ରେଳପଥରେ ପ୍ରଥମ ‌ଆରଓବି ନିର୍ମାଣ ପାଇଁ ରାଜିନାମା, ୬ଟି ଆରଓବି ପାଇଁ ଖର୍ଚ୍ଚ ହେବ ୪୩୭ କୋଟି ଟଙ୍କା

ଭୁବନେଶ୍ୱର (ଚନ୍ଦ୍ରଶେଖରପୁର) : ଉଭୟ ଯାତ୍ରୀ ଓ ରେଳ ବ୍ୟବହାରକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ ଟ୍ରେନ୍ ଚଳାଚଳର ନିରାପତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଉଭୟ ରେଳ ଓ ସଡ଼କ ଟ୍ରାଫିକର ଅସୁବିଧାଜନକ ଗତିବିଧିକୁ ସୁଗମ କରିବା ପାଇଁ ଲେଭଲ୍ କ୍ରସିଂ(ଏଲ୍‌ସି) ଗେଟ୍‌କୁ ଅପସାରଣ କରିବା ସହ ରୋଡ୍ ଓଭର ବ୍ରିଜ୍(ଆରଓବି), ରୋଡ୍ ଅଣ୍ଡର ବ୍ରିଜ୍(ଆରୟୁବି) ଓ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ କରାଯାଉଛି। ଏହି ଲକ୍ଷ୍ୟ ହାସଲ କରିବାକୁ ଗତକାଲି ପୂର୍ବତଟ ରେଳପଥ ଓ ଟେଲିକମ୍ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍(ଟିସିଆଇଏଲ) ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି। ଏଥିରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ରେଳମଣ୍ଡଳ ଅନ୍ତର୍ଗତ ହାଓଡା-ଚେନ୍ନାଇ ମୁଖ୍ୟ ଲାଇନର ରାଣୀତାଲ-ଜେନାପୁର ରେଳ ଷ୍ଟେସନ ମଧ୍ୟରେ ୬ଟି ଆରଓବି ନିର୍ମାଣ କାର୍ଯ୍ୟ ହେବ। ଏଥିପାଇଁ ପ୍ରାୟ ୪୩୬.୮୭ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ପୂର୍ବତଟ ରେଳପଥର ପ୍ରମୁଖ ଇଞ୍ଜିନିୟର ନରୋତ୍ତମ ସିଂ ଉଇକେଙ୍କ ଉପସ୍ଥିତିରେ ଟିସିଆଇଏଲର ଜେନେରାଲ୍ ମ୍ୟାନେଜର ଅନିଲ କୁମାର ଓ ପୂର୍ବତଟ ରେଳପଥର ମୁଖ୍ୟ ଜେନେରାଲ୍ ଇଞ୍ଜିନିୟର ବ୍ରିଜେଶ ମିଶ୍ର ଏହି ରାଜିନାମା ସ୍ୱାକ୍ଷର କରିଛନ୍ତି। ନିର୍ମାଣ ହେବାକୁ ଥିବା ରୋଡ ଓଭର ବ୍ରିଜଗୁଡ଼ିକ ହେଉଛି ରାଣୀତାଲ ଓ ଭଦ୍ରକ ଷ୍ଟେସନ ମଧ୍ୟରେ ଥିବା ୧୧୮ ନମ୍ବର ଏଲସି, କେନ୍ଦୁଆପଦା ଓ ମଞ୍ଜୁରୀ ରୋଡ୍ ଷ୍ଟେସନ୍ ମଧ୍ୟରେ ଥିବା ୧୨୫ ନମ୍ବର ଏଲସି, ମଞ୍ଜୁରୀ ରୋଡ୍ ଓ ବୈତରଣୀ ରୋଡ ମଧ୍ୟରେ ଥିବା ୧୨୯ ନମ୍ବର ଏଲସି, ବୈତରଣୀ ରୋଡ ଓ କୋରେଇ ହଲ୍ଟ ଷ୍ଟେସନ୍ ମଧ୍ୟରେ ଥିବା ୧୩୬ ନମ୍ବର ଏଲସି, ଯାଜପୁର କେନ୍ଦୁଝର ରୋଡ ଓ ଯଖପୁରା ମଧ୍ୟରେ ଥିବା ୧୪୨ ନମ୍ବର ଏଲ୍‌ସି ଏବଂ ଯଖପୁରା ଓ ଜେନାପୁର ଷ୍ଟେସନ ମଧ୍ୟରେ ଥିବା ୧୪୭ ନମ୍ବର ଏଲ୍‌ସି। ଏହି ଆରଓବିଗୁଡ଼ିକର କାର୍ଯ୍ୟ ରେଳବାଇ ବୋର୍ଡ ଦ୍ୱାରା ଟିସିଆଇଏଲକୁ ଦିଆଯାଇଛି। ପ୍ରକଳ୍ପ ମୂଲ୍ୟ ଉପରେ ଟିସିଆଇଏଲକୁ ମ୍ୟାନେଜମେଣ୍ଟ ପାଉଣା ବାବଦରେ ୩.୬୪% ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର