ଅଗ୍ନି-୫ର ପରୀକ୍ଷା ଆଜି

ବାଲେଶ୍ୱର/ଚାନ୍ଦବାଲି : ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ଆସନ୍ତା କାଲି ବଙ୍ଗୋପସାଗର ପୂର୍ବ ଉପକୂଳସ୍ଥ ଅବଦୁଲ କାଲାମ ଦ୍ୱୀପର ୪ନମ୍ବର ଲଂଚ୍‌ପ୍ୟାଡ଼ରୁ ଶକ୍ତିଶାଳୀ ଅଗ୍ନି-୫ କ୍ଷେପଣାସ୍ତ୍ର ପରୀକ୍ଷା ହେବ। ସକାଳ ୧୦ଟାରୁ ୧୦.୩୦ ମଧ୍ୟରେ ଏହି ପରୀକ୍ଷା ହେବ ବୋଲି ସୂଚନା ମିଳିଛି। ଚୀନ୍‌ର ଅନ୍ତଃ ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ଡଙ୍ଗପେଙ୍ଗ-୫(କ)କୁ ଟକ୍କର ଦେବାକୁ ଭାରତ ଅଗ୍ନି-୫କୁ ପ୍ରସ୍ତୁତ କରିଛି। ଅଗ୍ନି-୫ର ଉତ୍‌କ୍ଷେପଣ ପାଇଁ ଅବଦୁଲ କାଲାମ ଦୀପରେ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ପରମାଣୁ କ୍ଷମତା ସଂପନ୍ନ ଏହି ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଅଗ୍ନି-୫ର ଲମ୍ବ ୧୭.୫ ମିଟର, ମୋଟେଇ ୨ ମିଟର ଓ ଏହାର ଓଜନ ୫୦ ଟନ୍‌। ଏହି କ୍ଷେପଣାସ୍ତ୍ରରେ ୧.୫ ଟନ୍‌ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ତିନି ଷ୍ଟେଜ୍‌ ବିଶିଷ୍ଟ କଠିନ ଇନ୍ଧନ ଆବଶ୍ୟକ କରୁଥିବା ଅଗ୍ନି-୫ର ମାରକ କ୍ଷମତା ୫୦୦୦ ରୁ ୮୦୦୦ କିଲୋମିଟର। ପୂର୍ବରୁ ୨୦୧୨, ୨୦୧୩, ୨୦୧୫ ଓ ୨୦୧୬ରେ ଅଗ୍ନି- ୫ର ପରୀକ୍ଷା ସଫଳ ହୋଇଥିଲା।

୨୦୧୦ ଡିିସେମ୍ବର ୧୦ରେ ଅଗ୍ନି ସିରିଜର ପ୍ରଥମ କ୍ଷେପଣାସ୍ତ୍ର ପରୀକ୍ଷା ହୋଇଥିଲା। ୨୦୧୧ ନଭେମ୍ବର ୧୫ରେ ଅଗ୍ନି-୨, ୨୦୧୨ ସେପ୍ଟେମ୍ବର ୧୯ରେ ଅଗ୍ନି-୩, ୨୦୧୪ ଜାନୁଆରି ୨୦ରେ ଅଗ୍ନି-୪ର ପରୀକ୍ଷା ସଫଳ ହୋଇଥିଲା। ଶେଷ ଥର ପାଇଁ ଡିସେମ୍ବର ୨୬, ୨୦୧୬ରେ ଅଗ୍ନି ୫ର ସଫଳ ପରୀକ୍ଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର