‘ଭାରତୀୟ ସେନାକୁ ସୁଦୃଢ଼ କରିବ ଅଗ୍ନିପଥ’

‘’ଆନ୍ଦୋଳନ ପଛରେ ବାହ୍ୟଶକ୍ତିର ହାତ ରହିଛି’

ଭୁବନେଶ୍ବର : କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ସରକାର ଘୋଷଣା କରିଥିବା ‘ଅଗ୍ନିପଥ’ ଯୋଜନା ଭାରତୀୟ ସେନାକୁ ଆହୁରି ସୁଦୃଢ଼ କରିବ। ୧୭.୫ ବର୍ଷରୁ ୨୧ ବର୍ଷ (୨୩ବର୍ଷକୁ ବୃଦ୍ଧି ପାଇଛି) ବୟସ୍କ ଯୁବକମାନେ ୪ ବର୍ଷ ପାଇଁ ଦେଶସେବା କରିବା ପାଇଁ ସୁଯୋଗ ଲାଭ କରି‌େବ। ବିଶେଷଜ୍ଞମାନେ ବି ଏହି ଯୋଜନାକୁ ସ୍ବାଗତ୍‌ କରିବା ସହିତ ଦେଶ ଅଧିକ କୁଶଳୀ ଓ ଯୁବ ସୈନ୍ୟବାହିନୀ ପ୍ରସ୍ତୁତ କରିବାରେ ସକ୍ଷମ ହେବ ବୋଲି କହିଛନ୍ତି । ମାତ୍ର, ଯୋଜନା ସମ୍ପର୍କରେ ମିଛ ପ୍ରଚାର କରି ହିଂସାତ୍ମକ ଆଚରଣ ପାଇଁ କିଛି ଦେଶ ବିରୋଧୀ ଶକ୍ତି ଓ ରାଜନୈତିକ ଦଳ ଯୁବକମାନଙ୍କୁ ଉସ୍‌କାଉଛନ୍ତି ବୋଲି ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ଶ୍ରୀ ଆଚାର୍ଯ୍ୟ ଏକ ପ୍ରେସ୍‌ ବିବୃତି ଜାରିଆରେ କହିଛନ୍ତି ଯେ ବିହାରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ଧୀରେଧୀରେ ପୂରା ଦେଶକୁ ବ୍ୟାପିବାରେ ଲାଗିଛି। ତେବେ, ଏହି ରାଜ୍ୟରେ ଚାକିରି ପାଇଁ ପ୍ରସ୍ତୁତ ହେଉଥିବ‌ା ଯୁବବର୍ଗ ଅନେକ ସମୟରେ କୋଚିଂ ସେଣ୍ଟର ଦଲାଲଙ୍କ ଦ୍ବାରା ଶୋଷଣର ଶିକାର ହୋଇଥା’ନ୍ତି। ଏବେ ‘ଅଗ୍ନିବୀର’ ଯୋଜନା ଯୋଗୁ ମାଫିଆ ଓ ଦଲାଲରାଜ୍‌ଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ଯେଉଁଥିପାଇଁ ସେମ‌ାନେ ଯୁବକମାନଙ୍କୁ ଆନ୍ଦୋଳନ ପାଇଁ ଉସ୍‌କାଉଛନ୍ତି।

‘ଅଗ୍ନିପଥ‌’‌େର ସାମିଲ୍‌ ଯୁବକମାନଙ୍କ ମଧ୍ୟରୁ ୨୫% ସିଧାସଳଖ ସେନାବାହିନୀ‌େର ସାମିଲ୍ ହେବେ। ଅବଶିଷ୍ଟ ୭୫% ଯୁବକମାନଙ୍କୁ ପୁଲିସ ଓ ଅନ୍ୟ ସାମରିକ କ୍ଷେତ୍ର‌ର ଚାକିରି ପାଇଁ ପ୍ରାଥମିକତା ମିଳିବ। ଏହାସତ୍ତ୍ବେ ବି କୁଚକ୍ରୀ ଗୋଷ୍ଟୀ ଯୁବବର୍ଗଙ୍କୁ ପଥଭ୍ରଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି।

ରୁଷିଆ ସହିତ ଯୁଦ୍ଧ ପାଇଁ ବର୍ତ୍ତମାନ ‘ବ୍ରେଡ୍‌ ବାସ୍କେଟ୍‌’ ବା ‘ଗହମ ଝୁଡ଼ି’ କୁହାଯାଉଥିବା ୟୁକ୍ରେନ୍‌ ଗହମ ଯୋଗାଇବାରେ ସମର୍ଥ ହୋଇପାରୁନାହିଁ। ତେଣୁ ସମଗ୍ର ବିଶ୍ବର ନଜର ଏବେ ଭାରତୀୟ ଗହମ ବଜାର ଉପରେ ରହିଛି। ବିଭିନ୍ନ ବିକଶିତ ଦେଶ ମଧ୍ୟ ଏବେ ଭାରତରୁ ଗହମ ଆମଦାନୀ କରିବା ଆରମ୍ଭ କରିଛନ୍ତି। ଭାରତର ୧୦ ପ୍ରମୁଖ ଗହମ ଉତ୍ପାଦନକାରୀ ପ୍ରଦେଶ କଥା ଯଦି କୁହାଯାଏ; ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର, ଗୁଜରାଟ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ଯଥାକ୍ରମେ ୧ମ ରୁ ୧୦ମ ସ୍ଥାନ ଅକ୍ତିଆର କରିଛନ୍ତି। ଦଙ୍ଗା ବା ହିଂସାକାଣ୍ଡ ସହିତ ଏହି ଗହମ ଉତ୍ପାଦନକାରୀ ରାଜ୍ୟମାନଙ୍କୁ ତୁଳନା କଲେ ଏହି ସୂଚୀରେ ଅନେକାଂଶରେ ସମାନତା ରହିଛି। ଏହାକୁ ଦୃଷ୍ଟିରେ ରଖିଲେ ବିଶ୍ବ ଦରବାରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ପତିଆରାକୁ ହ୍ରାସ କରିବା ପାଇଁ ଅନ୍ତଃରାଷ୍ଟ୍ରୀୟ ଶକ୍ତିର ଏହି ହିଂସାକାଣ୍ଡ ପଛରେ ହାତଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

ପୂର୍ବରୁ କୃଷି ଆଇନ ପ୍ରଣୟନ ଓ ୩୭୦ ଧାରା ହଟିବା ପରେ ମଧ୍ୟ ବିଦେଶୀ ଶକ୍ତି ମାନେ ବିଭିନ୍ନ ମାଧ୍ୟମରେ କଂଗ୍ରେସ, ଆମ ଆଦମୀ ପାର୍ଟି ଭଳି କିଛି ହାତ ଗଣତି ଦଳଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଶରେ ହିଂସା ଓ ଆତଙ୍କ ପରିସ୍ଥିତି ସୃଷ୍ଟି କରିଥିଲେ। ଏସବୁକୁ ଦୃଷ୍ଟିକୁ ଆଣିଲେ ଏହି ହିଂସାକାଣ୍ଡ ସମ୍ପୂର୍ଣ୍ଣ ଭାବେ ପ୍ରାୟୋଜିତ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର