ଭୁବନେଶ୍ବର: ପ୍ରାକ୍ ସେବା ଶିକ୍ଷା ପ୍ରଶିକ୍ଷଣ ବ୍ୟବସ୍ଥାରେ ସ୍ବାସ୍ଥ୍ୟ ଓ କଲ୍ୟାଣକୁ ଏକାଠି କରିବାକୁ ୟୁନେସ୍କୋର ଦକ୍ଷିଣ ଏସିଆ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ(ଆର୍ଆଇଇ) ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଆୟୁଷ୍ମାନ ଭାରତ ଅଧୀନରେ ଶିକ୍ଷା ମନ୍ତ୍ରଣାଳୟ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ରମୁଖ ଯୋଜନା ବିଦ୍ୟାଳୟ ସ୍ବାସ୍ଥ୍ୟ ଓ କଲ୍ୟାଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ସହଭାଗିତା ଆରମ୍ଭ ହୋଇଛି। ଏହାକୁ ବ୍ୟାପକ କରିବାକୁ ୟୁନେସ୍କୋ ବୈଷୟିକ ସହାୟତା ଯୋଗାଇ ଦେଉଛି। ଯୌନ ଶିକ୍ଷା, ସ୍ୱାସ୍ଥ୍ୟ-ପ୍ରୋତ୍ସାହନକାରୀ ବିଦ୍ୟାଳୟ, ନିରାପଦ ଓ ସମାବେଶୀ ଶିକ୍ଷା ପରିବେଶର ପ୍ରୋତ୍ସାହନ ଉପରେ ଏହା ବିଶ୍ୱସ୍ତରୀୟ ଢାଞ୍ଚା ଉପରେ ଆକର୍ଷିତ କରିବ। ୨୦୨୦ରୁ ୟୁନେସ୍କୋ ୩୦ ହଜାର ସିବିଏସ୍ଇ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ସକ୍ରିୟ ଭାବେ ସହଯୋଗ ଦେଉଛି। ସିବିଏସ୍ଇ ଓ ଏନ୍ସିଇଆରଟି ସହ ସହଭାଗୀତାରେ ୟୁନେସ୍କୋ ନିରନ୍ତର ବୃତ୍ତିଗତ ବିକାଶ(ସିପିଡି) କାର୍ଯ୍ୟକ୍ରମ ମାଧ୍ୟମରେ ୯୬୦ରୁ ଅଧିକ ପ୍ରଧାନଶିକ୍ଷକ, ୪୦ ହଜାର ଶିକ୍ଷକଙ୍କୁ ତାଲିମ ଦେଇ ୩ ନିୟୁତରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଛି।
ଏହି ଦୁଇ ବର୍ଷିଆ କାର୍ଯ୍ୟକ୍ରମ ଆର୍ଆଇଇ ମାଧ୍ୟମରେ ସମନ୍ୱିତ ବିଏସ୍ସି ବିଏଡ୍, ବିଏ ବିଏଡ୍ ଓ ବିଏଡ୍ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମନ୍ୱିତ କରିବାକୁ ଚାଲିଥିବା ପ୍ରୟାସକୁ ତ୍ବରାନ୍ବିତ କରିବ। ଭବିଷ୍ୟତର ଶିକ୍ଷକଙ୍କୁ ନିରାପଦ, ସମାବେଶୀ ଓ ସ୍ୱାସ୍ଥ୍ୟ ଉପଯୋଗୀ ଶ୍ରେଣୀଗୃହକୁ ପ୍ରୋତ୍ସାହିତ କରିବାକୁ ଆବଶ୍ୟକ ସହାନୁଭୂତି, ସ୍ଥିରତା ଓ ଦକ୍ଷତା ବିକାଶ କରିବାକୁ ୟୁନେସ୍କୋ-ଆରଆଇ ଭୁବନେଶ୍ୱର ଲକ୍ଷ୍ୟ ରଖିଛି। ଏହି ସହଭାଗିତା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ(ଏସଡିଜି-୩)-ଉତ୍ତମ ସ୍ବାସ୍ଥ୍ୟ ଓ କଲ୍ୟାଣ, ଏସ୍ଡିଜି-୪ ଉନ୍ନତମାନର ଶିକ୍ଷା ଓ ଏସ୍ଡିଜି-୫ ଲିଙ୍ଗଗତ ସମାନତା ଦିଗରେ ସହାୟକ ହେବ। ୟୁନେସ୍କୋ ପକ୍ଷରୁ ଶିକ୍ଷକଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଓ କଲ୍ୟାଣ ପୁସ୍ତିକା ବିକାଶ କରାଯିବ, ଯାହାକି ଭବିଷ୍ୟତର ଶିକ୍ଷକମାନଙ୍କ ପାଇଁ ଏକ ସନ୍ଦର୍ଭ ଭାବେ କାର୍ଯ୍ୟ କରିବ।।
ଆରଆଇଇ ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ପି ସି ଅଗ୍ରୱାଲ ୟୁନେସ୍କୋର ଯୋଗଦାନକୁ ପ୍ରଶଂସା କରିବା ସହ ଏହି ବୁଝାମଣାପତ୍ର ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି। ୟୁନେସ୍କୋ ନିର୍ଦ୍ଦେଶକ ଟିମ୍ କର୍ଟିସ୍ କହିଛନ୍ତି, ଆର୍ଆଇଇ ଭୁବନେଶ୍ୱର ସହିତ ଏହି ସହଭାଗିତା ଓଡ଼ିଶାର ଭବିଷ୍ୟତ ଶିକ୍ଷକଙ୍କୁ କେବଳ ଶୈକ୍ଷିକ ବିଷୟବସ୍ତୁ ପ୍ରଦାନ କରିବା ପାଇଁ ନୁହେଁ, ବରଂ ସ୍ଥିର, ସହାନୁଭୂତିପୂର୍ଣ୍ଣ ଓ ଦକ୍ଷ ଛାତ୍ରଛାତ୍ରୀଙ୍କୁ ବିକଶିତ କରିବା ଲାଗି ପ୍ରସ୍ତୁତ କରିବ। ଆର୍ଆଇଇ ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ବାମୀ ଏହି ବୁଝାମଣା ଦ୍ବାରା ସାମଗ୍ରିକ ଶିକ୍ଷାର ବ୍ୟାପକ ଲକ୍ଷ୍ୟ ସାକାର ହୋଇପାରିବ ବୋଲି କହିଛନ୍ତି।