କୃଷି କନ୍‌କ୍ଲେଭ୍‌ ୮ରେ

ଭୁବନେଶ୍ବର : ଆସନ୍ତା ଅକ୍ଟୋବର ୮ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ‘ଓଡ଼ିଶା କୃଷି କନ୍‌କ୍ଲେଭ୍‌’। ଏଥିରେ ଦେଶର କୃଷି ଉତ୍ପାଦ ସହ ଜଡ଼ିତ ନାମୀଦାମୀ କମ୍ପାନିଗୁଡ଼ିକ ଅଂଶଗ୍ରହଣ କରିବେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏହି ଆୟୋଜନର ନୋଡାଲ ବିଭାଗ ରହିବ। ଯୋଗାଣ ଓ ସମବାୟ ବିଭାଗର ସଚିବ କୃଷି କମ୍ପାନିଗୁଡ଼ିକୁ ଆମନ୍ତ୍ରିତ କରିବେ।

କନ୍‌କ୍ଲେଭ୍‌କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇ ନୁଡ଼ୁଲ୍ସ ପ୍ରସ୍ତୁତକାରୀ ଓ ସାମୁଦ୍ରିକ ମତ୍ସ୍ୟ ରପ୍ତାନି ସଂସ୍ଥାଗୁଡ଼ିକୁ ଆମନ୍ତ୍ରଣ କରିବାକୁ ପ୍ରସ୍ତାବ ରଖିଥିଲେ। ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଏହି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଆବଶ୍ୟକ ଅର୍ଥ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ତରଫରୁ ଯୋଗାଇ ଦିଆଯିବ ବୋଲି କହିଥିଲେ। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସଚିବ ଜି ରଘୁପ୍ରସାଦ ଗୋଖାଦ୍ୟ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ରାଜ୍ୟରେ ତାଙ୍କର ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରିବା ପାଇଁ ବାର୍ତ୍ତାଳାପ କରିବେ ବୋଲି କହିଥିଲେ। ଆପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଭାତ କୁମାର ରାଉଳ କ୍ଷୁଦ୍ର ଭିଡିଓ ପ୍ରସ୍ତୁତ କରି ସରକାରୀ ସ୍କିମ୍‌ଗୁଡ଼ିକୁ ପ୍ରଦର୍ଶନ କରିବାକୁ ମତ ଦେଇଥିଲେ। ଇନ୍‌ଭେଷ୍ଟ୍‌ ଓଡ଼ିଶାର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ଡାବର ଓ ପାତଞ୍ଜଳି କମ୍ପାନିକୁ ଆମନ୍ତ୍ରଣ କରିବାକୁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶା ଜୀବିକା ମିସନର ମୁଖ୍ୟ ନିର୍ବାହୀ ଅଧିକାରୀ ମାନସୀ ନିମ୍ବାଲ ବ୍ରିଟାନିଆ ଓ ହର୍ଲିକ୍ସ ସହ ଯୋଗାଯୋଗ କରାଯିବ ବୋଲି କହିଥିଲେ।

ବୈଠକରେ କୃଷି ବିଭାଗର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ନିର୍ଦ୍ଦେଶକ ଏ ମୁଥୁକୁମାର, ଓସ୍‌ମାର ସଦସ୍ୟ ସଚିବ ବିଶ୍ବରଞ୍ଜନ ସାମଲ, ଓର୍‌ମାସ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଅରିନ୍ଦମ ଡାକୁଆ, ଉଦ୍ୟାନ କୃଷି ନି‌ର୍ଦ୍ଦେଶକ ରୋହିତ ଲେଙ୍କା, କୃଷି ବିଭାଗର ସ୍ବତନ୍ତ୍ର ସଚିବ ମନ୍ମଥ କୁମାର ପାଣି, ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ଦାଶ, ନାଫେଡ୍‌ର ରାଜ୍ୟ ମୁଖ୍ୟ ଭବ୍ୟା ଆନନ୍ଦ, ପ୍ରାଣୀସମ୍ପଦ ବିକାଶ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଲୋକନାଥ ବେହେରା, ମତ୍ସ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ କୁମାର ମହାନ୍ତି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର