‘ଅଗ୍ନି-୪’ର ସପ୍ତମ ପରୀକ୍ଷଣ ସଫଳ

ବାଲେଶ୍ବର/ଚାନ୍ଦବାଲି : ଧାମରା ନିକଟସ୍ଥ ଅବଦୁଲ କଲାମ ଦ୍ବୀପରୁ ଆଜି ସକାଳ ୮ଟା ୩୫ରେ ବହୁ ପ୍ରତୀକ୍ଷିତ ଅଗ୍ନି-୪ ଅନ୍ତର୍ଜାତୀୟ ବାଲିଷ୍ଟିକ୍ ମିଜାଇଲର ସପ୍ତମ ପରୀକ୍ଷଣ ସଫଳ ହୋଇଛି। ସ˚ପୂର୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ୩ହଜାର କିମିରୁ ଆରମ୍ଭ ହୋଇ ୪ହଜାର କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାର କ୍ଷମତା ରହିଛି। ବିଶେଷ କରି ପାକିସ୍ତାନ ଓ ଚୀନ୍‌କୁ କଡ଼ା ଟକ୍କର ଦେବାର କ୍ଷମତା ଥିବାରୁ ଏହାର ସଫଳ ପରୀକ୍ଷଣକୁ ନେଇ ଆଇଟିଆର୍‌ ତଥା ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

୧୭ ଟନ୍‌ ବିଶିଷ୍ଟ ଏହି ବାଲିଷ୍ଟିକ ମିଜାଇଲର ଲମ୍ବ ୨୦ମିଟର ଓ ଗୋଲେଇ ୨ ମିଟର। ଦୁଇ ଥାକିଆ ଇଞ୍ଜିନ ବିଶିଷ୍ଟ କଠିନ ଇନ୍ଧନରେ ଏହା ପରିଚାଳିତ ହୋଇଥାଏ ଏବଂ ୧ଟନ ଓଜନର ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରହିଛି। ପୂର୍ବରୁ ଭାରତୀୟ ପଦାତିକ ବାହିନୀ ଏବ˚ ପ୍ରତିରକ୍ଷା ଗବେଷଣା ସ˚ସ୍ଥାର ମିଳିତ ସହଯୋଗରେ ଏହାର ୩ଥର ପରୀକ୍ଷା କରାଯାଇଥିଲା। ତେବେ ୨୦୧୪ ଅପ୍ରେଲ ୧୧ ରାତି ୧୧ଟାରେ ୭୦୦ କିମିରେ ଲକ୍ଷ୍ୟ ଭେଦ ପାଇଁ ଏହାର ଯେଉଁ ପରୀକ୍ଷଣ କରାଯାଇଥିଲା, ତାହା ବିଫଳ ହୋଇଥିଲା। ପୁୂନଶ୍ଚ ୨୦୧୪ ଡିସେମ୍ବରରେ ଏହାର ସଫଳ ପରୀକ୍ଷଣ କରାଯାଇଥିଲା। ୨୦୧୫ ନଭେମ୍ବର ୧୦ ତାରିଖରେ ମଧ୍ୟ ଏହାର ସଫଳ ପରୀକ୍ଷଣ କରାଯାଇଥିଲା। ଶେଷ ଥର ପାଇଁ ୨୦୧୭ ଜାନୁଆରି ୨ତାରିଖରେ ପରୀକ୍ଷା ସଫଳ ହେବା ପରେ ଆଜି ଏହାର ସଫଳ ପରୀକ୍ଷଣ ହୋଇଥିବାରୁ ସମସ୍ତଙ୍କ ଉତ୍କଣ୍ଠା ବଢ଼ିଛି।

ସମ୍ବନ୍ଧିତ ଖବର