କୋରାପୁଟ: ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ପର୍ଯ୍ୟଟନ କ୍ଷେତ୍ରରେ ଅବିଭକ୍ତ କୋରାପୁଟ ଜିଲ୍ଲା ଆଉ ପଛୁଆ ହୋଇ ରହିନାହିଁ। କିଛି ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଛି। ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। କୋରାପୁଟ ଜିଲ୍ଲାରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସମେତ ବିମାନବନ୍ଦର, ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ରାୟଗଡ଼ାରେ ରେଳ ଡିଭିଜନ୍ ନିର୍ମାଣ ହେବାକୁ ଯାଉଛି। ମାଲକାନଗିରି ବିଚ୍ଛିନ୍ନାଞ୍ଚଳ ଅପବାଦରୁ ମୁକ୍ତ ହୋଇଛି। ଦାଦନ ଜିଲ୍ଲା ଭାବେ ପରିଚୟ ପାଇଥିବା ନବରଙ୍ଗପୁରର ରୂପ ବଦଳୁଛି। ବଡ଼ ଶିଳ୍ପ ପ୍ରକଳ୍ପ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଆସି ନ ଥିଲେ ସୁଦ୍ଧା ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଶୁକ୍ରବାର ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ଆୟୋଜିତ ‘ଅଗ୍ରଦୂତ’ ରାଇଜିଂ କନ୍କ୍ଲେଭ୍ ସମ୍ମିଳନୀରେ ବକ୍ତାମାନେ ମତପ୍ରକାଶ କରିଛନ୍ତି।
ଜୟପୁର ସନ୍ଧ୍ୟା ଫଙ୍କସନ୍ ହଲ୍ରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ବିକାଶ ହେଉଥିଲେ ମଧ୍ୟ ଆମେ ପରମ୍ପରାକୁ ବଞ୍ଚାଇ ରଖିଛୁ। ମାତ୍ର ଯେଉଁଭଳି ଭାବେ ଉନ୍ନତି ହେବା କଥା ତାହା ହୋଇ ପାରିନାହିଁ। ୫୬ବର୍ଷ ପୁରୁଣା ସୋସାଇଟିର ଉନ୍ନତି ହୋଇନାହିଁ। ବହୁ ଦାବି ପରେ ସୋସାଇଟି ଘର ପାଇଁ ପ୍ରକ୍ରିୟା ଚାଲିଛି। ୫ମ ଶ୍ରେଣୀରୁ ପାଠପଢ଼ା ଛାଡ଼ି କୌଳିକ ବୃତ୍ତିକୁ ଧରି ବସିଛି। ପ୍ରଶାସନ ପକ୍ଷରୁ ବୁଣାକାରଙ୍କ ଉପରେ ଟିକିଏ ଦୃଷ୍ଟି ପଡ଼ିଲେ ଆମେ ଆହୁରି ଆଗକୁ ବଢ଼ିପାରିବୁ। ପରମ୍ପରା ମଧ୍ୟ ବଞ୍ଚିରହିବ ବୋଲି ସେ କହିଥିଲେ। ମାଣ୍ଡିଆ ରାଣୀ ଭାବେ ପରିଚିତ ଡ. ରାଇମତି ଘିଉରିଆ ସମ୍ମାନିତ ଅତିଥି ଭାବେ ଦେଶୀ ଧାନ ଓ ମାଣ୍ଡିଆ କିସମ ସଂରକ୍ଷଣ ଉପରେ ବର୍ଣ୍ଣନା କରିଥିଲେ। ଦେଶୀ ପଦ୍ଧତିରେ ଚାଷ କଲେ ଅମଳ ସିନା କମିବ, ହେଲେ ଯେଉଁ ଶସ୍ୟ ଉତ୍ପାଦନ ହେବ ତାହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଯେଉଁମାନେ ଅଧିକ ଅମଳ ତଥା ଅର୍ଥ ଉପାର୍ଜନ ପାଇଁ ସରକାରୀ ପଦ୍ଧତିରେ ଚାଷ କରୁଛନ୍ତି, ସେମାନଙ୍କୁ ପରପିଢ଼ି କଥା ଚିନ୍ତା କରିବାକୁ ହେବ। ଦେଶୀ ପଦ୍ଧତିକୁ ଆପଣାଇବା ସହ ଭବିଷ୍ୟତ ପିଢ଼ି ପାଇଁ ଜମିର ଉର୍ବରତା ବଞ୍ଚାଇ ରଖିବାକୁ ସେ ପରାମର୍ଶ ଦେଇଥିଲେ। କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତିୱାସନ୍ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କହିଲେ, ସମସ୍ତଙ୍କ ସହଯୋଗରେ କୋରାପୁଟ ରାଜ୍ୟର ଏକ ନମ୍ବର ଜିଲ୍ଲାରେ ପରିଣତ ହେବ। ଏଠାକାର ଲୋକଙ୍କ ମଧ୍ୟରେ ଏକତା ରହିଛି। ପର୍ଯ୍ୟଟନ କ୍ଷେତ୍ରରେ କୋରାପୁଟ ପ୍ରଶଂସା ସାଉଁଟୁଛି। ଭାରତମାଳା ପରିଯୋଜନା କୋରାପୁଟ ପାଇଁ ବଡ଼ ସୁଯୋଗ ଆଣିବ। ଶିକ୍ଷା, ସ୍ବାସ୍ଥ୍ୟ ଓ ପର୍ଯ୍ୟଟନର ବିକାଶ ସହ ଲୋକଙ୍କ ଜୀବନଧାରଣ ମାନ ବଦଳାଇବ। ବାହାର ରାଜ୍ୟର ପ୍ରଯୋଜକ ଏଠାରେ ଫିଲ୍ମ ସୁଟିଂ କରିବା ସହ ଲୋକଙ୍କ ସରଳତା ଓ ଆତିଥ୍ୟକୁ ପ୍ରଶଂସା କରିବା ବଡ଼ ଉପଲବ୍ଧି। ଆଜିର ସମ୍ମିଳନୀରୁ ଯାହା ନିର୍ଯାସ ବାହାରିବ ତାହାକୁ ଆଧାର କରି ବିକାଶ ଧାରା ଆଗକୁ ବଢ଼ାଇବା ଦିଗରେ ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଗଚ୍ଛିତ ସମ୍ବଳର ହିସାବ କରିବାକୁ ପଡ଼ିବ: ତନୟା
ଦୃଷ୍ଟି ପଡ଼ିଲେ ବୁଣାକାର ଆଗକୁ ବଢ଼ିବେ: ଗୋବର୍ଦ୍ଧନ ପାନିକା
କୋରାପୁଟ ୧ ନମ୍ବର ଜିଲ୍ଲାରେ ପରିଣତ ହେବ: ଜିଲ୍ଲାପାଳ
ସ୍ବାସ୍ଥ୍ୟ ପାଇଁ ଦେଶୀ ଚାଷ ପଦ୍ଧତି ଉପଯୋଗୀ: ରାଇମତି
ମାଟି, ମା’ ଓ ମାତୃଭାଷା ପାଇଁ ସଂକଳ୍ପ ନେବା: ଭବାନୀ
‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ସମ୍ପାଦକ ତନୟା ପଟ୍ଟନାୟକ ଉଦ୍ଘାଟନୀ ଉତ୍ସବରେ ସଭାପତିତ୍ବ କରି କହିଲେ, ଏବେ ପ୍ରଶ୍ନ ପଚାରିବାର ସମୟ ଆସିଛି। ଜିଲ୍ଲାରେ ଯେଉଁ ସମ୍ବଳ ଭରି ରହିଛି ତାହାର ହିସାବ କରିବାକୁ ପଡ଼ିବ। ଅବିଭକ୍ତ କୋରାପୁଟବାସୀ ସେମାନଙ୍କ ନରମ କଥାରେ ସମସ୍ତଙ୍କ ମନ ଜିଣି ନିଅନ୍ତି। ଏତେ ନରମ ହେଲେ ଚଳିବ ନାହିଁ। ଆପଣମାନଙ୍କ ସ୍ବର ନରମ ସହ ସଶକ୍ତ ହେବା ଆବଶ୍ୟକ। ତେବେ ଯାଇ ସଫଳତା ମିଳିପାରିବ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ସବୁବେଳେ ଆପଣମାନଙ୍କ ସହ ରହିଛି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର କୌଣସି ତୁଳନା ନାହିଁ। ତାହାର ସୁରକ୍ଷା କରିବାକୁ ହେଲେ କାଲି ପାଇଁ ଆଜିଠୁ ଏକାଠି ହେବାକୁ ପଡ଼ିବ। ଏହି ଅଞ୍ଚଳରେ ପ୍ରତିଭା ଭରି ରହିଛି। କେବଳ ଲକ୍ଷ୍ୟ ସ୍ଥିର କରି ଆଗକୁ ଯାଇପାରିଲେ ସଫଳତା ନିଶ୍ଚିତ।
‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ କହିଲେ, ଯେଉଁମାନେ କୋରାପୁଟ ଭଳି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଜିଲ୍ଲାର ଖଣିଖାଦାନ ନେଉଛନ୍ତି ପ୍ରତିବଦଳରେ ସେମାନେ ଆମକୁ କ’ଣ ଦେଉଛନ୍ତି, ତାହା ଜାଣିବାର ହକ୍ ଆପଣମାନଙ୍କର ରହିଛି। ଏବେ ସମୟ ଆସିଛି ନିଜ ମାଟି, ମା’ ଓ ମାତୃଭାଷାର ସୁରକ୍ଷା ପାଇଁ ସଂକଳ୍ପ ନେବାର। ଜୟପୁର ସଂସ୍କରଣ ମୁଖ୍ୟ ନବୀନଚନ୍ଦ୍ର ସାହୁ ଅତିଥିଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ବିଜ୍ଞାପନ ବିଭାଗ ପ୍ରବନ୍ଧକ ପ୍ରସନ୍ନ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ୧୩ ଜଣ ବ୍ୟକ୍ତିବିଶେଷ ଓ ସଂସ୍ଥାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବୟିତ୍ରୀ ବିଜୟଲକ୍ଷ୍ମୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/22/RtHDFekKmOKIJF1w2taA.jpg)