‘ଅଗ୍ନିପଥ’ ‌ଯୋଜନାକୁ ନେଇ କଟକରେ ପୁଲିସ-ବିକ୍ଷୋଭକାରୀ ମୁହାଁମୁହିଁ; ଭଙ୍ଗାରୁଜା, ପୁଲିସର ଲାଠିମାଡ଼

କଟକ : ସେନାବାହିନୀରେ ୪ ବର୍ଷିଆ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ‌ଯୋଜନାକୁ ନେଇ ସମଗ୍ର ଦେଶରେ ଦେଖାଦେଇଥିବା ଅସନ୍ତୋଷର ନିଆଁ ଆଜି ଓଡ଼ିଶାକୁ ବ୍ୟାପିଛି। ଅଗ୍ନିପଥ ଯୋଜନାକୁ କଟକରେ ବିରୋଧ କରି ଶହ ଶହ ସଂଖ୍ୟ‌ା‌ରେ ଯୁବକ ରାସ୍ତାକୁ ଓହ୍ଲାଇଛନ୍ତି।

କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ଯୁବକମାନେ କଟକରେ ଏକାଠି ହୋଇ ଏହାକୁ ବିରୋଧ କରିଥିଲେ। ବାରବାଟୀ ଷ୍ଟାଡିୟମ ନିକଟସ୍ଥ ଆର୍ମି ରିକ୍ରୁଟମେଣ୍ଟ୍ ଅଫିସ ନିକଟରେ ଏହି ଯୁବକମାନେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହାତରେ
ଠେଙ୍ଗାବାଡ଼ି ଧରି ବିକ୍ଷୋଭ କରିଥିଲେ। ଆର୍ମି ରିକ୍ରୁଟମେଣ୍ଟ୍ ଅଫିସ୍‌ ଫାଟକକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଏପରିକି କାର୍ଯ୍ୟାଳୟ ଭିତରକୁ ଧ‌ସେଇ ପଶିବାକୁ ଉଦ୍ୟମ ମଧ୍ୟ କରିଥିଲେ। ପୁଲିସ ସେଠାରୁ ସେମାନଙ୍କୁ ଘଉଡ଼ାଇ ଦେବାପରେ ଯୁବକମାନେ ଗଡ଼ଗଡିଆ ମନ୍ଦିର ନିକଟସ୍ଥ ରିଂବନ୍ଧ ନିକଟରେ ଏକାଠି ‌ହୋଇ ରାସ୍ତା ଅବରୋଧ କରିଥିଲେ।

ରାସ୍ତା ଅବରୋଧ ଯୋଗୁ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। ଖବରପାଇ ବରିଷ୍ଠ ପୁଲିସ ଅଧିକାରୀମ‌ାନେ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ବିକ୍ଷୋଭକାରୀମାନେ ଶୁଣି ନଥିଲେ। ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପରିସ୍ଥିତି ଆୟତ୍ତ କରିବାକୁ ପୁଲିସକୁ ଲାଠିଚାଳନା କରିବାକୁ ପଡିଥିଲା। ବିକ୍ଷୋଭକାରୀମାନେ କ୍ୟ‌ାଣ୍ଟନମେଣ୍ଟ୍ ରୋଡ, ବିଜୁ ପଟ୍ଟନାୟକ ଛକ, ରିଂ ବନ୍ଧରେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିଥିଲେ। ଲୁହାପାଇପ, ପଥର ପକାଇ ରାସ୍ତା ଅବରୋଧ କରିଥିଲେ। ପୁଲିସ ଆନ୍ଦୋଳନକାରୀ ଯୁବକମାନଙ୍କୁ ଧରି ବିଭିନ୍ନ ସ୍ଥାନରେ ଅଟକ ରଖିଥିଲେ। ତେବେ, ବହୁ ଯୁବକ କଟକ ରେଳଷ୍ଟେସନ ଆଡକୁ ଯିବାବେଳେ ପୁଲିସ ସେମାନଙ୍କୁ ନିୟନ୍ତ୍ରଣ କରିଥିଲା। ଉତ୍ତ୍ୟକ୍ତ ଯୁବକମାନେ ମହାନଦୀ କୂଳ ବାଲିଯାତ୍ରା ପଡିଆ ଦେଇ ଯୋବ୍ରା ମ୍ୟାରିଟାଇମ ମ୍ୟୁଜିୟମ ଆଡକୁ ଯାଉଥିବାବେଳେ ଡିସିପି ପିନାକ ମିଶ୍ରଙ୍କ ନେତୃତ୍ବରେ ପୁଲିସ ବିକ୍ଷୋଭକାରୀମାନଙ୍କୁ ବୁଝାସୁଝା କରି ନିୟନ୍ତ୍ରଣକୁ ଆଣିଥିଲା।

ସମ୍ବନ୍ଧିତ ଖବର