ଅଗ୍ନି-୧ର ସଫଳ ପରୀକ୍ଷଣ

ବାଲେଶ୍ୱର/ଚାନ୍ଦବାଲି: ଚାନ୍ଦିପୁର ଆଇଟିଆର ପକ୍ଷରୁ ଧାମରାସ୍ଥିତ ଅବଦୁଲ କଲାମ ଦ୍ୱୀପର ୪ନମ୍ବର ଲଂଚ ପ୍ୟାଡ୍‌ରୁ ଆଜି ସକାଳ ସାଢ଼େ ୮ରେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ ମିସାଇଲ ଅଗ୍ନି-୧ର ପରୀକ୍ଷଣ ସଫଳ ହୋଇଛି। ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ଏହି ପରମାଣୁ କ୍ଷମତା ସଂପନ୍ନ ବାଲିଷ୍ଟିକ୍‌ ମିସାଇଲ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଏହାର ଲମ୍ବ-୧୫ମିଟର, ମୋଟେଇ ୧ମିଟର ଏବଂ ଓଜନ ୧୨ଟନ୍‌। ଏଥିରେ ପ୍ରାୟ ୧ଟନ୍‌ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। କଠିନ ଇନ୍ଧନ ଆବଶ୍ୟକ କରୁଥିବା ଏହି ମିସାଇଲର ମାରକ କ୍ଷମତା ୭୦୦ରୁ ୯୦୦ କିଲୋମିଟର ମଧ୍ୟରେ ଓ ଏହାର ବେଗ ସେକେଣ୍ଡ ପ୍ରତି ୨.୫ କିମି ବୋଲି ଜଣାପଡ଼ିଛି। ପରୀକ୍ଷଣ ବେଳେ ଆଇଟିଆର ନିର୍ଦେଶକ, ଅଗ୍ନି-୧ ମିସାଇଲର ନିର୍ଦେଶକଙ୍କ ସମେତ ବହୁ ବରିଷ୍ଠ ବୈଜ୍ଞାନିକ ଉପସ୍ଥିତ ଥିଲେ। ଏହି ସମୟରେ ଉପକୂଳ ଅଞ୍ଚଳରେ ସୁରକ୍ଷା ପାଇଁ ସାମୁଦ୍ରିକ ଥାନା ଓ ତଟରକ୍ଷୀ ବାହିନୀକୁ ସଜାଗ ରଖାଯାଇଥିଲା। ଅଗ୍ନି-୧ ମିସାଇଲର ପରୀକ୍ଷଣ ବର୍ତ୍ତମାନ ପାଇଁ ସୁବୁଠୁ ଗୁରୁତ୍ୱପୂର୍ଣର୍। ଦେଶର ବାହ୍ୟଶତ୍ରୁଙ୍କୁ କଡ଼ା ଟକ୍କର ଦେବା ଲାଗି ପ୍ରତିରକ୍ଷା ବିଭାଗ ଏହି ମିସାଇଲ ଆଜି ପରୀକ୍ଷା କରିଛି। ପ୍ରଥମେ ଅଗ୍ନି-୧ ମିସାଇଲ ୧୯୮୯ ମସିହାରେ ଚାନ୍ଦିପୁର ୩ ନମ୍ବର ଲଂଚପ୍ୟାଡ୍‌ରୁ ପରୀକ୍ଷା ହୋଇଥିଲା। ପରେ ୨୦୦୨ ଜାନୁଆରି ୨୫, ୨୦୧୦ ଡିସେମ୍ବର ୧୦, ୨୦୧୨ ଜୁଲାଇ ୧୩, ୨୦୧୪ ଏପ୍ରିଲ ୧୧, ୨୦୧୫ ନଭେମ୍ବର ୨୭ ଓ ୨୦୧୬ ନଭେମ୍ବର ୨୨ରେ ଏହାର ପରୀକ୍ଷା ସଫଳ ହୋଇଥିଲା। ଦୀର୍ଘ ୧୫ମାସ ପରେ ଆଜି ଏହାର ପୁନଃ ପରୀକ୍ଷଣ କରାଯାଇଛି। ଅଗ୍ନି-୧କୁ ପୂର୍ବରୁ ସେନାରେ ସାମିଲ କରାଯାଇ ସାରିଛି। ସୂଚନାଥାଉକି, ଚଳିତ ବର୍ଷ ଜାନୁଆରି ୧୮ରେ ଅଗ୍ନି-୫ ମିସାଇଲର ପରୀକ୍ଷା ମଧ୍ୟ ସଫଳ ହୋଇଥିଲା।

ସମ୍ବନ୍ଧିତ ଖବର