ସମ୍ବଲପୁର: ଜଣଙ୍କ ସାମ୍ନାରେ ଯେଉଁ ପ୍ରଶଂସା କରାଯାଏ ତାହା ପ୍ରକୃତ ସଫଳତା ନୁହେଁ, ପ୍ରକୃତ ସଫଳତା ଯାହା ଉକ୍ତ ବ୍ୟକ୍ତିର ଅନୁପସ୍ଥିତିରେ ଓ ଅବର୍ତ୍ତମାନରେ ବି ସମସ୍ତେ ଚର୍ଚ୍ଚା କରନ୍ତି। ତେଣୁ ଜୀବନରେ ଯାହା ବି କର, ତୁମ ସଫଳତା ଏପରି ହେଉ ଯାହାକୁ ନେଇ କେବଳ ତୁମ ପିତାମାତା ନୁହନ୍ତି, ଆମ ସମାଜ ଓ ସାରା ଦୁନିଆ ଗର୍ବ କରିବ। ଶନିବାର ‘ସମ୍ବାଦ ଡିଜିଟାଲ୍’ ତରଫରୁ ସ୍ଥାନୀୟ ହୋଟେଲ୍ ଡଲ୍ଫିନ୍ରେ ଅନୁଷ୍ଠିତ ‘ଅଗ୍ରଯୋଦ୍ଧୀ-୨୦୨୩’ କାର୍ଯ୍ୟକ୍ରମରେ ଅତିଥିମାନେ ପ୍ରକାଶ କରିଛନ୍ତି।
ସମ୍ବାଦ ଗ୍ରୁପ୍ର ନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜୟସ୍ବାଲ୍ ଅମୂଲର ପ୍ରତିଷ୍ଠାତା ଭର୍ଗିଜ୍ କୁରିଆନ୍ଙ୍କ ଉଦହାରଣ ଦେଇ କହିଲେ, ଜଣେ ଯାହା ବି ପାଠପଢ଼ୁ, ଯେତେ ବି ସଫଳତା ପାଉ, ତା’ର କାର୍ଯ୍ୟ ହିଁ ତାକୁ ସବୁ ଦିନ ପାଇଁ ଲୋକଙ୍କ ସ୍ମୃତିରେ ବାନ୍ଧି ରଖେ। ନ୍ୟୁକ୍ଲିୟର୍ ସାଇନ୍ସରେ ପାଠ ପଢ଼ିବା ପରେ ଗୁଜରାତର ଆନନ୍ଦ ଭଳି ଏକ ଛୋଟ ସହରରେ ଦୁଗ୍ଧ ପ୍ଲାଣ୍ଟର ମ୍ୟାନେଜର୍ ଭାବେ ନିଯୁକ୍ତି ପାଇଥିବା କୁରିଆନ୍ ମହତ୍ବାକାଂକ୍ଷା ବଳରେ ଅମୂଲ ଭଳି ଏକ ବିଶ୍ବସ୍ତରୀୟ କମ୍ପାନି ଛିଡ଼ା କରିଥିଲେ, ଯାହାର ଆଜି ବି ସମଗ୍ର ବିଶ୍ବରେ କୌଣସି ତୁଳନା ନାହିଁ।
ସେ ଲାଭ ବା ବ୍ୟବସାୟ ପାଇଁ ନୁହେଁ, ଦେଶର ଦୁଗ୍ଧ ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ସହ ଶିଶୁମାନଙ୍କୁ କୁପୋଷଣରୁ ରକ୍ଷା କରିବାର ମହତ ଉଦ୍ଦେଶ୍ୟ ରଖି ଉକ୍ତ ସଂସ୍ଥା ଆରମ୍ଭ କରିଥିଲେ, ଯେଉଁ କାରଣରୁ ଉକ୍ତ କମ୍ପାନି ଏତେ ସଫଳ ଓ ଅପ୍ରତିଦ୍ବନ୍ଦ୍ବୀ ହୋଇପାରିଛି ବୋଲି ଡ. ଜୟସ୍ବାଲ ମତ ଦେଇଥିଲେ। ସେ କହିଥିଲେ ଯେ ଆମେ ଭାରତୀୟମାନେ ଏବେ ବି ବ୍ରିଟିସ୍ ଉପନିବେଶବାଦର ମାନସିକତାରୁ ବାହାରି ପାରି ନାହୁଁ। ତେଣୁ ଆମ ଭିତରୁ ଅଧିକାଂଶଙ୍କର ସଫଳତାର ମାପକାଠି ଭଲ ଚାକିରି ହୋଇଥାଏ। ମାଲିକ ହେବାର ସ୍ବପ୍ନ ଆମେ ଆଜି ବି ଦେଖିପାରୁ ନାହୁଁ। ହେଲେ ସାମଗ୍ରିକ ଭାବେ ଏହି ମାନସିକତା ବିକଶିତ ହେଲେ ଯାଇ ଆମେ ଏକ ସୁସ୍ଥ ଓ ମୁକ୍ତ ସମାଜ ପାଇପାରିବା ବୋଲି ପ୍ର. ଜୟସ୍ବାଲ ମତ ରଖିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ (ଓସୁ)ର କୁଳପତି ପ୍ର. ଅର୍କ କୁମାର ଦାସମହାପାତ୍ର କହିଲେ, ଜୀବନରେ କୌଣସି ସଫଳତା ଶେଷ ସଫଳତା ନୁହେଁ, ବା କୌଣସି ଲକ୍ଷ୍ୟ ଶେଷ ଲକ୍ଷ୍ୟ ନୁହେଁ। ତେଣୁ ‘ମୁଁ ସବୁ ପାଇ ସାରିଛି’ ଏହି ଭାବନା ମନରୁ ଦୂର କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ଉପଲବ୍ଧ ଟେକ୍ନୋଲଜିର ସଦ୍ବ୍ୟବହାର କରି ସମାଜର ଉନ୍ନତି ପାଇଁ କାମ କରିବାକୁ ପ୍ର. ଦାସ ମହାପାତ୍ର କହିଥିଲେ।
ନିଜ ବକ୍ତବ୍ୟରେ ଶ୍ରୀମତୀ ପଟ୍ଟନାୟକ କହିଲେ, ଜୀବନରେ କୌଣସି ପରୀକ୍ଷା ଶେଷ ପରୀକ୍ଷା ନୁହେଁ। ଆମ ଜୀବନରେ ପରୀକ୍ଷାର ଅନ୍ତ ନାହିଁ। ତେଣୁ ଗୋଟିଏ ପରୀକ୍ଷାର ଫଳରେ ଭାଙ୍ଗି ନ ପଡ଼ିବା ବା ଅତି ଉତ୍ସାହିତ ନହେବାକୁ ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ବିଶ୍ବରେ ପ୍ରତିଦିନ ଦ୍ରୁତ ପରିବର୍ତ୍ତନ ଘଟୁଛି। କୋଡିଂ-ଡିକୋଡିଂର ଯୁଗ ଯାଇ କୃତ୍ରିମ ବୁଦ୍ଧିମତା (ଏଆଇ)ର ସମୟ ଆସିଲାଣି। କରୋନାର ଖରାପ ସମୟ ବିତି ଗଲାଣି। ଏଭଳି ସମୟରେ ନିଜ କ୍ୟାରିୟର୍ ସଂପର୍କରେ ଉପଯୁକ୍ତ ନିଷ୍ପତ୍ତି ନେବା ଗୁରୁତ୍ବପୂର୍ଣ୍ଣ। ତେଣୁ ଜୀବନରେ ଯାହା ଭଲ ଲାଗୁଛି ତାହା କର। ନିଜ ପାଠପଢ଼ା ଓ କାମକୁ ଉପଭୋଗ କର। ହେଲେ ଯାହା ବି କର, ଯେଉଁଠି ବି ରହ ନିଜ ଜନ୍ମମାଟିକୁ କେବେ ଭୁଲିବ ନାହିଁ। ବର୍ଷରେ ଅତି କମ୍ରେ ଗୋଟିଏ ଥର ନିଜ ଗାଁକୁ ନିଶ୍ଚୟ ଆସିବ ବୋଲି ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ବାଲେଶ୍ବର ରେଳ ଦୁର୍ଘଟଣାର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାର୍ଥନା କରାଯାଇଥିଲା। ‘ସମ୍ବାଦ’ ଡିଜିଟାଲ୍ର ମୁଖ୍ୟ ଲିଙ୍ଗରାଜ ଲେଙ୍କା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ଏହି ଅବସରରେ ସିବିଏସ୍ଇ ଦଶମ ଓ ଦ୍ବାଦଶ ବିଜ୍ଞାନ ପରୀକ୍ଷାରେ ନିଜ ବିଦ୍ୟାଳୟର ଟପର୍ ହେବା ସହ ୯୫% ବା ଅଧିକ ନମ୍ବର ରଖିଥିବା ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ୯୮ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସିବିଏସ୍ଇ ଦଶମର ୭୫ ଓ ଦ୍ବାଦଶର ୨୩ ଜଣ ଟପର୍ ଛାତ୍ରଛାତ୍ରୀଙ୍କୁ ପଦକ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ‘ସମ୍ବାଦ’ ଡିଜିଟାଲ୍ର ଡିଜିଏମ୍ ସୁଶାନ୍ତ ମହାପାତ୍ର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହା ବ୍ୟତୀତ କାର୍ଯ୍ୟକ୍ରମର ପ୍ରାୟୋଜକ ବୈଦିକ ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, ବିରାଟ୍ ଇନ୍ଷ୍ଟିଚ୍ୟୁଟ୍ର ଏକାଡେମିକ୍ ମୁଖ୍ୟ ଜ୍ୟୋତିରଂଜନ, ଆଇପିଏସ୍ର ସଂଯୋଜକ ରଶ୍ମି ପଣ୍ଡା, ସେଞ୍ଚୁରିଆନ୍ (ଜେଆଇଟିଏମ୍ +୨ କଲେଜ୍) ବଲାଙ୍ଗୀରର ଅଧ୍ୟାପକ ନିର୍ମଳ ସ୍ବାଇଁ, ମାହେଶ୍ବରୀ ଗ୍ରୁପ୍ ସୁନ୍ଦରଗଡ଼ର ଅଧ୍ୟକ୍ଷ ଫକୀର କର୍ଣ୍ଣ, ଆକାଶ ବାଇଜୁ ସମ୍ବଲପୁର ଶାଖାର କଳ୍ପଦ୍ରୁମ ଦାସପରିଜା ଏବଂ ଜନ୍ମେଜୟ ବେହେରା, କୋଶଲ ଏଏନ୍ଏମ୍ର ନିର୍ଦ୍ଦେଶକ ଡ. ବସନ୍ତ ବିଶୋୟୀ ଏବଂ ଡଲ୍ଫିନ୍ ହୋଟେଲ୍ର ସତ୍ତ୍ବାଧିକାରୀ ସିଦ୍ଧାର୍ଥ ସାହାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଆକାଶ ବାଇଜୁର ଅଜୟ ସିଂହ ଠାକୁର ଛାତ୍ରଛାତ୍ରୀଙ୍କୁ ଭିଡିଓ ଜରିଆରେ ନିଜର ବାର୍ତ୍ତା ଦେଇଥିଲେ। ଅଧ୍ୟାପିକା ସୀମନ୍ତିକା ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ‘ସମ୍ବାଦ’ ଡିଜିଟାଲ୍ ପଶ୍ଚିମ ଓଡ଼ିଶା କ୍ଲଷ୍ଟର ମୁଖ୍ୟ ଲଲାଟେନ୍ଦୁ ସ୍ବାଇଁଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ‘ସମ୍ବାଦ’ ଡିଜିଟାଲ୍ର ଦକ୍ଷିଣ ଓଡ଼ିଶା ରିଜିଓନାଲ୍ ମ୍ୟାନେଜର ରବି ଶଂକର ସହଯୋଗ କରିଥିଲେ।