଶେଷ କରିବାକୁ ଆଦେଶ ଦେଇଥିଲେ। କିନ୍ତୁ ୭ ମାସ ବିତିଯିବା ପରେ ବି ଏ ଦୁଇ ଗାଁର ହାତଗଣତି ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯାଇଛି। ୧୪ଟି ବିସ୍ଥାପିତ ଗାଁ ସମେତ ଥଇଥାନ ଓ ପୁନର୍ବାସ ଆଇନ ୨୦୧୩ ନୀତି ଲାଗୁ ହୋଇଥିବା ତୁମୁଲିଆ, ଝୁପୁରୁଙ୍ଗା, ରତନସରା ଓ କିରିପସିରା ବିସ୍ଥାପିତଙ୍କ ପାଇଁ ଏଯାଏଁ ଥଇଥାନ ଓ ପୁନର୍ବାସ ସ୍ଥାନ ବା ଗୃହ ନିର୍ମାଣ ଭୂମି ଚୂଡ଼ାନ୍ତ କରାଯାଇ ନାହିଁ।
ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ବିସ୍ଥାପିତଙ୍କୁ ୧୦ ଡିସିମିଲ ଘରଡିହ ଓ ଗୃହ ନତୁବା ଏକକାଳୀନ ସାଢ଼େ ୧୪ ଲକ୍ଷ ପ୍ରଦାନ, ଡିହ ନେବାକୁ ଚାହୁ ନଥିବା ବିସ୍ଥାପିତ ପରିବାକରୁ ୨୫ ଲକ୍ଷ ଦିଆଯିବା କଥା। କିନ୍ତୁ ଏଯାଏ କମ୍ପାନି ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ସେହିପରି ଜଣକୁ ବି ବିସ୍ଥାପନ ପ୍ରମାଣପତ୍ର ପ୍ରଦାନ କରାଯାଇ ନାହିଁ। ଓଡ଼ିଶା ସରକାରଙ୍କ ଥଇଥାନ ଓ ପୁନର୍ବାସ ନୀତି ୨୦୦୬ ଓ ସଂଶୋଧିତ ନୀତି ୨୦୧୩ ଅନୁଯାୟୀ ୧୪ଟି ଗାଁ ବିସ୍ଥାକପିତ ପରିବାରର ଜଣକୁ ନିଯୁକ୍ତି ପ୍ରଦାନ ପାତଇଁ ୨୦୨୨ ଅକ୍ଟୋବର ୧୬ରେ ଅନୁଷ୍ଠିତ ବୈଠକରେ ଏମସିଏଲ କର୍ତ୍ତୃପକ୍ଷ ରାଜି ହୋଇଥିଲେ। କିନ୍ତୁ ଏଯାଏ ଜଣକୁ ବି ନିଯୁକ୍ତି ଦିଆଯାଇ ନାହିଁ। ଏ ପ୍ରସଙ୍ଗରେ ୮ ମାସ ତଳେ ଜିଲ୍ଲା ପ୍ରଶାସନ, ଏମସିଏଲ କର୍ତ୍ତୃପକ୍ଷ ଓ ବିସ୍ଥାପିତଙ୍କ ମଧ୍ୟରେ ତ୍ରିପାକ୍ଷିକ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏମସିଏଲ ତାକୁ ଏଯାଏଁ କାର୍ଯ୍ୟକାରୀ ନକରି ପକାଇ ରଖିଛି । ଏଥିରେ ଅସନ୍ତୁଷ୍ଟ ବିସ୍ଥାପିତ ୩ ଦିନ ହେଲା ଏମସିଏଲ ଅଫିସ ସମେତ ବସୁନ୍ଧରା, କୁଲଡା, ଗର୍ଜନବାହାଲ, ସିଆରମାଲ ଖଣି ଓ ସରଡେଗା ରେଲୱେ ସାଇଡିଂକୁ ବନ୍ଦ କରି ଦେଇଛନ୍ତି।