ଭୁବନେଶ୍ବର : ବିଜୁ ଏକ୍ସପ୍ରେସ୍ ୱେ ନିର୍ମାଣ ଦ୍ବାରା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅର୍ଥନୈତିକ କରିଡର ସୃଷ୍ଟି ହେବା ନେଇ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ସମୀକ୍ଷା କରିଛନ୍ତି।
ଏହି ବୈଠକରୁ ଜଣାପଡ଼ିଛି ଯେ, ବରଗଡ଼ ଜିଲ୍ଲାର ସୋହେଲା, ପଦମପୁର ଓ ପାଇକମାଲ ଦେଇ ନୂଆପଡ଼ା ଜିଲ୍ଲାର ସିନାପାଲି ଓ କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ଦେଇ ୪ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ୍ ୱେ ନିର୍ମାଣାଧୀନ ଥିବାବେଳେ ଏ ସମସ୍ତ ସ୍ଥାନ ଦେଇ ଅର୍ଥନୈତିକ କରିଡର ସୃଷ୍ଟି ହେବ। ଏଥିପାଇଁ ୧୧ଟି ଶିଳ୍ପ ସଂସ୍ଥା ଉଦ୍ୟୋଗ ସ୍ଥାପନ ପାଇଁ ସହମତି ପ୍ରକାଶ କରିଛନ୍ତି। ଏନେଇ ଟେଣ୍ଡର ପ୍ରକ୍ରିୟା ବି ଶେଷ ହୋଇଛି। ଏହି ଅର୍ଥନୈତିକ କରିଡର ପାଇଁ ବରଗଡ଼ର କିଛି ସ୍ଥାନ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଜମି ଅଧିଗ୍ରହଣ ଶେଷ ହୋଇଛି। ବିଜୁ ଏକ୍ସପ୍ରେସ୍ ୱେ ଓ ରେଳ ସଂଯୋଗୀକରଣ କରୁଥିବା ନୂଆପଡ଼ାର ଖରିଆର, କଳାହାଣ୍ଡିର ଜୁନାଗଡ଼, ବରଗଡ଼ର ପଦମପୁର ଭଳି ଛୋଟ ସହରରେ ଶିଳ୍ପଦ୍ୟୋଗ ସ୍ଥାପନକୁ ଗୁରୁତ୍ବ ଦିଆଯିବ। ଏନେଇ ଜିଲ୍ଲା ଇନଭେଷ୍ଟମେଣ୍ଟ ସଂସ୍ଥା (ଦିପା) କାର୍ଯ୍ୟ ଜାରି ରଖିଛି। ପରବର୍ତ୍ତୀ ସମୟରେ ‘ଦିପା’ ଏହାର କାର୍ଯ୍ୟ ପରିସର ଖୋର୍ଦ୍ଧା, କଟକ, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାକୁ ସଂପ୍ରସାରିତ କରିବ।
ସେହିପରି ବଡ଼ ବଡ଼ ଶିଳ୍ପ ସଂସ୍ଥା, ଅଣୁ, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଆକର୍ଷଣ କରିବା ଉଦ୍ଦେଶ୍ୟରେ ଜୁଲାଇ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ସମ୍ବଲପୁର କିମ୍ବା ଝାରସୁଗୁଡ଼ାରେ ମେକ୍ ଇନ୍ ଓଡ଼ିଶା ଆନୁକୂଲ୍ୟରେ ‘ଆଡଭାଣ୍ଟେଜ୍’ ଅନୁଗୁଳ ପରି କାର୍ଯ୍ୟକ୍ରମ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ପୂର୍ତ୍ତ, ଶିଳ୍ପ, ଏମ୍ଏସ୍ଏମ୍ଇ ବିଭାଗ ଓ ଇପିକଲ୍ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।