ଯକୃତ ପ୍ରତିରୋପଣ ପାଇଁ ବୁଝାମଣାପତ୍ର; ଡାକ୍ତର, ନର୍ସ ଓ ପାରାମେଡିକ୍ସକୁ ତାଲିମ୍ ଦେବ ଏଆଇଜି ହସ୍ପିଟାଲ

ଭୁବନେଶ୍ବର : ରାଜ୍ୟରେ ଉନ୍ନତମାନର ଯକୃତ ରୋଗର ଚିକିତ୍ସା ଯୋଗାଇଦେବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ହାଇଦ୍ରାବାଦ୍‌ସ୍ଥିତ ଏସିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି(ଏଆଇଜି) ହସ୍ପିଟାଲ ସହିତ ସ୍ବାସ୍ଥ୍ୟ ବିଭାଗର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏଆଇଜି ହସ୍ପିଟାଲ ପକ୍ଷରୁ ଏସ୍‌ସିବି ମେଡିକାଲରେ ଯକୃତ ଚିକିତ୍ସା ପାଇଁ ନିଯୁକ୍ତ ହୋଇଥିବା ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କୁ ତାଲିମ୍ ପ୍ରଦାନ କରାଯିବ। ଆବଶ୍ୟକସ୍ଥଳେ ଅସ୍ତ୍ରୋପଚାର ମଧ୍ୟ କରାଯିବ ବୋଲି ସୂଚନା ମିଳିଛି।

ଏସ୍‌ସିବି ମେଡିକାଲ କଲେଜରେ ବିନା ଖର୍ଚ୍ଚରେ ଯକୃତ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଏକ ଯକୃତ ପ୍ରତିରୋପଣ ୟୁନିଟ୍‌ ରହିଛି। ଏଥିପାଇଁ ମଡ୍ୟୁଲାର ଓଟି ଓ ଆଇସିୟୁର ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ଯନ୍ତ୍ରପାତି କ୍ରୟ କରାଯିବା ସହିତ ଡାକ୍ତର, ନର୍ସ ଓ ପାରାମେଡିକ୍ସ ନିଯୁକ୍ତ ହୋଇଛନ୍ତି। ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବିଭାଗୀୟ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ଡିଏମ୍‌ଇଟି ଡା.ରମାରମଣ ମହାନ୍ତି ଓ ଏଆଇଜି ହାଇଦ୍ରାବାଦ୍‌ର ଉପ-ସଭାପତି ସନ୍ତୋଷ କୁମାର ସାହୁ ବୁଝାମଣା ପତ୍ରରେ ସ୍ବାକ୍ଷର କରିଥିଲେ।

ଉଲ୍ଲେଖ ଯେ ପୂର୍ବରୁ ଶିଶୁ ରୋଗୀମାନଙ୍କ ଯକୃତ ପ୍ରତିରୋପଣ କରିବା ଲାଗି ରାଜ୍ୟ ସରକାର ବେଙ୍ଗାଲୁରୁସ୍ଥିତ ଆସ୍ତର ସିଏମ୍‌ଆଇ ହସ୍ପିଟାଲ ସହ ମଧ୍ୟ ଚୁକ୍ତି ସ୍ବାକ୍ଷର କରିଛନ୍ତି।

ସମ୍ବନ୍ଧିତ ଖବର