ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ: କଂଗ୍ରେସ

ଭୁବନେଶ୍ବର : ଦେଶର ସେନାବାହିନୀକୁ ଯୋଜନାବଦ୍ଧ ଭାବେ ଦୁର୍ବଳ କରିବାକୁ ମୋଦୀ ସରକାରଙ୍କ ପ୍ରଚେଷ୍ଟାକୁ କଦାପି ବରଦାସ୍ତ କରାଯିବନି ବୋଲି ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ୍ ସାୱନ୍ତ କହିଛନ୍ତି।

ରବିବାର ଦିନ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାୱନ୍ତ କହିଛନ୍ତି ଯେ ଅଗ୍ନିପଥ ଯୋଜନା ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପ୍ରତି ଧୋକା ଏବଂ ବିଶ୍ୱାସଘାତ ସଦୃଶ। ଭାରତ ଭଳି ଦେଶ ଆଜି ଉତ୍କଟ ବେକାରୀ ସମସ୍ୟା ଦେଇ ଗତି କରୁଥିବା ବେଳେ ସେନାବାହିନୀରେ ନିଯୁକ୍ତି ଅପେକ୍ଷାରେ ଥିବା ଦେଶର ଏକ କୋଟିରୁ ଉର୍ଦ୍ଧ୍ୱ ଯୁବକ ଆଜି ମୋଦୀ ସରକାରଙ୍କ ଅଗ୍ନିପଥ ଯୋଜନା ଯୋଗୁଁ ପ୍ରତାରିତ ଏବଂ ହତାଶ ହୋଇଛନ୍ତି। ସରକାରଙ୍କ ମନଇଚ୍ଛା ନିଷ୍ପତ୍ତି ଯୋଗୁଁ ଦେଶ ଜିଏସ୍‌ଟି, ନୋଟ୍‌ବନ୍ଦୀ, ଜମି ଅଧିଗ୍ରହଣ ବିଲ୍‌, କୃଷି କାନୁନ୍‌ ଭଳି କାହା ସହିତ ଆଲୋଚନା ନକରି ଅଗ୍ନିପଥ ପରି ଏକ ଦିଶାହୀନ ଯୋଜନାକୁ ଲାଗୁ କରାଯିବାର ଏକପାଖିଆ ନିଷ୍ପତ୍ତି। ଏ ଦେଶର ସମଗ୍ର ଯୁବସମାଜର ହିତ ଦୃଷ୍ଟିରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଶ୍ରୀ ସାୱନ୍ତ ଦାବି କରିଛନ୍ତି।

ସେହିପରି ପୂର୍ବରୁ ସେନାବାହିନୀରେ ପ୍ରତ୍ୟେକ ବର୍ଷ ୮୦ ହଜାରରୁ ଉର୍ଦ୍ଧ୍ୱ ସ୍ଥାୟୀ ଚାକିରି ପାଇଁ ନିଯୁକ୍ତି ଦିଆଯାଉଥିବା ବେଳେ ମୋଦୀ ସରକାରଙ୍କ ସମୟରେ ତାହା କମି କମି ୨୦୧୮ ମସିହା ସୁଦ୍ଧା ୫୦ ହଜାରକୁ ଖସି ଆସିଥିଲା । କରୋନା ଯୋଗୁଁ ବିଗତ ଦୁଇ ବର୍ଷ ଧରି ସେନାରେ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ବନ୍ଦ ଥିଲା। ଏ ବର୍ଷ ଅତି କମରେ ୧.୫ ଲକ୍ଷ ଚାକିରି ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରିବର୍ତେ ମାତ୍ର ୪୬ ହଜାର ନିଯୁକ୍ତି ଦିଆଯିବ। ତାହା ପୁଣି ଦେଶର ସେନାବାହିନୀରେ ଠିକାରେ ମାତ୍ର ୪ ବର୍ଷ ପାଇଁ କାର୍ଯ୍ୟ କରିବାର ପ୍ରକ୍ରିୟାକୁ ସମଗ୍ର ଯୁବ ସମାଜର ବିରୋଧକୁ କଂଗ୍ରେସ ନୈତିକ ଭାବରେ ସମର୍ଥନ କରୁଛି ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର